ରେଳ ବଜେଟ କମିବା ଚିନ୍ତାର କାରଣ : ବିଜେଡି

ଓଡ଼ିଶାରେ ତେଜସ୍ ଏକ୍ସପ୍ରେସ୍ ଚଳାଇବାକୁ ଦାବି

ଭୁବନେଶ୍ବର : ରାଜ୍ୟରେ ସବୁଠାରୁ କମ୍ ରେଳ ଲାଇନ୍ ଥିବା ବେଳେ ଭାରତୀୟ ରେଳବାଇକୁ ସର୍ବାଧିକ ରାଜସ୍ବ ଦେଉଥିବା ଓଡ଼ିଶାକୁ ଚଳିତ ରେଳ ବଜେଟରେ ଅନୁଦାନ ପରିମାଣ ଗତ ବର୍ଷ ଅପେକ୍ଷା ହ୍ରାସ ପାଇଛି। ଏହା ଏବେ ଚିନ୍ତାର କାରଣ ବୋଲି କହିଛନ୍ତି ବିଜେଡି ରାଷ୍ଟ୍ରୀୟ ମୁଖପାତ୍ର ସସ୍ମିତ ପାତ୍ର। ରେଳ ବଜେଟ ଉପରେ ପ୍ରତିକ୍ରିୟା ରଖି ଶ୍ରୀ ପାତ୍ର କହିଛନ୍ତି ଯେ ଅର୍ଥନୈତିକ କ୍ଷେତ୍ରରେ ଲାଭଜନକ ହେବାକୁ ଥିବା ଗୋପାଳପୁର-ସମ୍ବଲପୁର ପ୍ରସ୍ତାବିତ ରେଳ ଲାଇନ୍‌କୁ ଓଡ଼ିଶା ପକ୍ଷରୁ ସ୍ବାଗତ କରାଯାଉଛି। ଧାର୍ଯ୍ୟ ସମୟ ମଧ୍ୟରେ ଏହି ପ୍ରକଳ୍ପ ଶେଷ ହେବା ଆବଶ୍ୟକ। ରାଜ୍ୟ ସରକାର ଅଂଶଧନ ଯୋଗାଇ‌ ଦେବାକୁ ପ୍ରତିଶ୍ରୁତି ଦେଇଥିବା କୌଣସି ସ୍ଥାନରେ ନୂଆ ପ୍ରକଳ୍ପ ଘୋଷଣା ହୋଇ ନାହିଁ। ପୁରୀ-କୋଣାର୍କ, ବରଗଡ଼-ନୂଆପଡ଼ା, ଯାଜପୁର-ଆରଡ଼ି-ଧାମରା, ଚକୁଳିଆ-ମୁରାମରା, ଗୁଣୁପୁର-ଥେରୁବାଲି(ନୂଆ ଲାଇନ୍) ଆଦି ପ୍ରକଳ୍ପ ପାଇଁ ରାଜ୍ୟ ସରକାର ସହାୟତା ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଓଡ଼ିଶାରେ ତେଜସ୍ ଏକ୍ସପ୍ରେସ୍ ପରି ରେଳ ଚଳାଇବାର ଆବଶ୍ୟକତା ରହିଛି। ବରାଦ ଅର୍ଥ ଯେପରି ଠିକଣା ସମୟରେ ଖର୍ଚ୍ଚ ହେବ ଓ ବିଳମ୍ବିତ ହୋଇଥିବା ପ୍ରକଳ୍ପଗୁଡ଼ିକୁ ଯେପରି ତ୍ବରାନ୍ବିତ ହେବ, ସେ ଦିଗରେ କେନ୍ଦ୍ର ସରକାର ପଦକ୍ଷେପ ନେବା ପାଇଁ ଶ୍ରୀ ପାତ୍ର କହିଛନ୍ତି।

ସମ୍ବନ୍ଧିତ ଖବର