ଇସଲାମ ଗ୍ରହଣ କରିବା ପରେ ଏବେ ପାକିସ୍ତାନରେ ସ୍ବାଧୀନତା ଦିବସ ପାଳିଲେ ଅଞ୍ଜୁ

ଜୟପୁର: ଫେସବୁକରୁ ପରିଚୟ ଓ ତା’ପରେ ପ୍ରେମ। ନିଜ ପ୍ରେମକୁ ସଫଳ କରିବା ପାଇଁ ବିବାହିତ ହୋଇ ବି ଫେସବୁକ୍ ପ୍ରେମୀ ନସରୁଲ୍ଲାଙ୍କୁ ଭେଟିବାକୁ ଭାରତରୁ ପାକିସ୍ତାନ ଚାଲିଯାଇଥିଲେ ଅଞ୍ଜୁ। ଏମିତି କି ସେ ନିଜ ପିଲାଙ୍କ କଥା ମଧ୍ୟ ନଭାବି ପାକିସ୍ତାନ ଚାଲିଯିବା ସହ ସେଠାରେ ନସରୁଲ୍ଲାଙ୍କୁ ବିବାହ କରିଥିବା ଖବର ମିଳିଥିଲା। ବିବାହ ପରେ ସେଠାରେ ସେ ବୁର୍ଖା ପିନ୍ଧୁଥିବା ସହ ତାଙ୍କୁ ବିଭିନ୍ନ ଆଡୁ ଉପହାର ମିଳୁଥିବା ଖବର ସାମ୍ନାକୁ ଆସିଥିଲା। ଇସଲାମ ଗ୍ରହଣ କରିବା ପରେ ଏବେ ଅଞ୍ଜୁ ପାକିସ୍ତାନରେ ସ୍ବାଧୀନତା ଦିବସ ପାଳନ କରିଥିବା ଦେଖାଯାଇଛି।

ନିଜ ଦ୍ବିତୀୟ ସ୍ବାମୀ ନସରୁଲ୍ଲାଙ୍କ ସହ ଅଞ୍ଜୁ ସ୍ବାଧୀନତା ଦିବସ ପାଳନ କରିବା ସହ କେକ୍ କାଟିଥିବା ଦେଖାଯାଇଛି। ଭାରତର ସ୍ବାଧୀନତା ଦିବସର ଗୋଟିଏ ଦିନ ପୂର୍ବରୁ ପାକିସ୍ତାନ ପ୍ରତିବର୍ଷ ଅଗଷ୍ଟ ୧୪ରେ ଏହାର ସ୍ୱାଧୀନତା ଦିବସ ପାଳନ କରିଥାଏ। ଆଜି ପାକିସ୍ତାନ ସ୍ବାଧୀନତା ଦିବସ ପାଳନ କରିଥିବା ବେଳେ ଅଞ୍ଜୁ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି। ଭାଇରାଲ ଭିଡିଓରେ ଅଞ୍ଜୁ ଓ ନସରୁଲ୍ଲା କେକ୍ କାଟୁଥିବା ଦେଖାଯାଇଛି।

ତେବେ ୩୪ବର୍ଷୀୟ ଅଞ୍ଜୁ ଉତ୍ତରପ୍ରଦେଶର କୈଲୋର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ବିବାହ ପରେ ଅଞ୍ଜୁ ତାଙ୍କ ସ୍ୱାମୀ ଅରବିନ୍ଦ ଏବଂ ପିଲାମାନଙ୍କ ସହିତ ରାଜସ୍ଥାନର ଅଲୱରରେ ରହୁଥିଲେ। ୨୦୧୯ମସିହାରେ ତାଙ୍କର ଫେସବୁକରେ ପାକିସ୍ତାନର ୨୯ବର୍ଷିୟ ନସରୁଲ୍ଲାଙ୍କ ସହ ବନ୍ଧୁତା ହୋଇଥିଲା। ଭିସା ନେଇ ପାକିସ୍ତାନ ଯାଇଥିବା ଅଞ୍ଜୁ ପୂର୍ବରୁ କହିଥିଲେ ଯେ ସେ ନିଜ ଫେସବୁକ ବନ୍ଧୁଙ୍କୁ ଭେଟିବା ପାଇଁ ସେଠାକୁ ଯାଇଛନ୍ତି ଏବଂ କିଛି ଦିନ ପରେ ଭାରତ ଫେରିବେ। ହେଲେ ପରେ ପାକିସ୍ତାନରୁ ତାଙ୍କ ବିବାହ ହେବାର ଖବର ସାମ୍ନାକୁ ଆସିଥିଲା। ଅଞ୍ଜୁ ପୂର୍ବରୁ ବିବାହିତ ଥିବା ବେଳେ ତାଙ୍କର ଦୁଇଟି ସନ୍ତାନ ଅଛନ୍ତି। ଧର୍ମ ପରିବର୍ତ୍ତନ କରିବା ପୂର୍ବରୁ ଅଞ୍ଜୁ ଜଣେ ଖ୍ରୀଷ୍ଟିଆନ ଥିଲେ।

ସମ୍ବନ୍ଧିତ ଖବର