ଯୁଗ୍ମ-ଅଯୁଗ୍ମ ନିୟମ ଆରମ୍ଭ, ଜରିମାନା ଗଣିଲେ ବିଜୟ ଗୋଏଲ

ଭାରତର ସର୍ବାଧିକ ପ୍ରଦୂଷିତ ସହର ବାଗପତ୍‌

ନୂଆଦିଲ୍ଲୀ: ଦିଲ୍ଲୀରେ ବାୟୁ ପ୍ରଦୂଷଣର ମାତ୍ରାକୁ ନିୟନ୍ତ୍ରଣ କରିବା ଲାଗି ଦିଲ୍ଲୀ ସରକାର ଆଜିଠାରୁ ଯୁଗ୍ମ-ଅଯୁଗ୍ମ ସଂଖ୍ୟାର ଗାଡ଼ି ଚଳାଚଳା ନିୟମ ଲାଗୁ କରିଛନ୍ତି। ୨୦୧୬ରେ ପ୍ରଥମେ ଏହି ନିୟମ ଲାଗି ହୋଇଥିଲା। ତେଣୁ ଚଳିତବର୍ଷ ତୃତୀୟ ଥର ପାଇଁ ଦିଲ୍ଲୀ ସରକାର ଏହି ନିୟମ କାର୍ଯ୍ୟକାରୀ କରିଛନ୍ତି। ଉକ୍ତ ନିୟମ ଅନୁସାରେ, ଯୁଗ୍ମ ତାରିଖରେ ଯୁଗ୍ମ ନମ୍ବର (ରେଜିଷ୍ଟ୍ରେସନ ନମ୍ବରର ଶେଷ ଅଙ୍କ) ଥିବା ଚାରିଚକିଆ ଯାନ ଚଳାଚଳ କରିବ ଏବଂ ଅଯୁଗ୍ମ ତାରିଖରେ ଅଯୁଗ୍ମ ନମ୍ବର ବହନ କରୁଥିବା ଚାରିଚକିଆ ଯାନ ଚଳାଚଳ କରିବ। ଦୁଇ ଚକିଆ ଯାନକୁ ଏଥିରୁ ବାଦ୍ ଦିଆଯାଇଛି। ସେହିଭଳି ରାଷ୍ଟ୍ରପତି, ଉପ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ରାଜ୍ୟପାଳ, ସୁପ୍ରିମ୍‌ କୋର୍ଟର ପ୍ରଧାନ ବିଚାରପତି, ୟୁପିଏସ୍‌ସି ଅଧ୍ୟକ୍ଷ, ମୁଖ୍ୟ ନିର୍ବାଚନ କମିସନର, ସିଏଜି, ରାଜ୍ୟସଭା ଉପାଧ୍ୟକ୍ଷ, ଲୋକସଭା ବା‌ଚସ୍ପତି, ଲେପ୍‌ଟନାଣ୍ଟ ଜେନେରାଲ, ହାଇକୋର୍ଟ ଜଜ୍‌, ଲୋକାୟୁକ୍ତ ସଦସ୍ୟ ଏବଂ ସ୍କୁଲ୍‌ ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିବା ଯାନ ଏବଂ ଅନ୍ୟାନ୍ୟ ଜରୁରିକାଳୀନ ସେବାରେ ନିୟୋଜିତ ଥିବା ଯାନବାହନ ଏହି ନିୟମରୁ ବାଦ ପଡ଼ିବେ। ସବୁଠୁ ବଡ଼ କଥା ହେଉଛି, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରିମଣ୍ଡଳର ମନ୍ତ୍ରୀମାନଙ୍କ ଯାନବାହନ ଏହି ନିୟମରୁ ବାଦ ପଡ଼ିନାହାନ୍ତି। ଚାରିଚକିଆ ଯାନ ଚଳାଚଳ କରୁଥିବା ଗାଡ଼ିମାଲିକମାନେ ସହଯୋଗ କରିବା ସହ ଦିଲ୍ଲୀକୁ ପ୍ରଦୂଷଣ କବଳରୁ ମୁକ୍ତ କରିବାକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ୍‌ ନିବେଦନ କରିଛନ୍ତି। ଏହି ନିୟମ ରବିବାର ବ୍ୟତୀତ ସପ୍ତାହର ଅନ୍ୟ ଦିନଗୁଡ଼ିକରେ ସକାଳ ୮ଟାରୁ ରାତି ୮ଟା ଯାଏ ଲାଗୁ ହେବ। ଦିଲ୍ଲୀରେ ଯୁଗ୍ମ ଅଯୁଗ୍ମ ନିୟମ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ। ଅନ୍ୟ ରାଜ୍ୟରୁ ଦିଲ୍ଲୀ ଆସୁଥିବା ଯାନବାହନ ପାଇଁ ମଧ୍ୟ ଏହି ନିୟମ ଲାଗୁ ହେବ। ଅନ୍ୟ ପକ୍ଷରେ, କେବଳ ମହିଳା ଓ ୧୨ ବର୍ଷରୁ କମ୍‌ ବୟସର ପିଲାଙ୍କୁ ନେଇ ମହିଳା ଚାଳକ ଚଳାଉଥିବା ଚାରି ଚକିଆ ଯାନ ଏହି ନିୟମରୁ ବାଦ୍‌ ପଡ଼ି‌ବେ। ଯୁଗ୍ମ-ଅଯୁଗ୍ମ ନିୟମ ଉଲ୍ଲଂଘନକାରୀଙ୍କୁ ୪ ହଜାର ଟଙ୍କା ଜୋରିମାନା କରାଯିବାର ବ୍ୟବସ୍ଥା ରହିଛି।
ସୂଚନାଯୋଗ୍ୟ, ଏହି ନିୟମର ପୂର୍ବ ସଂସ୍କରଣମାନଙ୍କରେ ଉଲ୍ଲଂଘନକାରୀଙ୍କ ପାଇଁ ୨ ହଜାର ଟଙ୍କା ଜୋରିମାନାର ବ୍ୟବସ୍ଥା ଥିଲା। ପୂର୍ବରୁ ଲାଗୁ କରାଯାଇଥିବା ଯୁଗ୍ମ-ଅଯୁଗ୍ମ ନିୟମ ଫଳରେ ୧୫ ପ୍ରତିଶତ ପ୍ରଦୂଷଣ ହ୍ରାସ ପାଇଛି ବୋଲି ଚିକାଗୋ ବିଶ୍ବବିଦ୍ୟାଳୟ ପକ୍ଷରୁ କରାଯାଇଥିବା ଏକ ଗବେଷଣାରୁ ଜଣାପଡ଼ିଛି। ପ୍ରଦୂଷଣକୁ ରୋକିବା ପାଇଁ ନଭେମ୍ବର ୪ରୁ ୧୫ ପର୍ଯ୍ୟନ୍ତ ଦିଲ୍ଲୀ ସରକାର ଅତିରିକ୍ତ ୨ ହଜାର ସ୍ବତନ୍ତ୍ର ବସ୍‌ ଚଳାଚଳ ବ୍ୟବସ୍ଥା କରିଛନ୍ତି। ଆଜି ଯୁଗ୍ମ-ଅଯୁଗ୍ମ ନିୟମ ଲାଗୁ ହେବାର ପ୍ରଥମ ଦିନରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ସାଂସଦ ବିଜୟ ଗୋଏଲ ନିୟମ ଭାଙ୍ଗିଛନ୍ତି। ଆଜି ଯୁଗ୍ମ ଦିବସରେ ଦିଲ୍ଲୀ ରାସ୍ତାରେ ପୂର୍ବତନ ‌କେନ୍ଦ୍ରମନ୍ତ୍ରୀଙ୍କ ଅଯୁଗ୍ମ ସଂଖ୍ୟା ଥିବା ଚାରି ଚକିଆ ଯାନ ଗଡ଼ିଥିବାରୁ ତାଙ୍କୁ ଏଥିପାଇଁ ୪ ହଜାର ଟଙ୍କା‌ ଜୋରିମାନା ଦେବାକୁ ପଡ଼ିଥିଲା। ଆଜି ୪ ତାରିଖ ଯୁଗ୍ମ ଦିବସ ଥିବାବେଳେ ଶ୍ରୀ ଗୋଏଲ ଅଯୁଗ୍ମ ସଂଖ୍ୟା ଥିବା ଯାନ ଚଳାଇ ଆସିଥିଲେ। ଆମ୍‌ ଆଦ୍‌ମି ପାର୍ଟି ସମେତ କଂଗ୍ରେସ ଏହି ଘଟଣାକୁ ନିନ୍ଦା କରିଛନ୍ତି। କଂଗ୍ରେସ ନେତା ଅଜୟ ମାକେନ୍‌ ପୂର୍ବତନ କେନ୍ଦ୍ରମନ୍ତ୍ରୀଙ୍କ ଏଭଳି ନିୟମ ଉଲ୍ଲଂଘନ ଘଟଣାର କଡ଼ା ନିନ୍ଦା କରିଛନ୍ତି। ତେବେ ଆଜି ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ସାଇକେଲ୍‌ ଚଳାଇ ବିଧାନସଭାକୁ ଆସି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। ତାଙ୍କ କାର୍‌ର ନମ୍ବର ଅଯୁଗ୍ମ ଥିବାରୁ ସେ ଆଜି ସାଇକେଲ ଚଳାଇ ଆସିଥିଲେ। ତେବେ ଯୁଗ୍ମ-ଅଯୁଗ୍ମ ନିୟମ ଲାଗୁ ପଛର ଯୁକ୍ତି କ’ଣ ବୋଲି ସୁପ୍ରିମ୍‌ କୋର୍ଟ ଜାଣିବାକୁ ଚାହିଁଛନ୍ତି। ବିଚାରପତି ଅରୁଣ ମିଶ୍ର ଦିଲ୍ଲୀ ସରକାରଙ୍କଠାରୁ ଏ ବାବଦରେ ଅଧିକ ଜାଣିବାକୁ ଚାହିଁଛନ୍ତି। ବିଚାରପତି ମିଶ୍ରଙ୍କ କହିବା ଅନୁଯାୟୀ, ଡିଜେଲ୍‌ ଚାଳିତ ଯାନକୁ ନିଷିଦ୍ଧ କରିବା କଥା ବୁଝାପଡୁଛି। ମାତ୍ର, ଯୁଗ୍ମ-ଅଯୁଗ୍ମ ନିୟମ ପ୍ରଦୂଷଣ ରୋକିବାରେ କିଭଳି ସହାୟକ ହେବ ବୋଲି ବିଚାରପତି ମିଶ୍ର ଜାଣିବାକୁ ଚାହିଁଛନ୍ତି।

ସାଇକେଲରେ ଅଫିସ୍‌ ଆସିଲେ ସିସୋଦିଆ

ଲକ୍ଷ୍ନୌ: ଦିଲ୍ଲୀଠାରୁ ୫୫ କିମି ଦୂରରେ ଥିବା ବା‌ଗପତ୍‌ ଏବେ ଭାରତର ସର୍ବାଧିକ ପ୍ରଦୂଷିତ ସହର ଭାବେ ବିବେଚିତ ହୋଇଛି। ଏହି ସହରଟି ପଶ୍ଚିମ ଉତ୍ତରପ୍ରଦେଶରେ ଅବସ୍ଥିତ। କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ ବାଗପତ୍‌ରେ ଆଜି ସକାଳେ ଏକ୍ୟୁଆଇ (ବାୟୁର ଗୁଣବତ୍ତା ସ୍ତର) ଅତି ଶୋଚନୀୟ ଥିଲା। ବିଷ‌ାକ୍ତ ଧୂଳି ଓ ଧୂଆଁରେ ସହରବାସୀ ନାକେଦମ୍‌ ‌ହୋଇପଡ଼ିଛନ୍ତି। ଲୋକମାନେ ବାହାରକୁ ବାହାରିବା ବହୁତ କଷ୍ଟଦାୟକ ହୋଇପଡ଼ିଛି। କିଛି ଲୋକଙ୍କର ଶ୍ବାସକ୍ରିୟାରେ ସମସ୍ୟା ଦେଖାଦେଇଥିବାବେଳେ ଆଉ କିଛି ଲୋକଙ୍କର ଅତ୍ୟଧିକ ପ୍ରଦୂଷଣ ହେତୁ ଆଖି ଆଲର୍ଜିକ୍‌ ହୋଇଥିବା ଜଣାପଡ଼ିଛି। ସେହିପରି ପଶ୍ଚିମ ଉତ୍ତରପ୍ରଦେଶର ହାପୁର, ମିରଟ, ବୁଲନ୍ଦସର ମଧ୍ୟ ପ୍ରଦୂଷିତ। କାନପୁର, ଲକ୍ଷ୍ନୌ ଏବଂ ବାରଣାସୀରେ ପ୍ରଦୂଷଣ ସ୍ତର ଅତି ସାଂଘାତିକ। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗତ ଶୁକ୍ରବାର ଦିନ ପ୍ରଦୂଷଣ ସଂକ୍ରାନ୍ତ ଏକ ବୈଠକ‌େର ଅଧ୍ୟକ୍ଷତା କରିଥିଲେ। କିନ୍ତୁ ବୈଠକରେ ନିଆଯାଇଥିବା କୌଣସି ନିଷ୍ପତ୍ତି ସମ୍ପର୍କରେ ସୂଚନା ଦିଆଯାଇନାହିଁ।

ସମ୍ବନ୍ଧିତ ଖବର