ଇରାନ ବଢ଼ାଇଲା ଭାରତର ଚିନ୍ତା

ଚବାହାର ବନ୍ଦର ପାଇଁ ଚୀନ୍‌, ପାକିସ୍ତାନକୁ ଆହ୍ଵାନ

ନୂଆଦିଲ୍ଲୀ : ଇରାନ୍‌ର ଚବାହାର ବନ୍ଦର ପ୍ରକଳ୍ପରେ ସାମିଲ ହେବା ପାଇଁ ଇରାନ୍‌ ସୋମବାର ପାକିସ୍ତାନ ଓ ଚୀନ୍‌କୁ ଆହ୍ଵାନ କରିବା ଖବର ଭାରତର ଚିନ୍ତା ବଢ଼ାଇଦେଇଛି। ପାକିସ୍ତାନର ଗ୍ଵାଦର ବନ୍ଦରକୁ ଚୀନ୍‌ ବିକଶିତ କରୁଥିବା ପରିପ୍ରେକ୍ଷୀରେ ଭାରତ ମଧ୍ୟ ନିଜର ପ୍ରଭାବ ବିସ୍ତାର ଦର୍ଶାଇବା ଲାଗି ଇରାନ୍‌ର ଏହି ପ୍ରକଳ୍ପକୁ ଏକଚାଟିଆ ଭାବେ ନିର୍ମାଣ କରିବା କଥା ଧରିନେଇଥିଲା। ଏଥିରେ ଆଉ କାହାର ବିଶେଷ କରି ଦୁଇ ପଡ଼ୋଶୀ ଶତ୍ରୁ ରାଷ୍ଟ୍ର ପାକିସ୍ତାନ ଓ ଚୀନ୍‌ର ଭୂମିକା ରହିବନି ବୋଲି ମଧ୍ୟ ଭାରତ ଆଶା ରଖିଥିଲା। ତେବେ ସମ୍ପ୍ରତି ପାକିସ୍ତାନ ଗସ୍ତରେ ଥିବା ଇରାନ ବୈଦେଶିକ ମନ୍ତ୍ରୀ ଜାଭେଦ ଜରିଫ୍‌ ନିଜ ଦେଶର ଏହି ଗୁରୁତ୍ୱପୂର୍ଣ୍ଣ ଚବାହାର ବନ୍ଦର ପ୍ରକଳ୍ପରେ ପାକିସ୍ତାନ ଓ ଚୀନ୍‌କୁ ସାମିଲ କରିବା ଲାଗି ଆହ୍ଵାନ କରିଥିବା ଜଣାଯାଇଛି।

ପାକିସ୍ତାନୀ ଗଣମାଧ୍ୟମରେ ପ୍ରକାଶିତ ଏ ସଂକ୍ରାନ୍ତ ଖବର ଆଫଗାନିସ୍ତାନ ସମେତ କେନ୍ଦ୍ରୀୟ ଏସିଆରେ ଭାରତର ଉପଲବ୍‌ଧିକୁ କ୍ଷୁଣ୍ଣ କରିବାର ଆଶଙ୍କା ଦେଖାଦେଇଛି। ସୂଚନା ଥାଉ କି, ଭାରତକୁ ଆଫଗାନିସ୍ତାନ ଏବଂ କେନ୍ଦ୍ରୀୟ ଏସୀୟ ରାଷ୍ଟ୍ର ସହ ସ୍ଥଳପଥରେ ବାଣିଜ୍ୟ କାରବାର ପାଇଁ ପାକିସ୍ତାନ ହିଁ ପ୍ରତିବନ୍ଧକ ସାଜିଛି। ତେବେ ସେସବୁ ଇଲାକା ସହ ସହଜଲବ୍ଧ ସଡ଼କପଥ ଯାତାୟାତକୁ ବିଚ୍ଛିନ୍ନ କରୁଥିବା ପାରମ୍ପରିକ ଶତ୍ରୁ ରାଷ୍ଟ୍ର ପାକିସ୍ତାନକୁ ଆଡ଼ କରି ସେଠାରେ ପହଞ୍ଚିବା ଲାଗି ଭାରତ ପାଇଁ ଚବାହାର ବନ୍ଦର ହେଉଛି ସର୍ବୋତ୍କଷ୍ଟ ବିକଳ୍ପ ମାଧ୍ୟମ। ତେଣୁ ଇରାନର ସିସ୍ତାନ-ବାଲୁଚିସ୍ତାନ ପ୍ରଦେଶ ଅନ୍ତର୍ଗତ ଏହି ବନ୍ଦରର ଅତ୍ୟାଧୁନିକ ବିକାଶ ପାଇଁ ଭାରତ, ଆଫଗାନିସ୍ତାନ ଏବଂ ଇରାନ ମଧ୍ୟରେ ୨୦୧୬ରେ ତ୍ରିପାକ୍ଷିକ ରାଜିନାମା ସ୍ୱାକ୍ଷରିତ ହୋଇଛି। ଚବାହାର ବନ୍ଦରର ଉନ୍ନତୀକରଣ ଲାଗି ଭାରତ ୫୦ କୋଟି ଆମେରିକୀୟ ଡଲାର ଖର୍ଚ୍ଚ କରିବାକୁ ଗତବର୍ଷ ପ୍ରତିଶ୍ରୁତି ଦେଇଛି।

ସମ୍ବନ୍ଧିତ ଖବର