ଶିକ୍ଷା ସହାୟକଙ୍କୁ ମିଛ ପ୍ରତିଶ୍ରୁତି ଦେଇଛନ୍ତି ସରକାର : ବିଜେପି

ଭୁବନେଶ୍ୱର: ଆନ୍ଦୋଳନରତ ପ୍ରାଥମିକ ଶିକ୍ଷକ ତଥା ଶିକ୍ଷା ସହାୟକଙ୍କୁ ପୁଣି ଥରେ ମିଛ ପ୍ରତିଶ୍ରୁତି ଦେଇ ରାଜ୍ୟ ସରକାର ବିଭ୍ରାନ୍ତ କରିଛନ୍ତି ବୋଲି ଅଭିଯୋଗ କରିଛି ବିଜେପି। ଦଳ ଆରୋପ ଲଗାଇଛି, ରାଜ୍ୟ ସରକାର ନିଜ ପ୍ରାୟୋଜିତ ଲୋକଙ୍କ ସହାୟତାରେ ବିଭିନ୍ନ ଆନ୍ଦୋଳନ ଚଳାଉଛନ୍ତି। ପୂର୍ବରୁ ଅଙ୍ଗନବାଡ଼ି, ଠିକା ନର୍ସ, ଜିଆର୍‌ଏସ୍‌ମାନଙ୍କୁ ବିଭ୍ରାନ୍ତ କରିବା ପାଇଁ ନିଜ ନିଜ ଦଳୀୟ ଲୋକଙ୍କୁ ଧରି ପ୍ରାୟୋଜିତ ଭାବେ ସରକାର ଚେଷ୍ଟା କରିଆସୁଛନ୍ତି। ଗତକାଲିର ଘୋଷଣା ମଧ୍ୟ ସେହିପରି ହୋଇଛି।  ଦଳର ସାଧାରଣ ସମ୍ପାଦକ ପୃଥ୍ଵୀରାଜ ହରିଚନ୍ଦନ କହିଛନ୍ତି, ରାଜ୍ୟ ସରକାରଙ୍କ ନୈତିକ ଦାୟିତ୍ୱ ହେଉଛି ଶିକ୍ଷା ପ୍ରଦାନ କରିବା। ମାତ୍ର ଏହି ପ୍ରସଙ୍ଗରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ଦୀର୍ଘ ୧୮ ବର୍ଷର ନିରଙ୍କୁଶ ଶାସନ ପରେ ରାଜ୍ୟ ସରକାର ସ୍ୱଚ୍ଛ ଓ ବ୍ୟବସ୍ଥିତ ଶିକ୍ଷା ବ୍ୟବସ୍ଥା ପ୍ରଚଳନ କରିପାରିଲେ ନାହିଁ। ବର୍ତ୍ତମାନ ରାଜ୍ୟରେ ୪୦ ହଜାରରୁ ଅଧିକ ଶିକ୍ଷକ ପଦବି ଖାଲି ଥିଲେ ମଧ୍ୟ ସରକାର ସେଗୁଡ଼ିକୁ ପୂରଣ କରିପାରିଲେ ନାହିଁ। ରାଜ୍ୟରେ ଥିବା ସ୍କୁଲ୍‌ଗୁଡ଼ିକରେ ଉପଯୁକ୍ତ ପାଠପଢ଼ା ବାତାବରଣର ଅଭାବ, ଶ୍ରେଣୀ ଗୃହ ଏବଂ ଶିକ୍ଷକମାନଙ୍କ ଅଭାବ ଆଦି ପ୍ରସଙ୍ଗ ରାଜ୍ୟ ସରକାରଙ୍କ ବିଫଳତାକୁ ପଦାରେ ପକାଇଛି।

ସମ୍ବନ୍ଧିତ ଖବର