ଆମେରିକା ରାଷ୍ଟ୍ରପତି ପଦ ଦୌଡ଼ରେ କମ୍‌ଲା ହାରିସ୍‌

ୱାସିଂଟନ୍‌: ଭାରତୀୟ ବଂଶୋଦ୍ଭବ ସିନେଟର କମ୍‌ଲା ହାରିସ୍‌ ଆସନ୍ତା ୨୦୨୦ ଆମେରିକା ରାଷ୍ଟ୍ରପତି ନିର୍ବାଚନ ପ୍ରାର୍ଥୀ ଦୌଡ଼ରେ ସାମିଲ ହୋଇଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କର ଜଣେ ଦୃଢ଼ ସମାଲୋଚକ କମ୍‌ଲା ହାରିସ୍‌ ଯଦି ନିର୍ବାଚନରେ ପ୍ରାର୍ଥୀ ହୁଅନ୍ତି ଏବଂ ବିଜୟ ଲାଭ କରନ୍ତି ତେବେ ସେ ପ୍ରଥମ ମହିଳା ରାଷ୍ଟ୍ରପତି ହେବେ । ଏହି ୫୪ ବର୍ଷୀୟା ସିନେଟର ପଞ୍ଚମ ଡେମୋକ୍ରାଟ୍‌ ଭାବେ ରାଷ୍ଟ୍ରପତି ନିର୍ବାଚନ ଦୌଡ଼ରେ ସାମିଲ ହୋଇଛନ୍ତି। କାଲିଫର୍ଣ୍ଣିଆ ଆଟର୍ଣ୍ଣି ଜେନେରାଲ ନିର୍ବାଚିତ ହେବା ପୂର୍ବରୁ ସେ ୨ଥର ସାନ୍ ଫ୍ରାନ୍‌ସିସ୍କୋର ଜିଲ୍ଲା ଆଟର୍ଣ୍ଣି ଥିଲେ। ଆଜି ଟ୍ବିଟର୍‌ରେ ଭିଡିଓ ପୋଷ୍ଟ୍‌ କରି କମ୍‌ଲା ହାରିସ୍‌ ନିର୍ବାଚନ ଲଢ଼ିବେ ବୋଲି ପ୍ରକାଶ କରିଛନ୍ତି। ନ୍ୟାୟ ଏବଂ ସମାନତା ପାଇଁ ଲଢ଼େଇ କରୁଥିବା ହାରିସ୍‌ ଆସନ୍ତା ୨୭ ତାରିଖରୁ ଓକ୍‌ଲାଣ୍ଡ୍‌ରୁ ପ୍ରଚାର ଅଭିଯାନ ଆରମ୍ଭ କରିବାର ଯୋଜନା କରିଛନ୍ତି। ଉଭୟ ଜାମାଇକା ଏବଂ ଭାରତୀୟ ପ୍ରବାସୀଙ୍କ କନ୍ୟା ହାରିସ୍‌ ଆଜି ଏବିସିର ‘ଗୁଡ୍‌ ମର୍ଣ୍ଣିଂ ଆମେରିକା’ରେ ଏନେଇ ଘୋଷଣା କରିଛନ୍ତି। ପୂର୍ବରୁ ଅନ୍ୟଜଣେ ଭାରତୀୟ ବଂଶୋଦ୍ଭବ ତୁଲ୍‌ସୀ ଗବାର୍ଡ ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥୀ ଦୌଡ଼ରେ ସାମିଲ ଥିବା ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର