ଉତ୍ତର ପ୍ରଦେଶର କସଗଞ୍ଜରେ ଚଢ଼ାଉ ବେଳେ ମଦ ମାଫିଆଙ୍କ ଗୁଳିରେ କନେଷ୍ଟବଳ ନିହତ, ଏସ୍‌ଆଇ ଆହତ

କସଗଞ୍ଜ: ଉତ୍ତର ପ୍ରଦେଶର କସଗଞ୍ଜ ଅଞ୍ଚଳରେ ମଙ୍ଗଳବାର ରାତିରେ କେତେକ ଦୁର୍ବୃତ୍ତ ଜଣେ ପୁଲିସ କନେଷ୍ଟବଳଙ୍କୁ ହତ୍ୟା କରିବା ସହ ଜଣେ ସବ୍‌-ଇନ୍‌ସ୍‌ପେକ୍ଟର୍‌ଙ୍କୁ ଆହତ କରିଛନ୍ତି। ସମ୍ପୃକ୍ତ ଅଞ୍ଚଳରେ ଥିବା ଏକ ବେଆଇନ ମଦ କାରଖାନରେ ଚଢ଼ାଉ କରିବା ନିମନ୍ତେ ପୁଲିସମାନେ ଯାଇଥିଲେ।

ନିହତ କନେଷ୍ଟବଳଙ୍କ ନାମ ଦେବେନ୍ଦ୍ର ହୋଇଥିବା ବେଳେ ଆହତ ଏସ୍‌ଆଇଙ୍କ ନାମ ଅଶୋକ କୁମାର ବୋଲି ଜଣାପଡ଼ିଛି।

ପ୍ରାପ୍ତ ସୂଚନା ଅନୁସାରେ, ମଦ ମାଫିଆମାନେ ପୁଲିସମାନଙ୍କୁ କାବୁ କରିବା ସହ ସେମାନଙ୍କୁ ଆକ୍ରମଣ କରିଥିଲେ। କୁହାଯାଉଛି, ପୁଲିସମାନଙ୍କୁ ବିବସ୍ତ୍ର କରାଯାଇ ବାଡ଼ି ଓ ଅନ୍ୟାନ୍ୟ ଅସ୍ତ୍ରରେ ଆକ୍ରମଣ କରାଯାଇଥିଲା।

ଏ ସଂକ୍ରାନ୍ତରେ ସୂଚନା ପାଇବା ପରେ ଅତିରିକ୍ତ ଫୋର୍ସ ଧରି ପୁଲିସ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଚଢ଼ାଉ କରିଥିବା ପୁଲିସ କର୍ମଚାରୀମାନଙ୍କ ସନ୍ଧାନ ପାଇବା ନିମନ୍ତେ ତଲାସ ଅଭିଯାନ ଆରମ୍ଭ ହୋଇଥିଲା।

ଶେଷରେ ସେମାନଙ୍କୁ ସାଙ୍ଘାତିକ ଆହତ ଅବସ୍ଥାରେ ସିଦ୍ଧପୁର ଥାନା ଅନ୍ତର୍ଗତ ନାଗଲ ଧିମର ଗାଁ ନିକଟ କ୍ଷେତରୁ ଉଦ୍ଧାର କରାଯାଇ ସ୍ଥାନୀୟ ଡାକ୍ତରଖାନାକୁ ନିଆଯାଇଥିଲା। କିନ୍ତୁ, ଆହତ କନେଷ୍ଟବଳଜଣଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା।

Image Courtesy of NDTV

ଏସ୍‌ଆଇ ଅଶୋକ କୁମାରଙ୍କ ଚିକିତ୍ସା ନିମନ୍ତେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିର୍ଦେଶ ଦେବା ସହ କନେଷ୍ଟବଳ ଦେବେନ୍ଦ୍ରଙ୍କ ପରିବାରବର୍ଗଙ୍କ ଲାଗି ୫୦ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ଓ ପରିବାରର ଜଣକୁ ସରକାରୀ ଚାକିରି ଦେବା ନିମନ୍ତେ ଘୋଷଣା କରିଛନ୍ତି।

ଏହା ବ୍ୟତିରେକେ, କସଗଞ୍ଜରେ ପୁଲିସ କର୍ମଚାରୀଙ୍କୁ ଅପହରଣ କରିଥିଲେ ବୋଲି କୁହାଯାଉଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିର୍ଦେଶ ଦେଇଛନ୍ତି। ‘ନ୍ୟାସ୍‌ନାଲ୍‌ ସିକ୍ୟୁରିଟି ଆକ୍ଟ୍‌’ ଅନୁଯାୟୀ ଅପରାଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

ପରିସ୍ଥିତିର ସମୀକ୍ଷା କରିବା ଲାଗି ଏଡିଜି ଅଜୟ କସଗଞ୍ଜ ଅଭିମୁଖେ ଯାଇଛନ୍ତି।

ଜିଲ୍ଲା ମାଜିଷ୍ଟ୍ରେଟ୍‌ ଚନ୍ଦ୍ର ପ୍ରକାଶ ସିଂହ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ବ୍ୟକ୍ତିଗତ ଭାବେ ଉକ୍ତ ଘଟଣାର ଅନୁଧ୍ୟାନ କରୁଛନ୍ତି। ଅପରାଧୀମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ସେ ଆମକୁ ନିର୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର