ମୁମ୍ବାଇର ପୂର୍ବତନ ପୁଲିସ ମୁଖ୍ୟ ପରମ ବୀର ସିଂଙ୍କୁ ‘ଘୋଷିତ ଅପରାଧୀ’ ଘୋଷଣା କଲେ ଅଦାଲତ

ମୁମ୍ବାଇ: ମୁମ୍ବାଇର ଏକ ଅଦାଲତ ବୁଧବାର ମୁମ୍ବାଇର ପୂର୍ବତନ ପୁଲିସ ମୁଖ୍ୟ ପରମ ବୀର ସିଂଙ୍କୁ ‘ଘୋଷିତ ଅପରାଧୀ’ ରୂପେ ଘୋଷଣା କରିଛନ୍ତି। ମୁମ୍ବାଇ ପୁଲିସ ଦ୍ୱାରା ଦାଖଲ ହୋଇଥିବା ଏକ ଆବେଦନ ଉପରେ ଶୁଣାଣି କରି ବୁଧବାର ମୁମ୍ବାଇର ଏକ ମାଜିଷ୍ଟ୍ରେଟ ଅଦାଲତ ପୂର୍ବତନ ପୁଲିସ କମିଶନର ପରମ ବୀର ସିଂଙ୍କୁ ଘୋଷିତ ଅପରାଧୀ ବୋଲି ଘୋଷଣା କରିଛନ୍ତି।

ଉଲେଖଯୋଗ୍ୟ, ପରମ ବୀର ସିଂଙ୍କ ବିରୋଧରେ ଗୋରେଗାଓଁ ଦାଦାବଟି ଆଦାୟ ମାମଲାର ତଦନ୍ତ କରୁଥିବା ମୁମ୍ବାଇ ପୁଲିସ କ୍ରାଇମବ୍ରାଞ୍ଚ ମାଜିଷ୍ଟ୍ରେଟ ସୁଧୀର ଭାଜିପାଲେଙ୍କ ଅଦାଲତରେ ଏକ ଆବେଦନ ଆଗତ କରି ପୂର୍ବତନ ପୁଲିସ ମୁଖ୍ୟଙ୍କୁ ଘୋଷିତ ଅପରାଧୀ ଘୋଷିତ କରିବାକୁ ନିବେଦନ କରିଥିଲା।

ଆଗତ ଆବେଦନରେ ଦର୍ଶାଯାଇ ଥିଲା ଯେ ଜାମିନ ବିହୀନ ଗିରଫ ପରଓ୍ଵାନା (ଓ୍ଵାରେଣ୍ଟ) ଜାରି ହେବା ସତ୍ତ୍ୱେ ଅଭିଯୁକ୍ତ ନିଖୋଜ ଅଛନ୍ତି। ତେଣୁ, ତାଙ୍କୁ ଅପରାଧୀ ଭାବରେ ଘୋଷଣା କରାଯିବା ଉଚିତ ଏବଂ ଫେରାର ଅଭିଯୁକ୍ତଙ୍କ ପାଇଁ ଘୋଷଣାନାମା ଜାରି କରିବା ଏବଂ ଏକ ପଦକ୍ଷେପ ଭାବରେ ସେମାନଙ୍କ ସମ୍ପତ୍ତି ସଂଲଗ୍ନ କରିବା ପାଇଁ ଅଦାଲତ ପଦକ୍ଷେପ ଆରମ୍ଭ କରିବା ଉଚିତ୍‌। ଅପରାଧିକ ପ୍ରକ୍ରିୟା ସଂହିତା (ସିଆରପିସି)ର ଧାରା ୮୨ ଏବଂ ୮୩ ଅନୁଯାୟୀ ଅନୁସନ୍ଧାନ ପାଇଁ ସେମାନଙ୍କର ଉପସ୍ଥିତି ସୁନିଶ୍ଚିତ କରିବା ଦିଗରେ ଏହା କରାଯିବାର ଆବଶ୍ୟକତା ରହିଛି।
ଧାରା ୮୨ରେ ଦର୍ଶାଯାଇଛି ଯେ ଯଦି କୌଣସି ବ୍ୟକ୍ତିଙ୍କ ବିରୁଦ୍ଧରେ ୱାରେଣ୍ଟ ଜାରି କରାଯାଇଛି, ଆଉ ସେ ଫେରାର ହୋଇଯାଇଛନ୍ତି କିମ୍ବା ନିଜକୁ ଲୁଚାଇ ରଖିଛନ୍ତି ଯାହା ଦ୍ୱାରା ଏପରି ୱାରେଣ୍ଟ କାର୍ଯ୍ୟକାରୀ ହୋଇପାରିବ ନାହିଁ, ତେବେ ଏହିପରି ପରିସ୍ଥିତିରେ ଅଦାଲତ ଏକ ଲିଖିତ ଘୋଷଣାନାମା ପ୍ରକାଶ କରିପାରନ୍ତି।

ସମ୍ବନ୍ଧିତ ଖବର