ଗାଜିଆବାଦ୍‌ରେ ଅଭାବନୀୟ କାଣ୍ଡ: ପୁଅ, ଝିଅଙ୍କୁ ହତ୍ୟା ପରେ ଦମ୍ପତିଙ୍କ ଆତ୍ମହତ୍ୟା

ଠକାମିର ଶିକାର ହୋଇଥିଲେ, ମ୍ୟାନେଜର ବି ଆତ୍ମହତ୍ୟା କଲେ

ଗାଜିଆବାଦ୍‌: ଗାଜିଆବାଦ୍‌ରେ ଆଜି ଏକ ଅଭାବନୀୟ ଘଟଣାକ୍ରମରେ ଜଣେ ଫ୍ୟାକ୍ଟ୍ରି ମାଲିକ ଏବଂ ତାଙ୍କ ପତ୍ନୀ ସେମାନଙ୍କ ପୁଅ, ଝିଅଙ୍କୁ ଗଳା କାଟି ହତ୍ୟା କରିବା ପରେ ଆଠ ମହଲା ବାଲକୋନିରୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ସେମାନଙ୍କ ସହ ଅନ୍ୟ ଜଣେ ମହିଳା (ଫ୍ୟାକ୍ଟ୍ରି ମ୍ୟାନେଜର୍) ମଧ୍ୟ ଆତ୍ମହତ୍ୟା କରିଦେଇଛନ୍ତି। ଗାଜିଆବାଦ୍‌ର ଇନ୍ଦିରାପୁରମ ସ୍ଥିତ ବୈଭବ ଖଣ୍ଡ ଅଞ୍ଚଳରେ ଆଜି ଭୋର୍‌ ୫ଟାରେ ଏହି ଘଟଣା ଘଟିଛି। ମୃତକମାନେ ହେଉଛନ୍ତି ଗୁଲସନ୍‌ ବସୁଦେବ (୪୫) , ତାଙ୍କ ପତ୍ନୀ ପରବୀନ , ୧୨ ବର୍ଷର ଝିଅ, ୧୧ ବର୍ଷର ପୁଅ। ଆତ୍ମହତ୍ୟା କରିଥିବା ଅନ୍ୟ ଜଣେ ମହିଳା ଗତ ୫ ବର୍ଷ ଧରି ଗୁଲ୍‌ସନ୍‌ଙ୍କ ଜିନ୍ସ୍‌ ଫ୍ୟାକ୍ଟ୍ରିରେ ମ୍ୟାନେଜର ଭାବେ କାମ କରୁଥିଲେ।‌ ସୁଇସାଇଡ୍‌ ‌ନୋଟ୍‌ରୁ ଜଣାପଡ଼ିଛି ଯେ ସେମାନେ ଆର୍ଥିକ ସଙ୍କଟ ପାଇଁ ଏଭଳି ଚରମ ପଦକ୍ଷେପ ନେଇଛନ୍ତି। ପୁଲିସ ସୁଇସାଇଡ୍‌ ନୋଟ୍‌ ଆଧାରରେ କରିଥିବା ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି ଯେ ରାକେଶ ବର୍ମା ନାମକ ଜଣେ ସଂପର୍କୀୟ ଗୁଲ୍‌ସନ୍‌ଙ୍କୁ ୨ କୋଟି ଟଙ୍କା ଫେରାଇବାର ଥିଲା। ତେବେ ଏହି ଟଙ୍କା ବାବଦରେ ରାକେଶ ଦେଇଥିବା ଚେକ୍‌ ବାଉନ୍ସ୍‌ ହେବାପରେ ଏହାକୁ ନେଇ ଗୁଲ୍‌ସନ୍‌ଙ୍କ ପରିବାର ଏବଂ ବ୍ୟବସାୟରେ ବଡ଼ ସମସ୍ୟା ଉପୁଜିଥିଲା। ଠକାମିର ଶିକାର ହୋଇଥିବାରୁ ଗୁଲ୍‌ସନ୍‌ ଏଭଳି ପଦକ୍ଷେପ ନେଇଥିବା ଜଣାପଡ଼ିଛି। ପୁଲିସ ମଧ୍ୟ ସେମାନଙ୍କ ବାସଭବନରୁ କିଛି ଟଙ୍କା ପାଇଛି। ଏହି ଅର୍ଥକୁ ଗୁଲସନ ପରିବାରର ଅନ୍ତିମ ସଂସ୍କାର ପାଇଁ ରଖିଥିଲେ ବୋଲି ଏକ ନୋଟ୍‌ରେ ଉଲ୍ଲେଖ କରିଛନ୍ତି। ସୂଚନାନୁଯାୟୀ ଆଜି ଭୋର୍‌ ସମୟରେ ଗୁଲ୍‌ସନ୍‌ ତାଙ୍କର ଜ‌ଣେ ବନ୍ଧୁ ରମେଶଙ୍କୁ ଭିଡିଓ କଲ୍‌ କରିଥିଲେ। ଏହି ସମୟରେ ସେ ତାଙ୍କ ପୁଅ ଝିଅଙ୍କୁ ରମେଶଙ୍କୁ ଦେଖାଇଥିଲେ। ରମେଶ କିଛି ଅଘଟଣ ଘଟିଥିବା ଆଶଙ୍କା କରି ଖବର ନେବା ବେଳକୁ ସେମାନେ ଆତ୍ମହତ୍ୟା କରିସାରିଥିଲେ।

ଗାଜିଆବାଦ୍‌ ପୁଲିସ ଉକ୍ତ ମାମଲାରେ ମୁଖ୍ୟ ଅଭିଯୁକ୍ତ ରାକେଶ ବର୍ମାଙ୍କୁ କୋଲକାତାରେ ଠାବ କରିଛି। ଗାଜିଆବାଦ୍‌ ପୁଲିସ ଏବେ କୋଲକାତା ପୁଲିସ ସହାୟତାରେ ରାକେଶ ବର୍ମାଙ୍କ ପରିବାର ସଦସ୍ୟଙ୍କୁ ଜେରା କରୁଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର