ସୀମାରେ ମୁତୟନ ହେବ ଆମେରିକା ନିର୍ମିତ ହାଓ୍ଵିଜର ତୋପ, ୫୦ କିମି ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିପାରିବ

ନୂଆଦିଲ୍ଲୀ : ଆଜି ଚୀନ ଓ ଭାରତୀୟ ସେନା ମଧ୍ୟରେ ଚାଲିଥିବା କଥାବାର୍ତ୍ତା ସଫଳ ହୋଇଛି ଓ ଦୁଇପକ୍ଷ ପଛକୁ ଫେରିବାକୁ ରାଜି ହୋଇଛନ୍ତି । ଏହା ସତ୍ତ୍ୱେ ଭାରତ ଚୀନ ଉପରେ ଭରସା କରିପାରୁନାହିଁ । ଗତ ଥର ଭଳି କଥାବାର୍ତ୍ତା କରିବା ଚୀନର ଏକ ଚାଲ ନୁହେଁ ତ ?

ଏହାକୁ ଦୃଷ୍ଟିରେ ରଖି ଭାରତୀୟ ସେନା ପ୍ରକୃତ ନିୟନ୍ତ୍ରଣ ରେଖା ଓ ଅନ୍ତର୍ଜାତୀୟ ସୀମାରେ ସୈନ୍ୟ ଠୁଳ କରିବାରେ ଲାଗିଛି । ଏହା ସହିତ ବାୟୁସେନାକୁ ମଧ୍ୟ ପ୍ରସ୍ତୁତ ରଖାଯାଇଛି । ସୀମାରେ ଜାଗୁଆର, ସୁଖୋଇ ଓ ଆପାଚେ ଲଢୁଆ ହେଲିକାପ୍ଟର ମୁତୟନ କରାଯାଇଛି । ସେନାଧ୍ୟକ୍ଷ ଜେନେରାଲ ମନୋଜ ମୁକୁନ୍ଦ ନାରାଓ୍ଵାଣେ ଆଜି ଦୁଇଦିନିଆ ଲେହ ଗସ୍ତରେ ଯାଇ ଭାରତୀୟ ସେନାର ପ୍ରସ୍ତୁତିର ସମୀକ୍ଷା କରିଛନ୍ତି । ଏବେଚୀନ ସେନାର ମୁକାବିଲା ପାଇଁ ଆଉ ଏକ ପଦକ୍ଷେପ ନେଇଛି ଭାରତୀୟ ସେନା । ପ୍ରକୃତ ନିୟନ୍ତ୍ରଣ ରେଖା ନିକଟରେ ଆମେରିକା ନିର୍ମିତ ଏମ-୭୭୭ ହାଓ୍ଵିଜର ଗନ ମୁତୟନ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏଥିରେ ଲାଗୁ ଥିବା ଗୋଳା ବା ଏକ୍ସକାଲିବର ପ୍ରେସିସନ ଗାଇଡେଡ୍‌ ଆମ୍ୟୁନିସନ ପାଇଁ ଭାରତ ଆମେରିକା ନିକଟରେ ଏକ ଅର୍ଡର ଦେଇଛି । ଗତ ୧୯ ତାରିଖରେ ଜରୁରୀକାଳୀନ ଭିତ୍ତିରେ ଏହି ଅର୍ଡର ଦିଆଯାଇଛି ଓ ସେଗୁଡ଼ିକ ଆସନ୍ତା କିଛିଦିନ ମଧ୍ୟରେ ଭାରତରେ ପହଞ୍ଚିବ ।

ଏହି ଏକ୍ସକାଲିବର ଗୋଳା ହାଓ୍ଵିଜର ଗନ ମାଧ୍ୟମରେ ନିକ୍ଷେପ କରାଯିବା ପରେ ପ୍ରାୟ ୪୦-୫୦ କିମି ଦୂର ପର୍ଯ୍ୟନ୍ତ ଯାଇ ବିସ୍ଫୋରଣ କରିପାରିବ । ଆମେରିକା ନିର୍ମିତ ଏହି ତୋପ ନିର୍ଭୁଲଭାବେ ଲକ୍ଷ୍ୟଭେଦ କରିଥାଏ । ସୀମାରେ ଏହି ତୋପ ଲାଗିବା ପରେ ଭାରତୀୟ ସେନାର କ୍ଷମତା ବୃଦ୍ଧି ପାଇବ ।

ସମ୍ବନ୍ଧିତ ଖବର