ନିର୍ଭୟାଙ୍କୁ ନ୍ୟାୟ : ୭ ବର୍ଷ ପ୍ରତୀକ୍ଷାର ଅନ୍ତ, ଫାଶୀରେ ଝୁଲିଲେ ୪ ଦୋଷୀ

ନୂଆଦିଲ୍ଲୀ : ଦୀର୍ଘ ୭ ବର୍ଷର ପ୍ରତୀକ୍ଷା ପରେ ନିର୍ଭୟାଙ୍କୁ ଆଜି ନ୍ୟାୟ ମିଳିଛି। ୨୦୧୨ ଦିଲ୍ଲୀ ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୪ ଦୋଷୀଙ୍କୁ ଆଜି ଭୋର୍‌ ୫ଟା ୩୦ରେ ଫାଶୀ ଖୁଣ୍ଟରେ ଝୁଲାଇ ଦିଆଯାଇଛି। ଦୋଷୀ ବିନୟ କୁମାର ଶର୍ମା, ପବନ କୁମାର ଗୁପ୍ତା, ମୁକେଶ ସିଂହ ଏବଂ ଅକ୍ଷୟ କୁମାର ସିଂହଙ୍କୁ ତିହାର ଜେଲ୍‌ରେ ଫାଶୀ ଦିଆଯାଇଛି। ଫାଶୀ ପରେ ଦୋଷୀଙ୍କ ଶବକୁ ପୋଷ୍ଟମର୍ଟମ ପାଇଁ ଦୀନ୍‌ଦୟାଲ ଉପାଧ୍ୟାୟ ହସ୍ପିଟାଲକୁ ନିଆଯାଇଥିଲା। ଜେଲ୍‌ ମାନୁଆଲ ଏବଂ ସୁପ୍ରିମ୍‌ କୋର୍ଟଙ୍କ ଆଦେଶ ଅନୁଯାୟୀ ପୋଷ୍ଟମର୍ଟମ କରାଯିବା ପରେ ଶବକୁ ଶେଷକୃତ୍ୟ ପାଇଁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।

ନିର୍ଭୟାଙ୍କ ଦୋଷୀମାନେ ଫାଶୀରୁ ବର୍ତ୍ତିବା ପାଇଁ ବିଭିନ୍ନ ଚାଲ୍‌ ଖେଳିଥିଲେ ଏବଂ ଫାଶୀକୁ ରୋକିବା ପାଇ ଗତ ରାତିରେ ପ୍ରଥମେ ଦିଲ୍ଲୀ ହାଇକୋର୍ଟ ଏବଂ ପରେ ସୁପ୍ରିମ୍‌ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଦିଲ୍ଲୀ ହାଇକୋର୍ଟରେ ଦୋଷୀଙ୍କ ଓକିଲ ଏ.ପି. ସିଂହ କରିଥିବା ଆବେଦନରେ କୌଣସି ନୂଆ ଦଲିଲ୍‌ ନଥିବାରୁ କୋର୍ଟ ଏହାକୁ ଖାରଜ କରିଦେଇଥିଲେ। ଏହାପରେ ଦୋଷୀଙ୍କ ପକ୍ଷରୁ ଏପି ସିଂହ ରାତି ପ୍ରାୟ ୨ଟାରେ ସୁପ୍ରିମ୍‌ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ରାତି ଅଧରେ ଏହି ମାମଲାର ଶୁଣାଣି ହୋଇଥିଲା ଏବଂ ଜଷ୍ଟିସ୍‌ ଆର୍‌. ଭାନୁମତୀଙ୍କ ଖଣ୍ଡପୀଠ ଭୋର୍‌ ସାଢ଼େ ୩ଟାରେ ମାମଲାକୁ ଖାରଜ କରିଥିଲେ। ରାଷ୍ଟ୍ରପତିଙ୍କ ଦ୍ବାରା କ୍ଷମା ଆବେଦନ ନାକଚ ହେବାକୁ ବିରୋଧ କରି ଦୋଷୀଙ୍କ ଓକିଲ କେତେକ ଯୁକ୍ତି ରଖିଥିଲେ ମଧ୍ୟ ଖଣ୍ଡପୀଠ ଏହାକୁ ଅଗ୍ରାହ୍ୟ କରିଦେଇଥିଲେ ଏବଂ କୌଣସି ନୂଆ ତଥ୍ୟ ନଥିବାରୁ ଫାଶୀ ଉପରେ ରୋକ୍‌ ଲାଗି ପାରିବ ନାହିଁ ବୋଲି ରୋକ୍‌ଠୋକ ଶୁଣାଇ ଦେଇଥିଲେ।

ଦିଲ୍ଲୀରେ ୧୬ ଡିସେମ୍ବର ୨୦୧୨ରେ ଘଟିଥିବା ଲୋମହର୍ଷଣକାରୀ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ମୋଟ ୬ ଜଣ ସାମିଲ ଥିଲେ। ଏହି ମାମଲାର ଅନ୍ୟତମ ଦୋଷୀ ରାମ ସିଂହ ୨୦୧୩ରେ ଜେଲ୍‌ରେ ହିଁ ଆତ୍ମହତ୍ୟା କରିଥିଲା। ଅନ୍ୟ ଜଣେ ନାବାଳକ ଦୋଷୀକୁ ସୁଧାର ଗୃହରେ ୩ ବର୍ଷ ରଖିବା ପରେ ତାକୁ ମୁକ୍ତି ଦିଆଯାଇଥିଲା। ଏହା ପରେ ଅନ୍ୟ ୪ ଦୋଷୀ ଅକ୍ଷୟ, ମୁକେଶ, ପବନ ଏବଂ ବିନୟ ଶର୍ମା ଫାଶୀରୁ ବର୍ତ୍ତିବା ପାଇଁ ଅନେକ ପ୍ରୟାସ କରିଥିଲେ। ତେବେ ଦୋଷୀଙ୍କୁ ଫାଶୀ ଖୁଣ୍ଟରେ ପହଞ୍ଚାଇବା ପାଇଁ ନିର୍ଭୟାଙ୍କ ମା’ ସଂଘର୍ଷ ଜାରି ରଖିଥିଲେ ଏବଂ ଦୀର୍ଘ ୭ ବର୍ଷ ପରେ ଆଜି ତାଙ୍କ ଝିଅକୁ ନ୍ୟାୟ ମିଳିଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର