ରାଜଧାନୀରେ ଲାଗୁ ହେଲା ‘ଯୁଗ୍ମ-ଅଯୁଗ୍ମ’, ଜରୁରିକାଳୀନ ସେବା, ଘରୋଇ ଗାଡ଼ି ବାଦ୍

ଭୁବନେଶ୍ବର : କରୋନା ମୁକାବିଲା ପାଇଁ ଭୁବନେଶ୍ବର ମହାନଗର ନିଗମ ତରଫରୁ ଗୋଟିଏ ପରେ ଗୋଟିଏ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି। ବସ୍, ଟ୍ୟାକ୍ସି, ଅଟୋ ଆଦି ଯାତ୍ରୀବାହୀ ଗାଡ଼ି ପାଇଁ ନୂଆ କଟକଣା ଜାରି କରାଯାଇଛି। ଆସନ୍ତାକାଲି (ଶନିବାର)ଠାରୁ ରାଜଧାନୀରେ ‘ଯୁଗ୍ମ-ଅଯୁଗ୍ମ’ ନିୟମ ଲାଗୁ ହେବ ବୋଲି ବିଏମ୍‌ସି କମିସନର ନିର୍ଦ୍ଦେଶ ନାମା ଜାରି କରିଛନ୍ତି। ‘ଅଯୁଗ୍ମ’ ତାରିଖରେ ‘ଅଯୁଗ୍ମ’ ରେଜିଷ୍ଟ୍ରେସନ ନମ୍ବର ଥିବା ଯାତ୍ରୀବାହୀ ଗାଡ଼ି ଓ ‘ଯୁଗ୍ମ’ ତାରିଖରେ ‘ଯୁଗ୍ମ’ ନମ୍ବର ଥିବା ଗାଡ଼ି ଚାଲିପାରିବ ବୋଲି ନିର୍ଦ୍ଦେଶନାମାରେ କୁହାଯାଇଛି। ଘରୋଇ ଗାଡ଼ି, ସରକାରୀ ଗାଡ଼ି, ଜରୁରୀକାଳୀନ ସେବାରେ ନିୟୋଜିତ ଗାଡ଼ି, ଘରୋଇ ହସ୍ପିଟାଲରେ ନିୟୋଜିତ ଗାଡ଼ିରେ ଏହି ନିୟମ ଲାଗୁ ହେବ ନାହିଁ। ଯେଉଁମାନେ ଖିଲାପ କରିବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି।

ଯାତ୍ରୀ ପରିବହନ ବେଳେ ଆବଶ୍ୟକ ଦୂରତ୍ବ ରଖିବା ଉପରେ ଧ୍ୟାନ ଦେବା ପାଇଁ କୁହାଯାଇଛି। ନିୟମ ଉଲ୍ଲଂଘନ କଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସମ୍ବନ୍ଧିତ ଖବର