ସିଲ୍‌ଚର: ତୃଣମୂଳ କଂଗ୍ରେସର ୮ ଜଣ ଛାମୁଆ ନେତାଙ୍କୁ ଆଜି ଆସାମର ସିଲ୍‌ଚର ବିମାନବନ୍ଦରରେ ହଟହଟା ହେବାକୁ ପଡ଼ିଛି। ୫ ଘଣ୍ଟା ଧରି ବିମାନବନ୍ଦରରେ ପୁଲିସ ଦ୍ୱାରା ଅଟକ ରହିବା ପରେ ସନ୍ଧ୍ୟାବେଳେ ସମସ୍ତଙ୍କୁ ଗିରଫ କରାଯାଇଛି। ବିମାନବନ୍ଦରରେ ଆଜି ରାତି କାଟିବେ ବୋଲି ସେମାନେ ଜିଦ୍‌ ଧରିବା ପରେ ବାଧ୍ୟ ହୋଇ ଆସାମ ପୁଲିସ ସମସ୍ତଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ଏହି ପ୍ରସଙ୍ଗ ନେଇ ରାଜ୍ୟସଭାରେ ମଧ୍ୟ ଟିଏମ୍‌ସି ସାଂସଦ ଆଜି ପ୍ରବଳ ହଟ୍ଟଗୋଳ କରିଛନ୍ତି। ଆସାମର ରାଷ୍ଟ୍ରୀୟ ନାଗରିକ ରେଜିଷ୍ଟର (ଏନ୍‌ଆର୍‌ସି) ବିରୋଧରେ ରାଜ୍ୟରେ ଏକ ସଭା କରିବା ପାଇଁ ଏହି ନେତାମାନେ ଆସୁଥିଲେ। ଅପରାହ୍ନ ୨ଟା ବେଳେ ସେମାନେ ଆସି ସିଲ୍‌ଚର ବିମାନବନ୍ଦରରେ ପହଞ୍ଚିଥିଲେ। କିନ୍ତୁ ବିମାନବନ୍ଦରରୁ ସେମାନଙ୍କୁ ବାହାରିବାକୁ ଅନୁମତି ମିଳି ନ ଥିଲା। ଆସାମରେ କୌଣସି ବଡ଼ଧରଣର ସଭା ହେବନାହିଁ ବୋଲି ନିଷ୍ପତ୍ତି ନିଆଯାଇଥିବା ସେମାନଙ୍କୁ ଜିଲ୍ଲା ପୁଲିସ ସୂଚାଇଥିଲା। ଏହାପରେ ଉଭୟଙ୍କ ମଧ୍ୟରେ ଧସ୍ତାଧସ୍ତି ପର୍ଯ୍ୟନ୍ତ କଥା ଯାଇଥିଲା। ଦୀର୍ଘ ସମୟ ଧରି ଅଟକ ରଖାଯିବା ସହ ସେମାନଙ୍କ ଠାରୁ ମୋବାଇଲ୍‌ ଫୋନ୍‌ ଛଡ଼ାଇ ନିଆଯାଇଥିଲା ଏବଂ ମାଡ଼ ମରାଯାଇଥିଲା ବୋଲି ତୃଣମୂଳ ନେତା ଅଭିଯୋଗ କରିଥିଲେ। ଏମିତି କି ଏହାକୁ ଅତି ଜରୁରୀ ପରିସ୍ଥିତି ବୋଲି ଦଳ ସୁପ୍ରିମୋ ମମତା ବାନାର୍ଜୀ ଏବଂ ସାଂସଦ ଡେରେକ୍‌ ଓବ୍ରେନ୍‌ ଦର୍ଶାଇଥିଲେ। ଟିଏମ୍‌ସିର ଏହି ଟିମ୍‌ରେ ସାଂସଦ ଓ ବିଧାୟକ ଥିଲେ। ଟିମ୍‌ରେ ଥିବା ଦଳର ସାଂସଦ ସୁଖେନ୍ଦୁ ଶେଖର ରାୟ କହିଛନ୍ତି, ଆମେ ଅପରାହ୍ନ ୨ଟାରେ ବିମାନବନ୍ଦରରେ ପହଞ୍ଚିଥିଲୁ। କିନ୍ତୁ ପହଞ୍ଚିବା କ୍ଷଣି ପୁଲିସ ଆମ ନିକଟରୁ ସେଲ୍‌ ଫୋନ୍‌ ଛଡ଼ାଇ ନେଇଥିଲା। ଏମିତି କି ଦଳର ମହୁଆ ମୋଇତ୍ର, ମମତାବାଳା ଠାକୁରଙ୍କୁ ଧସ୍ତାଧସ୍ତି କରାଯାଇଥିଲା। ଅନ୍ୟପକ୍ଷରେ ସିଲ୍‌ଚର ପୁଲିସ ଅଭିଯୋଗ କରିଛି ଯେ ତୃଣମୂଳ ନେତାମାନେ ମହିଳା କନେଷ୍ଟବଳଙ୍କୁ ଧସ୍ତାଧସ୍ତି କରିଥିଲେ। ଫଳରେ ସେ ଆହତ ହୋଇଥିଲେ। ପ୍ରମାଣ ସ୍ୱରୂପ ଏହାର ଭିଡିଓ ସେ ଦେଖାଇଥିଲେ। ଭିଡିଓରେ ଟିଏମ୍‌ସି ସାଂସଦ ମହୁଆ ମୋଇତ୍ର ଏହି କାଣ୍ଡ କରିଥିବା ଦେଖିବାକୁ ମିଳିଥିଲା। ଉଲ୍ଲେଖଯୋଗ୍ୟ, ଏନ୍‌ଆର୍‌ସି ଚୂଡ଼ାନ୍ତ ଚିଠା ତାଲିକାରୁ ଆସାମର ୪୦ ଲକ୍ଷ ଲୋକ ବାଦ୍‌ ପଡ଼ିଛନ୍ତି।