ବିଜୁଳି ସଙ୍କଟ ଏଡ଼ାଇବା ପାଇଁ ଯାତ୍ରୀବାହୀ ଟ୍ରେନ୍‌ ବାତିଲ କରି ମାଲଗାଡ଼ି ଚଳାଇଲା ରେଳବାଇ

ନୂଆଦିଲ୍ଲୀ: ବିଜୁଳି ସଙ୍କଟ ଏଡ଼ାଇବାରେ ସହାୟକ ହେବାକୁ ଦେଶର ବିଭିନ୍ନ ପ୍ରାନ୍ତରେ ଥିବା ତାପଜ ବିଜୁଳି ଶକ୍ତି କେନ୍ଦ୍ରଗୁଡ଼ିକୁ ତୁରନ୍ତ କୋଇଲା ପଠାଇବା ପାଇଁ ମାଲ୍‌ବାହୀ ଟ୍ରେନ୍‌ଗୁଡ଼ିକର ଅବାଧ ଚଳାଚଳ ପାଇଁ ଭାରତ କେତେକ ଯାତ୍ରୀବାହୀ ଟ୍ରେନ୍‌ ବାତିଲ କରିଛି।

ଦେଶରେ ଉତ୍କଟ ଗ୍ରୀଷ୍ମ ପ୍ରବାହ ଯୋଗୁଁ ତାପଜ ବିଦ୍ୟୁତ୍‌ କେନ୍ଦ୍ରମାନଙ୍କରେ କୋଇଲାର ଚାହିଦା ବୃଦ୍ଧ ପାଉଛି। ଦେଶର ୭୦% ବିଜୁଳି ତାପଜ ବିଦ୍ୟୁତ୍‌‌ କେନ୍ଦ୍ରରୁ ସୃଷ୍ଟି ହୁଏ। କୋଇଲା ସଙ୍କଟ ଯୋଗୁଁ ତାପଜ ବିଦ୍ୟୁତ୍‌ କେନ୍ଦ୍ରରୁ ଆବଶ୍ୟକ ପରିମାଣର ବିଜୁଳି ଉତ୍ପାଦନ ହୋଇ ପାରୁ ନ ଥିବାରୁ ଦେଶର ଅନେକ ଭାଗରେ ଦୀର୍ଘ ସମୟ ବିଜୁଳି କାଟ ହେବା ସହ କଳକାରଖାନାରେ ଉତ୍ପାଦନ ହ୍ରାସ ପାଉଛି।

Image Courtesy of Business Today

ଭାରତୀୟ ରେଳବାଇର ଅନ୍ୟତମ ଏକ୍ଜିକ୍ୟୁଟିଭ୍‌ ଡାଇରେକ୍ଟର୍‌ ଗୌରବକୃଷ୍ଣ ବଂଶଲ କହିଛନ୍ତି, ସାମୟିକ ଭାବେ ଏ ଭଳି ପଦକ୍ଷେପ ନିଆଯାଇଛି। ପରିସ୍ଥିତି ସ୍ବାଭାବିକ ହେଲେ ଯାତ୍ରୀବାହୀ ରେଳସେବା ପୁଣି ଆରମ୍ଭ ହେବ। ପାୱାର୍‌ ପ୍ଲାଣ୍ଟ୍‌ଗୁଡ଼ିକୁ ଯଥା ସମ୍ଭବ କମ୍‌ ସମୟରେ କୋଇଲା ପଠାଇବାକୁ ରେଳବାଇ ଉଦ୍ୟମ କରୁଛି।

ପାୱାର୍‌ ପ୍ଲାଣ୍ଟ୍‌ଗୁଡ଼ିକର କୋଇଲା ଚାହିଦା ମେଣ୍ଟାଇବା ଲାଗି ଆହୁରି ଅଧିକ ୧୦୦,୦୦୦ ୱାଗନ୍‌ ଚଳାଇବାକୁ ରେଳବାଇ ଯୋଜନା କରୁଛି। ଶୀଘ୍ର ମାଲ୍‌ ପହଞ୍ଚାଇବା ପାଇଁ ‘ଡେଡିକେଟେଡ୍‌ ଫ୍ରେଟ୍‌ କରିଡର୍‌’ ମଧ୍ୟ ନିର୍ମାଣ କରାଯାଉଛି।

ବିଜୁଳି ଚାହିଦା ବୃଦ୍ଧି ପାଇବାରୁ ଭାରତର ଚଳିତ ମାସ ପ୍ରାରମ୍ଭରୁ ପାୱାର୍‌ ପ୍ଲାଣ୍ଟ୍‌ଗୁଡ଼ିକର ରିଜର୍ଭରୁ ୧୭% କୋଇଲା ହ୍ରାସ ପାଇଛି।

ସମ୍ବନ୍ଧିତ ଖବର