କେଜ୍ରିଓ୍ଵାଲ୍‌ଙ୍କ ଘରେ ପୁଲିସ

ବଢ଼ୁଛି ଆପ୍‌-ଅମଲା ବିବାଦ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟ ଶାସନ ସଚିବ ଅଂଶୁ ପ୍ରକାଶଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଆମ୍‌ ଆଦ୍‌ମୀ ପାର୍ଟି(ଆପ୍‌) ବିଧାୟକମାନେ ଆକ୍ରମଣ କରିବା ଘଟଣା ଦିନକୁ ଦିନ ଆହୁରି ଜଟିଳ ହେବାରେ ଲାଗିଛି। ସୋମବାର ରାତିର ସେହି ଅପ୍ରୀତିକର ପରିସ୍ଥିତି ପରଠାରୁ ଦିଲ୍ଲୀ ଅମଲାତନ୍ତ୍ର ଏବଂ ଆପ୍‌ ମଧ୍ୟରେ ବିବାଦର ସମାଧାନ ହେବା ବଦଳରେ ଏହା ବଢ଼ି ଚାଲିଛି। ଆଏଏସ୍‌ ଅଧିକାରୀ ସଂଘ ପକ୍ଷରୁ ଅଭିଯୁକ୍ତ ବିଧାୟକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଶାନ୍ତିପୂର୍ଣ୍ଣ ଦାବି ଜାରି ରହିଛି। ଏଣେ ଅଂଶୁ ପ୍ରକାଶଙ୍କୁ ଆକ୍ରମଣର ପ୍ରମାଣ ଯୋଗାଡ଼ କରିବା ପାଇଁ ଆଜି କେଜ୍ରିଓ୍ଵାଲ୍‌ଙ୍କ ବାସଭବନରେ ଦିଲ୍ଲୀ ପୁଲିସ ଚଢ଼ଉ କରି ୨୧ଟି ସିସିଟିଭି କ୍ୟାମେରାର ରେକର୍ଡିଂକୁ ସାଇତି ରଖିଥିବା ହାର୍ଡଡିସ୍କକୁ ଜବତ କରିଛି। ଅପରପକ୍ଷେ, ମୁଖ୍ୟମନ୍ତ୍ରୀ କେଜ୍ରିଓ୍ଵାଲ୍‌ ସମେତ ଆପ୍‌ ପକ୍ଷରୁ ଦିଆଯାଉଥିବା ବିବାଦୀୟ ବୟାନ ପରିସ୍ଥିତିକୁ ଆହୁରି ଗୋଳିଆ କରିଛି। ବିଜେପିକୁ ସିଧାସଳଖ ଆକ୍ଷେପ କରି କେଜ୍ରିଓ୍ଵାଲ କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ ବିରୋଧରେ ମୁଁ ଲଢ଼ୁଥିବା ବେଳେ ଆପ୍‌ ବିରୋଧରେ କେନ୍ଦ୍ରର ସରକାରୀ ଅଧିକାରୀମାନେ ଲାଗିପଡ଼ିଛନ୍ତି। ସେହିପରି ମୁଖ୍ୟ ସଚିବ ଅଂଶୁ ପ୍ରକାଶଙ୍କ ଭଳି ବ୍ୟକ୍ତି ମାଡ଼ ଖାଇବାକୁ ଯୋଗ୍ୟ ବୋଲି ଆଜି ଏକ ଜନ ସମାବେଶରେ ଆପ୍‌ ବିଧାୟକ ନରେଶ ବାଲ୍ୟାନ୍‌ ବିବୃତି ଦେଇ ନିଆଁରେ ଘିଅ ଢାଳିଛନ୍ତି। ଆଜି ଦିଲ୍ଲୀ ପୁଲିସର ଏକ ୬୦ ଜଣିଆ ଦଳ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ଵାଲ୍‌ଙ୍କ ବାସଭବନରେ ପଶି ଅଂଶୁ ପ୍ରକାଶଙ୍କୁ ଆକ୍ରମଣର ପ୍ରମାଣ ସଂଗ୍ରହ କରିବାକୁ ତନ୍ନ ତନ୍ନ କରି ଖୋଜିଥିଲେ। ଏହି ଦଳରେ ସାଇବର ଅପରାଧ ଏବଂ ଫୋରେନ୍‌ସିକ୍‌ ବିଶେଷଜ୍ଞମାନେ ସାମିଲ ଥିଲେ। ସେଠାରେ ଖଞ୍ଜାଯାଇଥିବା ୨୧ଟି ସିସିଟିଭି କ୍ୟାମେରାର ରେକର୍ଡିଂ ସମ୍ବଳିତ କମ୍ପ୍ୟୁଟର ହାର୍ଡଡିସ୍କକୁ ପୁଲିସ ଜବତ କରିଛି। ସେଥିରୁ ଆକ୍ରମଣର କିଛି ସୁରାକ ମିଳିବ ବୋଲି ପୁଲିସ ଆଶା ରଖିଛି। ତେବେ ଜବତ ବେଳେ ୭ଟି କ୍ୟାମେରା ଚାଲୁନଥିବା ଜଣାପଡ଼ିଛି। ତେବେ କେଉଁ ପରିସ୍ଥିତିରେ ସେସବୁ ବନ୍ଦ ଥିଲା ତାହାର ଖୋଳତାଡ଼ ହେବ ବୋଲି ଅତିରିକ୍ତ ଡେପୁଟି କମିସନର ହରେନ୍ଦ୍ର ସିଂହ କହିଛନ୍ତି। ସେହିପରି ଜବତ କ୍ୟାମେରାଗୁଡ଼ିକ ପାଖାପାଖି ୪୧ ମିନିଟ୍‌ ପଛୁଆ ଚାଲୁଥିବା ଜଣାଯାଇଛି। ମୁଖ୍ୟ ସଚିବ ଅଂଶୁ ପ୍ରକାଶଙ୍କୁ ମଧ୍ୟରାତ୍ରି ୧୨ଟାରୁ ସାଢ଼େ ୧୨ ଭିତରେ ଆକ୍ରମଣ ହୋଇଥିଲା ବୋଲି ସେ ଅଭିଯୋଗ କରିଥିବା ବେଳେ ସିସିଟିଭି ଫୁଟେଜ୍‌ରେ ସେ ରାତି ସାଢ଼େ ୧୧ଟାରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଛାଡୁଥିବାର ଦୃଶ୍ୟ ରହିଛି।

୨୧ ସିସିଟିଭି କ୍ୟାମେରାର ହାର୍ଡଡିସ୍କ ଜବତ
ଅମିତ୍‌ ଶାହଙ୍କ ଘରେ ପୁଲିସ୍‌ କେବେ ପଶିବ?

ଅପରପକ୍ଷେ, କେଜ୍ରିଓ୍ଵାଲ୍‌ଙ୍କ ବାସଭବନରେ ପୁଲିସର ଏପରି ତନଖିରେ ଆପ୍‌ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ପୁଲିସର ଏହା ଦାଦାଗିରି ବୋଲି ଦଳ ଚିନ୍ତା ପ୍ରକଟ କରିବା ସହ କେନ୍ଦ୍ର ସରକାରଙ୍କ ସଖୀ କଣ୍ଢେଇ ସାଜି ଏପରି ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ବେଆଇନ ଭାବେ ଚଢ଼ଉ ଗଣତନ୍ତ୍ର ପ୍ରତି ବିପଦ ଆଣିଥିବା କହିଛି। ସାଧାରଣ ଲୋକଙ୍କ ପାଇଁ କାମ କରୁଥିବା ମୁଖ୍ୟମନ୍ତ୍ରୀଙ୍କୁ ପୁଲିସ ଲଗାଇ ଅପମାନିତ ଏବଂ ହିନସ୍ତା କରିବାକୁ କେନ୍ଦ୍ର ସରକାରଙ୍କ ଏହା ଚାଲ୍‌ ବୋଲି ଆପ୍‌ ନେତା ଆଶୁତୋଷ ଅଭିଯୋଗ ଆଣିଛନ୍ତି। ସେହପରି ଏହି ଘଟଣାରେ କେଜ୍ରିଓ୍ଵାଲ୍‌ ଟ୍ଵିଟ୍‌ କରି ବିଜେପିକୁ ନିଶାଣ କରିଛନ୍ତି। ଦୁଇଟି ଚାପୁଡ଼ାର ପ୍ରମାଣ ଖୋଜିବାକୁ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ପୁଲିସ ପଶି ତନାଘନା କଲା। ତେବେ ସିବିଆଇ ବିଚାରପତି ଜଷ୍ଟିସ ଲୋୟାଙ୍କ ମୃତ୍ୟୁର ପ୍ରମାଣ ଖୋଜିବାକୁ ବିଜେପି ଅଧ୍ୟକ୍ଷ ଅମିତ ଶାହଙ୍କ ଘରେ ପୁଲିସ କେବେ ପଶିବ ବୋଲି ସେ ପ୍ରଶ୍ନ କରିଛନ୍ତି। ତେବେ ଆପ୍‌ର ଅଭିଯୋଗକୁ ଖଣ୍ଡନ କରି ଦିଲ୍ଲୀ ପୁଲିସ ଦାବି କରିଛି ଯେ ମୁଖ୍ୟ ଶାସନ ସଚିବଙ୍କ ଅଭିଯୋଗର ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବାସଭବନରୁ ସିସିଟିଭି ଫୁଟେସ୍‌ ଲୋଡ଼ାଯାଇଥିଲା। ମାତ୍ର କୌଣସି ଉତ୍ତର ନମିଳିବାରୁ ପୁଲିସ ବାଧ୍ୟ ହୋଇ ବାସଭବନ ରକ୍ଷଣାବେକ୍ଷଣ ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ଅବଗତ କରାଇ ଏଭଳି ପଦକ୍ଷେପ ନେଇଛି।

ସମ୍ବନ୍ଧିତ ଖବର