ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ଚୀନ୍‌ ଗସ୍ତ କାଳରେ ‘ବେଜିଂ’କୁ ‘ବେଗିଂ’ ପ୍ରଦର୍ଶିତ କରାଇ ବହିଷ୍କୃତ ହେଲେ ପିଟିଭିର ପରିଚାଳନା ନିର୍ଦ୍ଦେଶକ

ଇସ୍‌ଲାମାବାଦ୍‌: ‘ବେଜିଂ’କୁ ‘ବେଗିଂ’ ଲେଖିବା ପାକିସ୍ତାନ ଟେଲିଭିଜନ କର୍ପୋରେସନ (ପିଟିଭି)ର ପରିଚାଳନା ନିର୍ଦ୍ଦେଶକଙ୍କ ମହଙ୍ଗା ସାବ୍ୟସ୍ତ ହୋଇଛି। ଏହି ଅପରାଧ ପାଇଁ ପାକିସ୍ତାନର ଇମ୍ରାନ୍‌ ଖାନ୍‌ଙ୍କ ସରକାର ଆଜି ଅବିଳମ୍ବେ ତାଙ୍କୁ ତାଙ୍କ ପଦବୀରୁ ବହିଷ୍କାର କରିଥିବା ଜାଣିବାକୁ ମିଳିଛି।

ହସ୍ତଗତ, ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ ପାକିସ୍ତାନର ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହେବା ଭାବେ ଇମ୍ରାନ ଖାନ ତାଙ୍କର ସର୍ବପ୍ରଥମ ବିଦେଶ ଗସ୍ତ ଭାବେ ଚୀନ୍‌ ଗସ୍ତ କରିଛନ୍ତି। ସଂପ୍ରତି ଘୋର ଆର୍ଥିକ ସଙ୍କଟ ମଧ୍ୟ ଦେଇ ଗତି କରୁଥିବା ପାକିସ୍ତାନର ଅର୍ଥ ବ୍ୟବସ୍ଥାକୁ ସୁଧାରିବା ପାଇଁ ଚୀନ୍‌କୁ କିଛି ଆର୍ଥିକ ସହାୟତା ମାଗିବା ହେଉଛି ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ମୂଳ ଓ ମୁଖ୍ୟ ଉଦ୍ଦେଶ୍ୟ। ତେବେ, ଏବେ ଚୀନ୍‌ର ଶାସନ କ୍ଷମତାରେ ଥିବା କମ୍ୟୁନିଷ୍ଟ ପାର୍ଟି ଅଫ୍‌ ଚୀନ୍‌ର ସେଣ୍ଟ୍ରାଲ ପାର୍ଟି ସ୍କୁଲରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଗତ କାଲି ଉଦ୍‌ବୋଧନ ଦେଉଥିବା ବେଳେ ଏହାର ସିଧା ପ୍ରସାରଣ ପିଟିଭି ପକ୍ଷରୁ କରାଯାଉଥିଲା।

ତେବେ, ଟିଭି ପରଦା ଉପରେ ବାମପଟେ ‘ଡେଟ୍‌ଲାଇନ୍‌’ ସ୍ଥାନରେ ‘ବେଜିଂ’ ବଦଳରେ ‘ବେଗିଂ’ ବୋଲି ଲେଖା ଯାଇଥିଲା। ଦୀର୍ଘ ସମୟ ପାଇଁ ଏହା ଚାଲିଥିବା ବେଳେ ଏଥିପ୍ରତି କାହାରି ନଜର ପଡ଼ି ନଥିଲା। ତେବେ, ଏହି ଘଟଣାର ଭିଡିଓ ଚିତ୍ର ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଗତକାଲି ପିଟିଭି ପକ୍ଷରୁ ଟୁଇଟରରେ କ୍ଷମା ପ୍ରାର୍ଥନା କରା ଯାଇଥିଲା।

ହେଲେ, ପିଟିଭିର ଏହି ଅପରାଧ କାଳେ ଚୀନ୍‌ ସହ ପାକିସ୍ତାନର ସଂପର୍କକୁ ତିକ୍ତ କରିବ ଏଇ ଆଶଙ୍କାରେ ଆଜି ପାକିସ୍ତାନର ଇମ୍ରାନ୍‌ ଖାନ୍‌ଙ୍କ ସରକାର ଆଜି ପିଟିଭିର ପରିଚାଳନା ନିର୍ଦ୍ଦେଶକଙ୍କୁ ତାଙ୍କ ପଦବୀରୁ ବହିଷ୍କାର କରିଛନ୍ତି।

ସମ୍ବନ୍ଧିତ ଖବର