ପଞ୍ଜାବ ସୀମା ରଣକ୍ଷେତ୍ର: ଚାଷୀଙ୍କୁ ରବର ବୁଲେଟ୍‌ ମାଡ଼

ଡ୍ରୋନ୍‌ରୁ ଲୁହବୁହା ଗ୍ୟାସ୍‌, ପୁଲିସ ଉପରେ ପଥର ବର୍ଷା

ନୂଆଦିଲ୍ଲୀ: ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ଗ୍ୟାରେଣ୍ଟି ଆଇନ ଓ ଅନ୍ୟାନ୍ୟ ଦାବି ନେଇ ‘ଦିଲ୍ଲୀ ଚଲୋ’ ଅଭିଯାନରେ ପଞ୍ଜାବରୁ ବାହାରିଥିବା ହଜାର ହଜାର ଚାଷୀ ଆଜି ହରିୟାଣା ସୀମା ଶମ୍ଭୁ ଛକରେ ପୁଲିସ ବାହିନୀ ସହ ମୁହାଁମୁହିଁ ହୋଇଛନ୍ତି। ଜାତୀୟ ରାଜଧାନୀରେ ପଦଯାତ୍ରା ପାଇଁ ବାହାରିଥିବା ଚାଷୀମାନେ ହରିୟାଣା ସୀମାରେ ପୁଲିସ ଅବରୋଧକୁ ବଳପୂର୍ବକ ହଟାଇବା ପାଇଁ ଚେଷ୍ଟା କରିବାରୁ ତୁମୁଳ କାଣ୍ଡ ଦେଖିବାକୁ ମିଳିଛି। ଚାଷୀମାନେ ଏକ ପୋଲକୁ ଧ୍ବସ୍ତ କରିବାକୁ ଉଦ୍ୟମ କରିବା ସହ ବ୍ୟାରିକେଡ୍‌ ଭାଙ୍ଗି ଧସେଇ ପଶିବାକୁ ଉଦ୍ୟମ କରିବାରୁ ପୁଲିସ ସହ ମୁହାଁମୁହିଁ ହୋଇଥିଲେ। ଆନ୍ଦୋଳନକାରୀ ଚାଷୀମାନଙ୍କ ଉପରକୁ ଲୁହବୁହା ଗ୍ୟାସ୍ ଏବଂ ରବର ବୁଲେଟ୍ ଓ ପାଣି ମାଡ଼ କରାଯଇଥିଲା। ଆନ୍ଦୋଳନକାରୀମାନେ ଉତ୍ତ୍ୟକ୍ତ ହୋଇ ପୁଲିସ ଉପରକୁ ପଥର ବର୍ଷା କରିବା ସହ ସେଠାରେ ବ୍ୟାପକ ଭଙ୍ଗାରୁଜା କରିଛନ୍ତି।

ପାଖାପାଖି ୨୦୦ଟି ସଂଗଠନ ଏବଂ ପଡ଼ୋଶୀ ହରିୟାଣା, ପଞ୍ଜାବ ଏବଂ ଉତ୍ତରପ୍ରଦେଶର ପ୍ରାୟ ୧୦ ହଜାରରୁ ଅଧିକ ଚାଷୀ ଆଜି ସକାଳେ ଦିଲ୍ଲୀ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ। ରାଜଧାନୀରେ କୌଣସି ଜଟିଳ ଆଇନଶୃଙ୍ଖଳା ସ୍ଥିତି ସୃଷ୍ଟି ହେବାରୁ ରୋକିବା ପାଇଁ ପଞ୍ଜାବ-ହରିୟାଣା ସୀମାରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ତେବେ ଶମ୍ଭୁ ଛକରେ ଟ୍ରାକ୍ଟର ଦ୍ବାରା ବଳପୂର୍ବକ ଅବରୋଧ ହଟାଇବାକୁ ଆନ୍ଦୋଳନକାରୀମାନେ ପ୍ରୟାସ କରିବାରୁ ପୁଲିସ ବାହିନୀ ଡ୍ରୋନ୍‌ ଦ୍ବାରା ଟିୟର୍‌ ଗ୍ୟାସ୍‌ ସେଲ୍‌ ଓ ଧୂଆଁ ବୋମା ପ୍ରୟୋଗ କରିଥିଲା। ଏହାପରେ ଆନ୍ଦୋଳନକାରୀମାନେ ଏକ ବ୍ରିଜ୍‌କୁ ନଷ୍ଟ କରିବା ଆରମ୍ଭ କରିବା ସହ ପୁଲିସ ଉପରେ ଆକ୍ରମଣ ଆରମ୍ଭ କରିଦେଇଥିଲେ। ପରିସ୍ଥିତି ନିୟନ୍ତ୍ରଣ ପାଇଁ ଚାଷୀମାନଙ୍କ ଉପରେ ଦୁଇ ଡଜନରୁ ଅଧିକ ରବର ବୁଲେଟ୍‌ ମାଡ଼ କରାଯାଇଥିଲା। ପୁଲିସ-ଆନ୍ଦୋଳନକାରୀ ସଂଘର୍ଷରେ ୧୩ ଜଣ ଆହତ ହୋଇଥିବା ଜଣାପଡ଼ିଛି। ହଜାର ହଜାର ଚାଷୀ ଚାଷ ଜମି ଭିତର ଦେଇ ଆଗକୁ ବଢ଼ିବା ସହ ପୁଲିସ ଉପରକୁ ବିଭିନ୍ନ ଦିଗରୁ ଟେକାପଥର ମାଡ଼ କରିଥିଲେ। ଯେ କୌଣସି ପରିସ୍ଥିତିରେ ବି ଚାଷୀମାନେ ହଟିବେ ନାହିଁ ବୋଲି ଘୋଷଣା କରିଛନ୍ତି ଏବଂ ସମଗ୍ର ଅଂଚଳରେ ଉତ୍ତେଜନା ଲାଗି ରହିଛି। ସରକାର ଆମ ଦାବିରେ ରାଜି ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି କିଷାନ ମଜ୍‌ଦୁର ସଂଘର୍ଷ ସମିତିର ସଂପାଦକ ସରୱାନ ସିଂହ ପାଣ୍ଡେ କହିଛନ୍ତି।

ସୂଚନାଯୋଗ୍ୟ ଯେ ହରିୟାଣା-ପଂଜାବ ସୀମାରେ ଚାଷୀଙ୍କ ପ୍ରବେଶକୁ ରୋକିବା ପାଇଁ ଦୁଇ ଦିନ ତଳୁ ରାଜପଥ ଅବରୋଧ ନିମନ୍ତେ ପୁଲିସ ପ୍ରଶାସନ ପକ୍ଷରୁ କଂକ୍ରିଟ ସ୍ଲାବ୍ ଏବଂ ଭାରୀ ବ୍ୟାରିକେଡ୍ ଲଗାଯାଇଥିଲା। ତେବେ ଚାଷୀମାନେ ଯେନତେନ ପ୍ରକାରେ ଏସବୁ ହଟାଇବାକୁ ପ୍ରୟାସ କରୁଛନ୍ତି। ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ପୁଲିସ ଓ ଅର୍ଦ୍ଧସାମରିକ ବାହିନୀ ମୁତୟନ ହୋଇଛନ୍ତି। ଗତକାଲି ସରକାର ଓ ଚାଷୀ ସଂଗଠନ ପ୍ରତିନିଧିଙ୍କ ମଧ୍ୟରେ ୫ ଘଣ୍ଟା ଧରି ଚାଲିଥିବା ଆନ୍ଦୋଳନ ବିଫଳ ହୋଇଛି। ଆଜି ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ଚାଷୀଙ୍କ ଅଧିକାଂଶ ଦାବି ଗ୍ରହଣ କରାଯାଇଥିଲେ ମଧ୍ୟ ଉଦ୍ଦେଶ୍ୟମୂଳକ ଭାବେ ଏଭଳି ଆନ୍ଦୋଳନ କରାଯାଇଛି। ପରବର୍ତ୍ତୀ ଆଲୋଚନା ପାଇଁ ଦ୍ବାର ଉନ୍ମୁକ୍ତ ରହିଥିଲେ ମଧ୍ୟ କେତେକ ଚାଷୀ ସଂଗଠନ ଏମ୍‌ଏସ୍‌ପି ଆଇନ ନେଇ ଅଧିକ ଆଲୋଚନା ନିମନ୍ତେ ସହଯୋଗ କରୁନାହାନ୍ତି ବୋଲି କୁହାଯାଇଛି । ଅନ୍ୟପକ୍ଷରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆଜି କହିଛନ୍ତି ଯେ କଂଗ୍ରେସ କ୍ଷମତାକୁ ଆସିଲେ ଚାଷୀଙ୍କ ପାଇଁ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ଗ୍ୟାରେଣ୍ଟି ଆଇନ ଆଣିବ। ସରକାର ଚାଷୀଙ୍କ ଦାବିକୁ ଗ୍ରହଣ କରିବା ପରିବର୍ତ୍ତେ ଆନ୍ଦୋଳନ ଦମନ ପାଇଁ ପ୍ରୟାସ କରୁଥିବା ଅଭିଯୋଗ ଆଣି କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରିଛନ୍ତି। କୃଷକଙ୍କ ରାସ୍ତାରେ କଣ୍ଟା ପକାଇବା ‘ଅମୃତକାଳ’ ନା ‘ଅନ୍ୟାୟକାଳ’ ବୋଲି ସେ ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧିତ ଖବର