ସଡ଼କ ଦୁର୍ଘଟଣାରେ ଭାରତ ବିଶ୍ୱରେ ନଂ୧, ୨୦୧୮ରେ ଦେଢ ଲକ୍ଷ ଲୋକ ମୃତ୍ୟୁବରଣ କରିଛନ୍ତି

ନୂଆଦିଲ୍ଲୀ : ସଡ଼କ ଦୁର୍ଘଟଣା ଯୋଗୁଁ ଗତ ବର୍ଷ ଭାରତରେ ପ୍ରାୟ ଦେଢ ଲକ୍ଷ ଲୋକ ପ୍ରାଣ ହରାଇଛନ୍ତି । ସର୍ବାଧିକ ମୃତ୍ୟୁ ଦ୍ରୁତ ଗାଡିଚାଳନା ଯୋଗୁଁ ହୋଇଛି ବୋଲି ଏକ ସରକାରୀ ରିପୋର୍ଟରୁ ଜଣାପଡିଛି ।

କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରାଳୟ ପକ୍ଷରୁ ଆଜି ପ୍ରକାଶିତ ‘ଭାରତରେ ସଡ଼କ ଦୁର୍ଘଟଣା ୨୦୧୮’ ରିପୋର୍ଟରେ କୁହାଯାଇଛି ଯେ ୨୦୧୭ ତୁଳନାରେ ୨୦୧୮ରେ ଭାରତରେ ସଡ଼କ ଦୁର୍ଘଟଣା ସଂଖ୍ୟା ୦.୪୬ ପ୍ରତିଶତ ବୃଦ୍ଧି ପାଇଛି । ୨୦୧୮ ବର୍ଷରେ ସମଗ୍ର ଦେଶରେ ପ୍ରାୟ ୪ ଲକ୍ଷ ୬୭ ହଜାରଟି ସଡ଼କ ଦୁର୍ଘଟଣା ହୋଇଛି । ଏହା ଦ୍ୱାରା ୧ ଲକ୍ଷ ୫୧ ହଜାର ବ୍ୟକ୍ତି ପ୍ରାଣ ହରାଇଛନ୍ତି ଓ ୪ ଲକ୍ଷ ୬୯ ହଜାର ଲୋକ ଆହତ ହୋଇଛନ୍ତି । ପ୍ରାୟ ୬୪.୪ ପ୍ରତିଶତ ମୃତ୍ୟୁ ଦ୍ରୁତ ଗାଡିଚାଳନା ଯୋଗୁଁ ହୋଇଥିବା ଜଣାଯାଇଛି । ପ୍ରାୟ ୩୫.୭ ପ୍ରତିଶତ ମୃତ୍ୟୁ ଜାତୀୟ ରାଜପଥରେ ହୋଇଛି ।

ସବୁଠାରୁ ଦୁର୍ଭାଗ୍ୟଜନକ କଥା ହେଉଛି ସଡ଼କ ଦୁର୍ଘଟଣା କ୍ଷେତ୍ରରେ ଭାରତ ବିଶ୍ୱରେ ନଂ୧ ସ୍ଥାନ ହାସଲ କରିଛି । ବିଶ୍ୱ ସଡ଼କ ପରିସଂଖ୍ୟାନ ୨୦୧୮ ଅନୁସାରେ ୨ୟ ସ୍ଥାନରେ ଚୀନ ଓ ୩ୟ ସ୍ଥାନରେ ଆମେରିକା ରହିଛି ।

ସମ୍ବନ୍ଧିତ ଖବର