ଆକ୍ରମଣ କରି ମତେ ହତ୍ୟା କରିବାକୁ ‌‌ଚେଷ୍ଟା କରିଛନ୍ତି ଶିବସେନା କର୍ମୀ: ‘ବିଜେପି’ ନେତା କିରୀଟ ସୋମୈୟା

ମୁମ୍ବାଇ: ଶନିବାର ଦିନ ପୁଲିସ କର୍ମଚାରୀମାନଙ୍କ ଉପସ୍ଥିତିରେ ଶିବସେନା କର୍ମୀମାନେ ତାଙ୍କୁ ହତ୍ୟା କରିବାକୁ ଉଦ୍ୟମ କରିଥିବା କଥା ‘ବିଜେପି’ ନେତା କିରୀଟ ସୋମୈୟା ଅଭିଯୋଗ କରିଛନ୍ତି।

ସେ କହିଛନ୍ତି, ମୁମ୍ବାଇର ଖାର୍‌ ଥାନା ବାହାରେ ଶାସକ ଦଳର ୧୦୦ ଗୁଣ୍ଡା ଟେକାପଥର ପକାଇ ଆକ୍ରମଣ କରିବାରୁ ମୁଁ ଆହତ ହୋଇଛି। ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ‘ବିଜେପି’ ନେତା ଦେବେନ୍ଦ୍ର ଫଡ଼ନବିଶ ସାମାଜିକ ଗଣମାଧ୍ୟମରେ ସେୟାର୍‌ କରିଥିବା ଭିଡିଓରେ ସୋମୈୟାଙ୍କ ମୁହଁରୁ ରକ୍ତ ବୋହୁଥିବା ଦେଖାଯାଉଛି। ତାଙ୍କ କାର୍‌ର ଗୋଟାଏ କାଚ ମଧ୍ୟ ଭାଙ୍ଗି ଚୂନା ହୋଇଯାଇଥିବା ଦେଖାଯାଉଛି।

ଆକ୍ରମଣ ସଂକ୍ରାନ୍ତରେ ଟୁଇଟ୍‌ କରି କିରୀଟ ଲେଖିଥିଲେ, ଏବେ ମୁଁ ବାନ୍ଦ୍ରା ଥାନା ପରିସରରେ ମୋ କାର୍‌ ଭିତରେ ବସି ‘ଏଫ୍‌ଆଇଆର୍‌’ ପଞ୍ଜିକରଣ କରାଯାଉ ବୋଲି ଦାବି କରୁଛି। ପୁଲିସ କର୍ମଚାରୀ ଏବଂ ମାଫିଆ ସେନା ଗୁଣ୍ଡାଙ୍କ ବିରୋଧରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରାଯିବା ପର୍ଯ୍ୟନ୍ତ ବାନ୍ଦ୍ରା ଥାନା ପରିସରରେ କାର୍‌ ଭିତରେ ବସିଥିବି।

Image Courtesy of India Today

ପ୍ରାପ୍ତ ସୂଚନା ଅନୁସାରେ, ଗିରଫ ହୋଇଥିବା ସ୍ବାଧୀନ ଅମରାବତୀ ସାଂସଦ ନବନୀତ ରାଣା ଏବଂ ତାଙ୍କ ବିଧାୟକ ସ୍ବାମୀ ରବି ରାଣାଙ୍କୁ ଭେଟିବା ପାଇଁ ସୋମୈୟା ଖାର୍‌ ଥାନାକୁ ଯାଇଥିବା ବେଳେ ଆକ୍ରମଣର ଶିକାର ‌ହୋଇଥିଲେ। ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ବ୍ୟକ୍ତିଗତ ‘ମାତୋଶ୍ରୀ’ ସମ୍ମୁଖରେ ହନୁମାନ ଚାଳିଶା ପାଠ କରିବେ ବୋଲି କହିବାରୁ ଦୁହିଁଙ୍କୁ ଗିରଫ କରାଯାଇଥିଲା।

ଆଉ ଏକ ଟୁଇଟ୍‌ରେ ସୋମୈୟା କହିଛନ୍ତି, ଖାର୍‌ ଥାନା ପରିସରରେ ୫୦ଜଣ ପୁଲିସ କର୍ମଚାରୀଙ୍କ ଉପସ୍ଥିତିରେ ଶିବସେନାର ୧୦୦ଜଣ ଗୁଣ୍ଡା ମୋ ଉପରେ ଟେକାପଥର ପକାଇ ହତ୍ୟା କରିବାକୁ ଉଦ୍ୟମ କଲେ। ପୁଲିସ କମିସନର୍‌ କ’ଣ କରୁଛନ୍ତି? ଥାନା ପରିସରରେ ଏତେ ସଂଖ୍ୟକ ମାଫିଆ ସେନା ଗୁଣ୍ଡା ସମବେତ ହେବାକୁ ଅନୁମତି ଦିଆଗଲା କେମିତି?

ଫଡ଼ନବିଶ ରାଜ୍ୟ ସରକାରଙ୍କୁ ସମାଲୋଚନା କରି ଘଟଣାକୁ ଆଇନଶୃଙ୍ଖଳାର ସମ୍ପୂର୍ଣ୍ଣ ବିପର୍ଯ୍ୟୟ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର