ନିର୍ବାଚନ ସମୟରେ ଲୋଭନୀୟ ଯୋଜନା, କେନ୍ଦ୍ର, ଓଡ଼ିଶା ସମେତ ୬ ରାଜ୍ୟଙ୍କୁ ସୁପ୍ରିମକୋର୍ଟ ନୋଟିସ୍

ନୂଆଦିଲ୍ଲୀ: ନିର୍ବାଚନ ସମୟରେ ଲୋଭନୀୟ ଯୋଜନା ବିରୋଧରେ ଆଗତ ଜନସ୍ବାର୍ଥ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଆଜି କେନ୍ଦ୍ର ସରକାରଙ୍କ ସ‌େମତ ଓଡ଼ିଶା, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଝାଡ଼ଖଣ୍ଡ, କର୍ଣ୍ଣାଟକ ଓ ପଶ୍ଚିମବଙ୍ଗ ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି। ଜନସ୍ବାର୍ଥ ମାମଲା ଆଗତ କରିଥିବା ତେଲେଙ୍ଗାନାର ପି. ପୁଲାରାଓ ତାଙ୍କ ପିଟିସନରେ ଦର୍ଶାଇଥିଲେ ଯେ ନିର୍ବାଚନ ସମୟରେ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ କେନ୍ଦ୍ର ଓ କିଛି ରାଜ୍ୟ ସରକାର ଅନେକ ଲୋଭନୀୟ ଯୋଜନା କାର୍ଯ୍ୟକାରୀ କରିଥିଲେ। ଏଭଳି ଯୋଜନା ଅବାଧ ତଥା ନିରପେକ୍ଷ ନିର୍ବାଚନରେ ବାଧା ସୃଷ୍ଟି କରିଥିଲା।

କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ କିଷାନ କଲ୍ୟାଣ ଯୋଜନା, ଓଡ଼ିଶା ସରକାରଙ୍କ କାଳିଆ ଯୋଜନା, ଆନ୍ଧ୍ରପ୍ରଦେଶ ସରକାରଙ୍କ ପାଶୁପୁ କୁମକୁମା ଯୋଜନା, ଅନ୍ନଦାତା ସୁଖିଭବ ଯୋଜନା, ଏନଟିଆର ଭରୋସା ଯୋଜନା, ମୁଖ୍ୟମନ୍ତ୍ରୀ ଯୁବା ନେଷ୍ଟମ୍ ଯୋଜନା, ତେଲେଙ୍ଗାନାର ରୟତ ବନ୍ଧୁ, ପଶ୍ଚିମବଙ୍ଗ ସରକାରଙ୍କ ଦ୍ବାରା କୃଷକମାନଙ୍କ ପାଇଁ ଦୁଇଟି ଯୋଜନା, ଝାଡ଼ଖଣ୍ଡ ସରକାରଙ୍କ ଦ୍ବାରା ମୁଖ୍ୟମନ୍ତ୍ରୀ କୃଷି ଯୋଜନା ତଥା କର୍ଣ୍ଣାଟକ ସରକାରଙ୍କ ଡିବିଟି ଯୋଜନା ନିର୍ବାଚନ ପୂର୍ବରୁ ଘୋଷଣା କରାଯାଇଥିବା ନେଇ ଆବେଦନକାରୀ ପିଟିସନରେ ଉଲ୍ଲେଖ କରିଥିଲେ। ଏସବୁ ଯୋଜନାଗୁଡ଼ିକ ବେଆଇନ ଓ ଅସାମ୍ବିଧାନିକ ବୋଲି ସେ ଉଲ୍ଲେଖ କରିଥିଲେ। ଏସବୁ ଯୋଜନାରେ ହିତାଧିକାରୀଙ୍କୁ ସିଧାସଳଖ ଅର୍ଥ ପ୍ରଦାନ କରାଯାଉଥିବା ବେଳେ ଏହି ଯୋଜନା ପାଇଁ ବଜେଟ୍‌ ବ୍ୟବସ୍ଥା ମଧ୍ୟ ହୋଇନାହିଁ। କେବଳ ସର୍ବସାଧାରଣ ଅର୍ଥକୁ ରାଜନୈତିକ ଉଦ୍ଦେଶ୍ୟରେ ତଥା ରାଜନୈତିକ ଲାଭ ପାଇଁ ବିନିଯୋଗ କରାଯାଉଛି ବୋଲି ଆବେଦନରେ ଦର୍ଶାଯାଇଛି। ଏହା ମଧ୍ୟ ଆଦର୍ଶ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରୁଛି ବୋଲି ପିଟିସନରେ ଉଲ୍ଲେଖ କରାଯାଇଛି। ଏହି ଜନସ୍ବାର୍ଥ ମାମଲାକୁ ବିଚାର ପାଇଁ ଗ୍ରହଣ କରି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ରଞ୍ଜନ ଗୋଗଇଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କେନ୍ଦ୍ର ସରାକରଙ୍କ ସମେତ ୬ ରାଜ୍ୟଙ୍କୁ ନୋଟିସ କରିଛନ୍ତି।

ସମ୍ବନ୍ଧିତ ଖବର