ରାଜ୍ୟକୁ ଫେରିବେ ପ୍ରବାସୀ : ବାଟ ଫିଟାଇଲେ ସୁପ୍ରିମ୍‌ କୋର୍ଟ

ହାଇକୋର୍ଟଙ୍କ ରାୟ ଉପରେ ଦେଲେ ରହିତାଦେଶ

ନୂଆଦିଲ୍ଲୀ/ଭୁବନେଶ୍ବର : ରାଜ୍ୟ ବାହାରେ ‌ଅଟକି ଥିବା ପ୍ରବାସୀଙ୍କୁ ରାଜ୍ୟକୁ ଫେରାଇ ଆଣିବା ଉଦ୍ୟମକୁ ଗତକାଲି ଓଡ଼ିଶା ହାଇକୋର୍ଟରେ ଶକ୍ତ ଧକ୍କା ଲାଗିଥିଲା। ପ୍ରବାସୀଙ୍କୁ ରାଜ୍ୟକୁ ଆଣିବା ପୂର୍ବରୁ ପ୍ରଥମେ ସେମାନେ ଯେଉଁଠି ଅଛନ୍ତି ସେଠାରେ ସେମାନଙ୍କର କରୋନା ଭୂତାଣୁ ସଂକ୍ରମଣକୁ ନେଇ ପରୀକ୍ଷା କରିବାକୁ ଗୁରୁବାର ହାଇକୋର୍ଟ କହିଥିଲେ। ଏକ ଜନସ୍ବାର୍ଥ ମାମଲାର ଶୁଣାଣି କରି କେବଳ କୋଭିଡ୍‌ -୧୯ ଟେଷ୍ଟ୍‌ ରିପୋର୍ଟ ନେଗେଟିଭ୍‌ ଆସିଲେ ହିଁ ପ୍ରବାସୀଙ୍କୁ ରାଜ୍ୟ ଭିତରକୁ ପ୍ରବେଶ ଅନୁମତି ମିଳିବ ବୋଲି କୁହାଯାଇଥିଲା। ଏହାର ୨୪ ଘଣ୍ଟା ପୂରିନଥିଲା, ହାଇକୋର୍ଟଙ୍କର ଏହି ରାୟ ଉପରେ ଆଜି ସୁପ୍ରିମକୋର୍ଟ ରହିତାଦେଶ ଲଗାଇ ଦେଇଛନ୍ତି। ଫଳରେ ପ୍ରବାସୀ ଓଡ଼ିଆଙ୍କ ଓଡ଼ିଶା ଫେରିବା ନେଇ ପୁଣି ବାଟ ଫିଟି ଯାଇଛି।

Image Source: Zee News

ଓଡ଼ିଶା ହାଇକୋର୍ଟଙ୍କ ରାୟ ବିରୋଧରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ସୁପ୍ରିମ କୋର୍ଟରେ ଏକ ସ୍ବତନ୍ତ୍ର ଲିଭ୍ ପିଟିସନ୍ (ଏସ୍‌ଏଲ୍‌ପି) ଦାଖଲ କରିଥିଲା। ଓଡ଼ିଶା ହାଇକୋର୍ଟଙ୍କ ରାୟକୁ କାର୍ଯ୍ୟକାରୀ କରିବା ସମ୍ଭବ ନୁହେଁ (ଅନୱାର୍କେବଲ୍‌) ବୋଲି ଗୃହ ମନ୍ତ୍ରାଳୟ ଯୁକ୍ତି ବାଢ଼ିଥିଲା। ଗୃହ ମନ୍ତ୍ରାଳୟ ପକ୍ଷରୁ ଯୁକ୍ତି ଦର୍ଶାଇ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଥିଲେ, ରାଜ୍ୟମାନେ ଯଦି ପ୍ରବାସୀମାନଙ୍କୁ ଫେରାଇ ଆଣିବାକୁ ଚାହୁନାହାନ୍ତି ତାହେଲେ ସେମାନେ ଏଥିପାଇଁ ବ୍ୟବସ୍ଥା କରିବା ଦରକାର। ମାତ୍ର ଲୋକମାନଙ୍କର ରାଜ୍ୟ ପ୍ରବେଶ ଉପରେ ନିଷେଧାଦେଶ ଜାରି କରାଯାଇ ପାରିବ ନାହିଁ। ନିଜ ରାଜ୍ୟ ବାହାରେ ବହୁ ଶ୍ରମିକ, ଛାତ୍ରଛାତ୍ରୀ ଓ ଅନ୍ୟ ବର୍ଗର ଲୋକେ ଲକ୍‌ଡାଉନ୍ ଯୋଗୁଁ ଫସି ରହି ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଲକ୍‌ଡାଉନ୍‌ ଘୋଷଣା ପରେ ସେମାନେ ୪୦ ଦିନରୁ ଅଧିକ ସମୟ ଧରି ଅବ୍ୟବସ୍ଥା ଭିତରେ ରହି ସାରିଥିବାରୁ ସେମାନଙ୍କୁ ନିଜ ରାଜ୍ୟକୁ ଫେରିବା ଲାଗି ଅନୁମତି ଦିଆଯିବା ଉଚିତ୍‌। ସଲିସିଟର ଜେନେରାଲ୍‌ କହିଥିଲେ, ଓଡ଼ିଶା ହାଇକୋର୍ଟ ପରିସ୍ଥିତିର ଜଟିଳତାକୁ ବୁଝିବାରେ ବିଫଳ ହୋଇଛନ୍ତି ଏବଂ ଅନ୍ୟ ରାଜ୍ୟମାନଙ୍କ ଦ୍ବାରା ଗ୍ରହଣ ହୋଇଥିବା ଏସ୍‌ଓପି (ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡ୍ୟୁଅର)କୁ ବିଚାରକୁ ନେଇନାହାନ୍ତି।

ହାଇକୋର୍ଟଙ୍କ ଏହି ନିର୍ଦ୍ଦେଶ ଦ୍ବାରା ବିଭିନ୍ନ ସ୍ଥାନରେ ଫସିଥିବା ପ୍ରବାସୀ ଶ୍ରମିକମାନେ ସେମାନଙ୍କ ଘର ଏବଂ ଗାଁକୁ ଫେରିବା କଷ୍ଟଦାୟକ ହୋଇଯିବ। କେନ୍ଦ୍ରର ପକ୍ଷ ଶୁଣିବା ପ‌ରେ ବିଚାରପତି ଜଷ୍ଟିସ୍‌ ଅଶୋକ ଭୂଷଣ, ଏସ୍‌ କେ କୌଲ ଏବଂ ବି.ଆର ଗଭାଇଙ୍କ ଖଣ୍ଡପୀଠ ଓଡ଼ିଶା ହାଇକୋର୍ଟଙ୍କ ରାୟ ଉପରେ ରହିତାଦେଶ ଲଗାଇଛନ୍ତି। ହାଇକୋର୍ଟଙ୍କ ରାୟ କାର୍ଯ୍ୟପାଳିକାର କାର୍ଯ୍ୟରେ ହସ୍ତକ୍ଷେପ ଭଳି ବୋଲି କୁହାଯାଇଥିଲା। ଉଲ୍ଲେଖଯୋଗ୍ୟ, ଗତକାଲି ହାଇକୋର୍ଟଙ୍କ ନିର୍ଦେଶ ପରେ ସୁରତରୁ ଆସିବାକୁ ଥିବା ଟ୍ରେନ୍ ବାତିଲ୍ ହୋଇଯାଇଥିଲା। ସୁରତ ପ୍ରଶାସନ ଓଡ଼ିଆଙ୍କ ଫେରିବା ଉପରେ କଟକଣା ଲଗାଇଥିଲେ।

ସମ୍ବନ୍ଧିତ ଖବର