ପିଓକେକୁ ଭାରତରେ ମିଶାଇବା ଟାର୍ଗେଟ

ନୂଆଦିଲ୍ଲୀ: ଭାରତ ସ୍ବାଧୀନ ପରେ ଜାମ୍ମୁ କାଶ୍ମୀର ଏକ ସ୍ବତନ୍ତ୍ର ରାଷ୍ଟ୍ର ରୂପେ ଅଭୀହିତ ଥିଲା। ପରେ ଉକ୍ତ ରାଷ୍ଟ୍ରକୁ ପାକିସ୍ତାନ ଅଧିକାର କରିବା ପାଇଁ ଉଦ୍ୟମ କରିବାକୁ ସେହି ରାଷ୍ଟ୍ରର ମୁଖ୍ୟ ଭାରତର ଶରଣ ପଶିବା ପରେ ଜାମ୍ମୁ କାଶ୍ମୀର ଭାରତ ଅଧିନକୁ ଆସିଥିଲା। ହେଲେ ସେତେବେଳକୁ ପାକିସ୍ତାନ ଜାମ୍ମୁ-କାଶ୍ମୀର କିଛି ଅଂଶ ନେଇଯାଇଥିଲା। ସେହିଦିନଠାରୁ କାଶ୍ମୀରକୁ ନେଇ ପାକିସ୍ତାନ ଓ ଭାରତ ମଧ୍ୟରେ ବିବାଦ ଲାଗି ରହିଛି। ଦୀର୍ଘଦିନ ଧରି କାଶ୍ମୀରର ଏକ ସ୍ବତନ୍ତ୍ର ସମ୍ବିଧାନ, ସ୍ବତନ୍ତ୍ର ପତାକା ଆଦି ରହିଥିଲା।

କାଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଂଶ ହୋଇଥିଲେ ବି ୩୭୦ ଧାରା ଯୋଗୁ ସେଠାକାର ଏଭଳି ବ୍ୟବସ୍ଥା ଥିବା ଦ୍ବାରା ଲୋକେ ସ୍ବାଧୀନତାର ସ୍ବାଦ ଚାଖି ପାରୁନଥିଲେ। ଦୀର୍ଘଦିନ ଧରି ଅନେକ ସରକାର ଭାରତକୁ ଶାସନ କରିଥିଲେ ବି ଏହି ଧାରାକୁ ଉଚ୍ଛେଦ କରିବାକୁ କାହାର ସାହସ ନଥିଲା। ହେଲେ ବର୍ତ୍ତମାନ ବିଜେପି ଶାସନ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୯ରେ ଏହି ଧାରାକୁ ଉଚ୍ଛେଦ କରି କାଶ୍ମୀରକୁ ଦୁଇଟି ଅଞ୍ଚଳରେ ପରିଣତ କରି ଐତିହାସିକ ପଦକ୍ଷେପ ନେଇଛନ୍ତି। ଏବେ ବିଜେପି ସରକାରର ପରବର୍ତ୍ତୀ ଟାର୍ଗେଟରେ ରହିଛି ପାକିସ୍ତାନ ଅଧିକୃତ କାଶ୍ମୀର। ପିଓକେକୁ ସ୍ବାଧୀନ କରି ଭାରତରେ ମିଶାଇବା ଲକ୍ଷ୍ୟକୁ ଭାରତ ଖୁବଶୀଘ୍ର ସଫଳ କରିବ ବୋଲି କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ଏକ ବଡ ବୟାନ ଦେଇଛନ୍ତି।

ସେ କହିଛନ୍ତି, ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ୧୯୮୦ ରେ ଭବିଷ୍ୟବାଣୀ କରିଥିଲେ ବିଜେପି ବହୁମତ ହାସଲ କରିବ। ଏହାକୁ କେହି ବିଶ୍ଵାସ କରି ନଥିଲେ। ଜାମ୍ମୁ କାଶ୍ମୀରରୁ ଧାରା-୩୭୦ ହଟାଯିବା ବିଷୟରେ କେହି ଭାବି ନଥିଲେ। କିନ୍ତୁ ସରକାର ଏହାକୁ କରିକି ଦେଖାଇଛନ୍ତି। ସେହିପରି ସରକାର ପାକିସ୍ତାନ ଅଧୀନରେ ଥିବା ଜାମ୍ମୁ କାଶ୍ମୀରକୁ ଭାରତର ଅଭିନ୍ନ ଅଂଶ ବନାଇବେ। ସରକାର ୧୯୯୪ ରେ ଏକ ସଂକଳ୍ପ ପାରିତ କରିଥିଲେ। ଯେଉଁଥିରେ ପାକିସ୍ତାନ ଜାମ୍ମୁ କାଶ୍ମୀରର ଯେଉଁ ଅଞ୍ଚଳକୁ କବ୍ଜା କରିଛି ସେହି ଅଞ୍ଚଳକୁ ଶୀଘ୍ର ଖାଲି କରିଦେଉ ବୋଲି କୁହାଯାଇଥିଲା। ପାକିସ୍ତାନ ଅଧୀନ ଜାମ୍ମୁ କାଶ୍ମୀର(ପିଓଜେକେ)କୁ ଖାଲି କରିବା ଆମର ଦାୟିତ୍ଵ ବୋଲି ସେ କହିଥିଲେ।

ଏହା ପ୍ରଥମ ଥର ପାଇଁ ନୁହେଁ ଯେତେବେଳେ କୌଣସି ବିଜେପି ନେତା ପାକିସ୍ତାନ ଅଧୀନରେ ଥିବା କାଶ୍ମୀରକୁ ସ୍ବାଧୀନ କରିବାକୁ ପ୍ରତିଜ୍ଞା କରିଛନ୍ତି। ଏହା ପୂର୍ବରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଥିଲେ ମୋଦୀ ସରକାର ବିକାଶ କାର୍ଯ୍ୟକ୍ରମ ବଳରେ ଜାମ୍ମୁ କାଶ୍ମୀରର ଚେହେରା ଏପରି ବଦଳେଇ ଦେବେ କି ପିଓକେର ଲୋକେ ଭାରତର ମିଶିବାକୁ ଆଗ୍ରହ ଦେଖାଇବେ। ଗତ ମାସରେ ଅବସରପ୍ରାପ୍ତ ଲେଫ୍ଟନାଣ୍ଟ ଜେନେରାଲ୍ କେଜେଏସ୍ ଢିଲନ୍ କହିଥିଲେ ସଠିକ୍ ସମୟରେ ପିଓକେ ଭାରତର ଅଂଶ ହୋଇଯିବ।

ସମ୍ବନ୍ଧିତ ଖବର