ହାତୀଙ୍କ ପାଇଁ ହେବ ୮୦୦ କିଲୋମିଟର ଲମ୍ବା କରିଡ଼ର

କେନ୍ଦ୍ର ପରିବେଶ ଓ ରେଳ ମନ୍ତ୍ରାଳୟର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି

ନୂଆଦିଲ୍ଲୀ : ମନୁଷ୍ୟ-ହାତୀ ସଂଘର୍ଷକୁ ହ୍ରାସ କରିବା ଉଦ୍ଦେଶ୍ୟରେ ହାତୀମାନଙ୍କର ଗମନାଗମନା ପଥକୁ ସୁଗମ କରିବା ପାଇଁ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ଏବଂ କେନ୍ଦ୍ର ରେଳ ମନ୍ତ୍ରଣାଳୟ ପକ୍ଷରୁ ଗୁରତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ହାତୀମାନଙ୍କର ଗମନାଗମନ ପାଇଁ ଦେଶରେ ୮୦୦ କିଲୋମିଟର ଲମ୍ବା କରିଡର ନିର୍ମାଣ କରାଯିବ। ଚିହ୍ନିଟ କରାଯାଇଥିବା କରିଡରର ନିର୍ମାଣ ଉଭୟ ମନ୍ତ୍ରଣାଳୟ ଦ୍ବାରା ମିଳିତ ଭାବେ କରିବେ। ପ୍ରକଳ୍ପର ମୁଖ୍ୟ ଉଦ୍ଦେଶ୍ୟ ରହିଛି ହାତୀମାନଙ୍କର ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ପାଇଁ ଏକ ସୁରକ୍ଷିତ ମାର୍ଗ ପ୍ରଦାନ କରିବା।

ପ୍ରକଳ୍ପର ରୂପରେଖ ପ୍ରସ୍ତୁତ କରିବା ପାଇଁ କେନ୍ଦ୍ର ପରିବେଶ ଓ ରେଳ ମନ୍ତ୍ରାଳୟ ଦ୍ବାରା ଏକାଧିକ ବୈଠକ ଅନୁଷ୍ଠିତ ହୋଇଥିଲା। ମନ୍ତ୍ରାଳୟର ସୁତ୍ର ଅନୁସାରେ ହାତୀମାନଙ୍କର ସୁରକ୍ଷିତ ଚଳପ୍ରଚଳ ପାଇଁ ବର୍ତ୍ତମାନ ସୁଦ୍ଧା ୧୮୦୦ କିଲୋମିଟର ର ମାର୍ଗକୁ ଚିହ୍ନଟ କରାଯାଇଛି। ଏସବୁ ମାର୍ଗରେ ତ୍ରୁଟି ରହିଥିବା କାରଣରୁ ହାତୀମାନେ ସେମାନଙ୍କର ଗତିପଥ ବଦଳାଇ ଜନବସତିମୁହାଁ ହେଉଛନ୍ତି ତଥା ମନୁଷ୍ୟ ଓ ସମ୍ପତ୍ତିର କ୍ଷତିଘଟାଉଛନ୍ତି। ତ୍ରୁଟି ରହିଥିବା ମାର୍ଗଗୁଡିକର ସୁଧାର କରାଯିବ ତଥା କରିଡର ଅଂଚଳରେ ଜଳସ୍ରୋତଗୁଡିକୁ ପୁର୍ନଜୀବିତ କରାଯିବ। କେବଳ ସେତିକି ନୁହେଁ, ହାତୀମାନଙ୍କ ପାଇଁ କରିଡରର ନିର୍ମାଣର କାର୍ଯ୍ୟ ସହିତ ଦେଶରେ ହାତୀ ଗଣନା ଦିଗରେ ମଧ୍ୟ ପ୍ରାଥମିକତା ଦିଆଯିବ। ମନ୍ତ୍ରଣାଳୟ ଦ୍ବାରା ଗଜ ସୂଚନା ଆପ୍‌ ବିକଶିତ କରାଯାଇଛି। ପ୍ରୟୋଗାତ୍ମକ ପ୍ରକଳ୍ପ ଅର୍ନ୍ତଗତ ହାତୀମାନଙ୍କର ପଞ୍ଜୀକୃତ କରାଯାଇଛି। କେନ୍ଦ୍ର ସରକାର ଖୁବ ଶୀଘ୍ର ଦେଶର ସମସ୍ତ ହାତୀମାନଙ୍କର ସୂଚନା ଏହି ଆପ୍ଲିକେସନ ମାଧ୍ୟମରେ ହାସଲ କରିବେ। ଉପରୋକ୍ତ ଦୁଇଟି ନିଷ୍ପତ୍ତି ଓଡିଶା ସମତେ ହାତୀବହୁଳ ରାଜ୍ୟମାନଙ୍କ ପାଇଁ ବିଶେଷ ଗୁରୁତ୍ବ ବହନ କରିବ।

ସମ୍ବନ୍ଧିତ ଖବର