ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ କିଏ?

 ଅଭିନେତ୍ରୀ ତଥା ବିଜେପିର ଲୋକସଭା ପ୍ରାର୍ଥୀ କଙ୍ଗନା ରାଣାୱତ ପୁଣି ବିବାଦ ଘେରରେ। କିଛି ଦିନ ତଳେ ଏକ ସାକ୍ଷାତକାର ବେଳେ ସେ କହିଥିଲେ ଯେ ସ୍ବାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହର ଲାଲ ନେହରୁ ନୁହନ୍ତି। ପ୍ରଥମ ପ୍ରଧାନମନ୍ତ୍ରୀ ଥିଲେ ସୁଭ‌ାଷ ଚନ୍ଦ୍ର ବୋଷ। ୧୯୪୩ରେ ସେ ଅଜାଦ ହିନ୍ଦ୍‌ ସରକାର ଗଠନ କରି ଏହାର ନେତୃତ୍ବ ନେଇଥିଲେ। ବ୍ରିଟିସ ରାଜ୍‌ ଅଧୀନ ଭାରତର ସମସ୍ତ ସାମରିକ ଓ ବେସାମରିକ କର୍ମଚାରୀଙ୍କ ଉପରେ ସରକାରର କର୍ତୃତ୍ବ ଦାବି କରିଥିଲେ। ସେ କ୍ୟାବିନେଟ ଗଠନ କରି ବିଭିନ୍ନ ମନ୍ତ୍ରୀଙ୍କୁ ବିଭିନ୍ନ ବିଭାଗ ବଣ୍ଟନ କରିଥିଲେ। ସେ ନିଜ ହାତରେ ବୈଦେଶିକ ବ୍ୟାପାର ଓ ଯୁଦ୍ଧ ବ୍ୟାପାର ବିଭାଗ ରଖିଥିଲେ। ସିଙ୍ଗାପୁରରେ ରହି ସେ ଏହି ଅସ୍ଥାୟୀ ସରକାର ଗଠନ କରିଥିଲେ। ସରକାର ଗଠନ ପରେ ସେ ବ୍ରିଟେନ ଏବଂ ଆମେରିକା ବିରୋଧରେ ଯୁଦ୍ଧ ଘୋଷଣା କରିଥିଲେ।

ତେବେ ‘ସ୍ବାଧୀନ ଭାରତ’ର ଏହା‌ ପ୍ରଥମ ଅସ୍ଥାୟୀ ସରକାର ନଥିଲା। ଏହାର ୨୮ ବର୍ଷ ପୂର୍ବରୁ କାବୁଲରେ ଏଭଳି ଏକ ସରକାର ଗଠନ ହୋଇଥିଲା। ସରକାରର ନାମ ଥିଲା ପ୍ରୋଭିଜନାଲ ଗଭର୍ଣ୍ଣମେଣ୍ଟ୍ ଅଫ୍ ଇଣ୍ଡିଆ। ଇଣ୍ଡିଆ ଇଣ୍ଡିପେଣ୍ଡେନ୍ସ କମିଟି ନାମକ ସଂଗଠନ ଏହି ସରକାର ଗଠନ କରିଥିଲା। ରାଜା ମହେନ୍ଦ୍ର ପ୍ରତାପ ନିଜକୁ ରାଷ୍ଟ୍ରପତି ଘୋଷଣା କରିଥିବା ବେଳେ ମୌଲାନା ବରକତୁଲ୍ଲା ଥି‌େଲ ପ୍ରଧାନମନ୍ତ୍ରୀ। ଭାରତର ସ୍ବାଧୀନତା ପାଇଁ ଏହି ସଂଗ୍ରାମୀ ଆନ୍ତର୍ଜାତିକ ସମର୍ଥନ ଜୁଟାଇବାରେ ଲାଗି ପଡ଼ିଥିଲେ।

ରାଜନୈତିକ ମତଭେଦ, ସ୍ବାମୀ ଛାଡ଼ିଲେ ଘର

 ମଧ୍ୟପ୍ରଦେଶ ରାଜନୀତି‌େର ନୂଆ କଥା ଦେଖିବାକୁ ମିଳିଛି। ବାଲଘାଟ ଲୋକସଭା ନିର୍ବାଚନମଣ୍ଡଳୀରୁ ବହୁଜନ ସମାଜ ପାର୍ଟିର ପ୍ରାର୍ଥୀ କଂକର ମୁଞ୍ଜାରେ ହେଉଛନ୍ତି କଂଗ୍ରେସ ବିଧାୟିକା ଅନୁଭା ମୁଞ୍ଜାରେଙ୍କ ପତି। ଦଳୀୟ ଆଦର୍ଶଗତ ମତଭେଦ ଯୋଗୁଁ ପତି ପତ୍ନୀ ଗୋଟିଏ ଛାତ ତଳେ ରହିବା ସମ୍ଭବ ନୁହେଁ ବୋଲି କଂକର ଯୁକ୍ତି କରିଛନ୍ତି। ଏଇଥିପାଇଁ ସେ ଘର ଛାଡ଼ି ନିକଟବର୍ତ୍ତୀ ଏକ କୁଡ଼ିଆ ଘରେ ରହୁଛନ୍ତି। ସେ କହିଛନ୍ତି ଯେ ନିର୍ବାଚନ ବେଳେ ଦୁଇ ପରସ୍ପରବିରୋଧୀ ବିଚାରଧାରାର ‌େଲାକ ଘରେ ଏକାଠି ରହିବା ଠିକ୍ ହେବନାହିଁ। ‌ଭୋଟରମାନଙ୍କୁ ଏହା ଭୁଲ ବାର୍ତ୍ତା ଦେବ। ଘର ଭିତରେ ଏକାଠି ରହିଲେ ସେମାନେ ଏହାକୁ ମ୍ୟାଚଫିକ୍ସିଂ ବୋଲି ଭାବିବେ। ତେବେ ନିର୍ବାଚନ ସରିବା ପରେ ସେ ଘରକୁ ଫେରିବେ। ତାଙ୍କର ଏହି ନିଷ୍ପତ୍ତିରେ‌ ଅସନ୍ତୋଷ ପ୍ରକାଶ କରିଛନ୍ତି ବିଧାୟିକା ପତ୍ନୀ। ସେମାନେ ୩୩ ବର୍ଷ ହେଲା ବିବାହ କରିଛନ୍ତି। କେବେ ବି ଏଭଳି ସମସ୍ୟା‌ ସୃଷ୍ଟି ହୋଇନାହିଁ। ଗତ ବିଧାନସଭା ନିର୍ବାଚନରେ ମଧ୍ୟ ସବୁ ଠିକ୍ ଠାକ୍ ଥିଲା। ଏବେ ତାଙ୍କର ଏଭଳି ଆଚରଣ ନେଇ ସେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି।

ନିର୍ବ‌ାଚନରେ ରାଜ ପରିବାର

 ଭାରତୀୟ ରାଜନୀତିରେ ରାଜ ପରିବାରର ଗୁରୁତ୍ବ ଏବେ ବି ରହିଛି। ଅନେକ ସାଂସଦ/ବିଧାୟକ ହୋଇଥିବା ବେଳେ କେତେକ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ମଧ୍ୟ ହୋଇଛନ୍ତି। ଏଭଳି ରାଜ ପରିବାରର ଅନେକ ଲୋକଙ୍କୁ ପ୍ରାର୍ଥୀ କରିଛି ବିଜେପି। ଏଥର ନିର୍ବାଚନରେ ଅତିକମରେ ୧୦ ଜଣ ପ୍ରାର୍ଥୀ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ରାଜସ୍ଥାନରୁ ମହିମା ସିଂହ, ଦୁସୟନ୍ତ ସିଂହ, ମଧ୍ୟପ୍ରଦେଶରୁ ଜ୍ୟୋତିରାଦିତ୍ୟା ସିନ୍ଧିଆ, ତ୍ରିପୁରାରୁ ମହାରାଣୀ କୀର୍ତ୍ତି ସିଂହ.ପଞ୍ଜାବରେ ପ୍ରଣିତ କାଉର, ମହୀଶୂରରେ ୟଦୁବୀର ଚମାରାଜା ୱାଡ଼ିୟାର ପ୍ରମୁଖ। ଦୁସୟନ୍ତ ସିଂହ ହେଉଛନ୍ତି ରାଜସ୍ଥାନର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କ ପୁଅ ହୋଇଥିବା ବେଳେ ଜ୍ୟୋତିରାଦିତ୍ୟ ହେଉଛନ୍ତି ଗ୍ବାଲିଅର ରାଜପରିବ‌ାରର ମହାରାଜା। ସେ ଏବେ କେନ୍ଦ୍ରରେ ମନ୍ତ୍ରୀ ଅଛନ୍ତି।

ଶସ୍ତା ମଦ ପ୍ରତିଶ୍ରୁତି

 ଲୋକସଭା ଏବଂ ଆନ୍ଧ୍ରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ‌ବେଳେ ତେଲୁଗୁ ଦେଶମ ପାର୍ଟି (ଟିଡିପି) ସଭାପତି ଏନ୍‌ ଚନ୍ଦ୍ରବାବୁ ନାଇଡ଼ୁ ‌ଯୁବବର୍ଗଙ୍କ ପାଇଁ ଏକ ଲୋଭନୀୟ ପ୍ରତିଶ୍ରୁତି ଦେଇଛନ୍ତି। ଭୋଟରଙ୍କୁ ନିଜ ଦଳଆଡ଼କୁ ଆକୃଷ୍ଟ କରିବା ପାଇଁ ସେ କହିଛନ୍ତି ତାଙ୍କ ଦଳ କ୍ଷମତାକୁ ଆସିଲେ ଲୋକଙ୍କୁ କମ୍‌ ମୂଲ୍ୟରେ ଭଲ ମଦ ଯୋଗାଇ ଦିଆଯିବ। ସରକାର ଗଠନର ୪୦ ଦିନ ପରେ କେବଳ ଭଲ ମଦ ନୁହେଁ, ଭଲ ମଦ କମ୍ ମୂଲ୍ୟରେ କିଭଳି ମିଳିବ ତାହାର ଦାୟିତ୍ବ ନେବୁ।
ଏଥିସହିତ ୨୦୧୯ ନିର୍ବାଚନ ସମୟରେ ରାଜ୍ୟରେ ମଦ ନିଷିଦ୍ଧ ପାଇଁ ଜଗନ ମୋହନ ରେଡ୍ଡୀ ଦେଇଥିବା ପ୍ରତିଶ୍ରୁତି ପୂରଣ କରି ନଥିବାରୁ ସେ ତାଙ୍କୁ ସମାଲୋଚନା କରିଛନ୍ତି। କୁପମ୍‌ଠାରେ ଏକ ନିର୍ବାଚନୀ ସଭାରେ ଭାଷଣ ଦେଇ ନାଇଡ଼ୁ କହିଛନ୍ତି ଯୁବ ଭାଇମାନେ ମଦ୍‌ ଦାମ୍‌ କମାଇବାକୁ ଦାବି କରୁଛନ୍ତି। ଅନ୍ୟାନ୍ୟ ସାମଗ୍ରୀ ସହିତ ମଦ ଦାମ୍‌ ମଧ୍ୟ ଅତ୍ୟଧିକ ବଢ଼ିଯାଇଛି। ଜଗନ ମୋହନ ରେଡ୍ଡୀ ମଦ ଦାମ୍‌ ନିପ୍‌ ପିଛା ୬୦ ଟଙ୍କାରୁ ୨୦୦ ଟଙ୍କାକୁ ବଢ଼ାଇ ୧୦୦ ଟଙ୍କା ନେଉଛନ୍ତି ବୋଲି ଟିଡିପି ମୁଖ୍ୟ ଅଭିଯୋଗ କରିଛନ୍ତି। ୨୦୨୨-୨୩ରେ ରାଜ୍ୟ ସରକାର ପ୍ରାୟ ୨୪ ହଜାର କୋଟି ଟଙ୍କା ଅବକାରୀ ରାଜସ୍ୟ ଆଦାୟ କରିଛନ୍ତି।
ସୂଚନାଯୋଗ୍ୟ, ଆନ୍ଧ୍ରପ୍ରଦେଶ ପାଇଁ ବିଜେପି-ଟିଡିପି-ଜନସେନା ଆସନ ବୁଝାମଣା କରିଛନ୍ତି। ଏଠାରେ ବିଜେପି ୬ଟି ଲୋକସଭା ଏବଂ ୧୦ଟି ବିଧାନସଭାରେ ନିର୍ବାଚନ ଲଢ଼ିବ। ସେହିଭଳି ଟିଡିପି ୧୭ଟି ଲୋକସଭା ଏବଂ ୧୪୪ଟି ବିଧାନସଭା ଆସନ ଏବଂ ଜନସେନା ପାର୍ଟି ୨ଟି ଲୋକସଭା ଓ ୨୧ଟି ବିଧାନସଭା ଆସନରେ ଲଢ଼ିବ ବୋଲି ବୁଝାମଣା ହୋଇଛି।

ସମ୍ବନ୍ଧିତ ଖବର