କଣ୍ଟେଇମୁଣ୍ଡି ବାଇଗଣକୁ ଜିଆଇ ଟ୍ୟାଗ୍‌ ସାର୍ଟିଫିକେଟ୍‌

ଖଣ୍ଡପଡ଼ା: ଖଣ୍ଡପଡ଼ା ବ୍ଲକ୍‌ ଅଧୀନ ବିଭିନ୍ନ ଅଞ୍ଚଳରୁ ଉତ୍ପାଦିତ କଣ୍ଟେଇମୁଣ୍ଡି ବାଇଗଣକୁ ଜିଆଇ ଟ୍ୟାଗ୍‌ ମାନ୍ୟତା ମିଳିଛି। ଗତ ୨ତାରିଖରେ ଏନେଇ ସାର୍ଟିଫିକେଟ୍‌ ପ୍ରଦାନ କରାଯାଇଛି। ନୟାଗଡ଼ ଜିଲ୍ଲା କୃଷି ବିଜ୍ଞାନ କେନ୍ଦ୍ର ଓ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟର ମିଳିତ ଉଦ୍ୟମରେ ଜିଆଇ ଟ୍ୟାଗ୍‌ ପାଇଁ ଦରଖାସ୍ତ କରାଯାଇଥିଲା। ଗତ ଜାନୁଆରି ମାସ ୨ ତାରିଖରେ ପ୍ରଥମେ ମାନ୍ୟତା ପ୍ରଦାନ ନେଇ ଘୋଷଣା କରାଯାଇଥିବା ବେଳେ ଏବେ ସାର୍ଟିଫିକେଟ୍‌ ପ୍ରଦାନ କରାଯାଇଛି। ଚେନ୍ନାଇସ୍ଥିତ କାର୍ଯ୍ୟାଳୟ ପକ୍ଷରୁ ବାଣପୁର ନୀଳମାଧବ କୃଷି ସଂଗଠନକୁ ଏହି ସାର୍ଟିଫିକେଟ୍‌ ମିଳିଛି। ଏହି ସୂଚନା ମିଳିବା ପରେ କଣ୍ଟିଲୋ, ଖଣ୍ଡପଡ଼ା ଓ ନୟାଗଡ଼ ଅଞ୍ଚଳର ଚାଷୀ ଓ ସାଧାରଣ ଲୋକଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ଉଲ୍ଲେଖଯୋଗ୍ୟ, ଖଣ୍ଡପଡ଼ା ଅଞ୍ଚଳର ମହାନଦୀ କୂଳରେ ଥିବା କଣ୍ଟିଲୋ, ବଡ଼ବାଣପୁର, ସିଧାମୂଳା ଭଳି ଅଞ୍ଚଳରେ କଣ୍ଟେଇ ମୁଣ୍ଡି ବାଇଗଣ ବ୍ୟାପକ ଭାବେ ଚାଷ କରାଯାଇଥାଏ। ଏହାର ଚାହିଦା ଓ ସ୍ୱତନ୍ତ୍ରତା ଲାଗି ଦୀର୍ଘକାଳ ଧରି ଜିଆଇ ମାନ୍ୟତା ନିମନ୍ତେ ଦାବି ହୋଇଆସୁଥିଲା।

ସମ୍ବନ୍ଧିତ ଖବର