ରାଜ୍ୟରେ ୩ କୋଟି ୩୫ ଲକ୍ଷ ମୋବାଇଲ୍‌ ଉପଭୋକ୍ତା

ଭୁବନେଶ୍ବର: ରାଜ୍ୟରେ ମୋବାଇଲ୍ ଉପଭୋକ୍ତା ସଂଖ୍ୟା ୩ କୋଟି ୩୫ ଲକ୍ଷରୁ ଅଧିକ ହୋଇଛି। ଭାରତୀୟ ଟେଲିକମ୍ ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ଜାରି କରିଥିବା ତଥ୍ୟ ଅନୁଯାୟୀ ୨୦୨୪ ଫେବ୍ରୁଆରି ସୁଦ୍ଧା ରାଜ୍ୟରେ ମୋବାଇଲ୍ ଉପଭୋକ୍ତା ସଂଖ୍ୟା ୩ କୋଟି ୩୫ ଲକ୍ଷ ୩୦ ହଜାର ୧୪୫ ହୋଇଛି। ଏହି ମାସରେ ଟେଲିକମ୍ ଉପଭୋକ୍ତା ସଂଖ୍ୟାରେ ୧ ଲକ୍ଷ ୭୬ ହଜାର ୬୭୫ ବୃଦ୍ଧି ଘଟିଛି। ରାଜ୍ୟରେ ଥିବା ଚାରି ଟେଲିକମ୍ ଅପରେଟରଙ୍କ ମଧ୍ୟରୁ ଦୁଇଟି କମ୍ପାନି ନୂଆ ଉପଭୋକ୍ତା ଯୋଡ଼ିଥିବା ବେଳେ ଆଉ ଦୁଇ କମ୍ପାନି ଉପଭୋକ୍ତା ହରାଇଛନ୍ତି।

ରିଲାଏନ୍ସ ଜିଓର ମୋବାଇଲ୍‌ ଉପଭୋକ୍ତା ସଂଖ୍ୟା ୮୭ ହଜାର ୫୬ ବଢ଼ିବାରୁ ଏହାର ମୋଟ ଉପଭୋକ୍ତା ସଂଖ୍ୟା‌ ଦେଢ଼ କୋଟିରୁ ଅଧିକ ହୋଇଛି। ରାଜ୍ୟର ସର୍ବାଧିକ ମୋବାଇଲ୍ ଉପଭୋକ୍ତା ଜିଓ ପାଖରେ ରହିଛନ୍ତି। ଏୟାରଟେଲ୍‌ ଫେବ୍ରୁଆରିରେ ୫୮ ହଜାର ୭୩ ନୂଆ ଉପଭୋକ୍ତା ଯୋଡ଼ିବା ପରେ ଏୟାରଟେଲ୍‌ର ମୋଟ୍‌ ଉପଭୋକ୍ତା ସଂଖ୍ୟା ୧ କୋଟି ୧୫ ଲକ୍ଷ ୬୦ ହଜାରରୁ ଅଧିକ ହୋଇଛି। ଚଳିତ ବର୍ଷ ଫେବ୍ରୁଆରିରେ ଭୋଡାଫୋନ୍ ଆଇଡିଆ ୨୪,୪୯୬ ଉପ‌ଭୋକ୍ତାଙ୍କୁ ହରାଇବା ପରେ ରାଜ୍ୟରେ ଏହାର ମୋଟ ଉପଭୋକ୍ତା ସଂଖ୍ୟା ୧୪ ଲକ୍ଷ ୫୩ ହଜାର ୭୭୫କୁ ହ୍ରାସ ପାଇଛି। ବିଏସ୍‌ଏନ୍‌ଏଲ୍‌ ମଧ୍ୟ ଆଲୋଚ୍ୟ ମାସରେ ୨୯୫୮ ଉପଭୋକ୍ତାଙ୍କୁ ହରାଇବାରୁ ଏହାର ଉପଭୋକ୍ତା ସଂଖ୍ୟା ୫୪ ଲକ୍ଷ ୪୭ ହଜାର ୧୦୧କୁ ହ୍ରାସ ପାଇଛି।

ସମ୍ବନ୍ଧିତ ଖବର