ବିଜେପିକୁ କ୍ଷମତାରୁ ହଟାଇବା ପାଇଁ ଖେଳ ହେବ: ମମତା

କୋଲକାତା: ଆଗାମୀ ୨୦୨୪ ଲୋକସଭା ନିର୍ବାଚନରେ ​​ବିଜେପିକୁ କ୍ଷମତାରୁ ହଟାଇବା ପାଇଁ ବିରୋଧୀ ଦଳମାନେ ଏକଜୁଟ ହେବେ ଏବଂ ବହୁତ ବଡ଼ ‘ଖେଲା ହୋବେ’ (ଖେଳ ହେବ) ବୋଲି କହିଛନ୍ତି ପଶ୍ଚିମବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ।ଏଥିପାଇଁ ଟିଏମ୍‌ସି ଅନ୍ୟ ବିରୋଧୀ ଦଳ ସହ ହାତ ମିଳାଇବେ ବୋଲି ମମତା କହିଛନ୍ତି। ଏକ ଦଳୀୟ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ତୃଣମୂଳ ସୁପ୍ରିମୋ କହିଛନ୍ତି, ଅହଙ୍କାର ଏବଂ ଲୋକଙ୍କ କ୍ରୋଧ ଯୋଗୁଁ ବିଜେପି କ୍ଷମତାଚ୍ୟୁତ ହେବ। ୨୦୨୪ ନିର୍ବାଚନ ପାଇଁ ନୀତୀଶ କୁମାର, ହେମନ୍ତ ସୋରେନ ଏବଂ ଅନ୍ୟମାନଙ୍କ ସହ ମୁଁ ମିଳିତ ଭାବେ କାମ କରିବାକୁ ପ୍ରସ୍ତୁତ ବୋଲି ମମତା କହିଛନ୍ତି। ସମସ୍ତ ବିରୋଧୀ ଦଳ ଏକଜୁଟ ହେଲେ ବିଜେପି ପରାସ୍ତ ହେବା ନିଶ୍ଚିତ ବୋଲି ମମତା କହିଛନ୍ତି। ସେ କହିଛନ୍ତି, ସିବିଆଇ ଏବଂ ଇଡି ଦ୍ୱାରା ବିଜେପି ଆମକୁ ଧମକ ଦେଉଛି। ସେମାନେ ଯେତେ ଅଧିକ କୌଶଳ ଅନୁସରଣ କରିବେ, ଆଗାମୀ ପଞ୍ଚାୟତ ନିର୍ବାଚନ ଏବଂ ୨୦୨୪ ଲୋକସଭା ନିର୍ବାଚନରେ ​​ସେମାନେ ପରାଜୟର ସେତିକି ନିକଟତର ହେବେ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ଦୁର୍ନୀତି ମାମଲାରେ ବରିଷ୍ଠ ନେତା ପାର୍ଥ ଚାଟାର୍ଜୀ ଏବଂ ଅନୁବ୍ରତ ମଣ୍ଡଳଙ୍କୁ ଗିରଫ କରାଯିବା ପରେ ମମତା କେନ୍ଦ୍ର ସରକାରକୁ ଲଗାତାର ଟାର୍ଗେଟ କରିଚାଲିଛନ୍ତି।

ସମ୍ବନ୍ଧିତ ଖବର