କୋଇଲା ବୋଝେଇ ଦୁଇ ଟ୍ରକ ଜବତ, ବ୍ୟବସାୟୀ ଗିରଫ

ଭୁବନେଶ୍ବର : ଚୋରାରେ କୋଇଲା କାରବାର କରୁଥିବା ଜଣେ ବ୍ୟବସାୟୀଙ୍କୁ କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍‌ ଗିରଫ କରିଛି। ସେ ହେଲେ ନୟାଗଡ଼ ଜିଲ୍ଲା ଫତେଗଡ଼ ବନମାଳିପୁର ଅଞ୍ଚଳର ଉମାକାନ୍ତ ସାହୁ। ଏସ୍‌ଟିଏଫ୍‌ ତାଙ୍କଠାରୁ ସାଢ଼େ ୭୨ ମେଟ୍ରିକ୍‌ ଟନ୍‌ କୋଇଲା ସହ ଦୁଇଟି ଟ୍ରକ୍‌ ଜବତ କରିଛି। ଜବତ କୋଇଲାର ବଜାର ମୂଲ୍ୟ ୫ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଆକଳନ କରାଯାଉଛି।

ବୁଧବାର ଦିନ ଉମାକାନ୍ତ ଓ ତା’ ସହଯୋଗୀ ତାଳଚେରରୁ କୋଇଲା ଆଣିବା ପାଇଁ ଯାଇଥିବା ଏସ୍‌ଟିଏଫ୍‌ ହାତରେ ଖବର ଲାଗିଥିଲା। ତେଣୁ ତାଙ୍କୁ ଧରିବା ପାଇଁ ଏସ୍‌ଟିଏଫ୍‌ର ଏକ ଟିମ୍‌ ନୟାଗଡ଼ ବନମାଳିପୁର ଅଞ୍ଚଳରେ ଡେରା ପକାଇଥିଲା। ବିଳମ୍ବିତ ରାତିରେ ଉମାକାନ୍ତ ଟ୍ରକ୍‌ରେ କୋଇଲା ଧରି ଫେରୁଥିବା ବେଳେ ଏସ୍‌ଟିଏଫ୍‌ ପିଛା କରିଥିଲା। ଅଭିଯୁକ୍ତମାନେ ଜାଣି ପାରି ଫେରାର୍‌ ହେବାକୁ ଉଦ୍ୟମ କରିଥିଲେ। କିନ୍ତୁ କିଛି ବାଟ ଗୋଡ଼ାଗୋଡ଼ି ପରେ ଏସ୍‌ଟିଏଫ୍‌ ଦୁଇଟିଯାକ ଟ୍ରକ୍‌କୁ ଜବତ କରିବା ସହ ଉମାକାନ୍ତକୁ କାବୁ କରିଥିଲା। ଅନ୍ୟ ଏକ ଗାଡ଼ିରେ ଟ୍ରକ୍‌କୁ ଏସ୍‌କର୍ଟ କରୁଥିବା ଉମାକାନ୍ତର କିଛି ସହଯୋଗୀ ଘଟଣାସ୍ଥଳରୁ ଖସି ପଳାଇଥିଲେ।

ସମ୍ବନ୍ଧିତ ଖବର