ରେଳଲାଇନ୍ ଅତିକ୍ରମ ବେଳେ ଦୁଇ ଥର ଜୀବନକୁ ବିପଦରେ ପକାଇଲେ ମହିଳା, ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ଜୀବନ-ମୃତ୍ୟୁର ଚକ୍ର ଭିତରେ ମୃତ୍ୟୁ ଯେ କେତେବେଳେ ଆସି ଆମ ନିକଟରେ ପହଞ୍ଚିବ ସେକଥା ହୁଏତ ଆମେ ଜାଣି ନଥିବା । ଓଡ଼ିଆ ଭାଗବତରେ ଲେଖାଅଛି- ‘ଦଣ୍ଡେ ନିମିଷ ଥିଲେ ପ୍ରାଣ, ନେଇ ନପାରେ ଜନ୍ତୁରାଣ ।’  ଅର୍ଥାତ ଯାହାର ବଞ୍ଚିବାର ଯୋଗ ଥିବ ସେ ମହାମହା ବିପଦରୁ ବି ମୁକୁଳି ଆସିବ।

ସେମିତି ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଯେଉଁଥିରେ ଜଣେ ରେଳ କର୍ମଚାରୀ ନିଜ ଜୀବନକୁ ବିପଦରେ ପକାଇ ମହିଳାଙ୍କୁ ମୃତ୍ୟୁ ମୁଖରୁ ଉଦ୍ଧାର କରୁଛନ୍ତି, ହେଲେ ପୁନର୍ବାର ଗୋଟିଏ ପାଣି ବୋତଲ ପାଇଁ ନିଜ ଜୀବନକୁ ଆଉ ଥରେ ବିପଦରେ ପକାଇଉଛନ୍ତି। ଏହି ଘଟଣାର ଭିଡିଓ ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛି ।

ଘଟଣାଟି ଉତ୍ତରପ୍ରଦେଶର ଶିକୋହାବାଦ ଅଞ୍ଚଳର । ଖବର ଅନୁଯାୟୀ, ଜଣେ ମହିଳା ଉତ୍ତରପ୍ରଦେଶର ଶିକୋହାବାଦ ଷ୍ଟେସନରେ ବେଆଇନ ଭାବେ ରେଳ ଟ୍ରାକ୍ ଅତିକ୍ରମ କରୁଥିଲେ । ହେଲେ ସେ ପ୍ଲାଟଫର୍ମ ଉପରକୁ ଚଢିପାରୁ ନଥିଲେ ଠିକ୍ ସେହି ସମୟରେ ଆରପଟୁ ଏକ ଟ୍ରେନ୍ ଦ୍ରୁତ ଗତିରେ ଆସୁଥିଲା । ସେହିସମୟରେ ରାମସ୍ବରୂପ ମୀନା ନାମକ ଜଣେ ସଚେତନ ରେଳ କର୍ମଚାରୀ ମହିଳାଙ୍କୁ ଉଦ୍ଧାର କରିବାକୁ ଦୌଡ଼ିଯାଇଥିଲେ । ମହିଳାଙ୍କୁ ଉଦ୍ଧାର କରି ସେ ସୁରକ୍ଷିତ ସ୍ଥାନରେ ଛାଡ଼ିଥିଲେ । ହେଲେ ମହିଳା ଜଣକ ପୁନର୍ବାର ପ୍ଲାଟଫର୍ମ କଡ଼ରେ ରଖିଥିବା ପାଣି ବୋତଲ ଆଣିବାକୁ ଦ୍ରୁତ ବେଗରେ ଆସୁଥିବା ଟ୍ରେନ ନିକଟକୁ ଚାଲିଯାଇଥିଲେ। ଆଖି ପିଛୁଳାବେ ତାଙ୍କ ମୁଣ୍ଡ ପାଖରୁ ମାତ୍ର ଅଳ୍ପ ବ୍ୟବଧାନରେ ସୁପରଫାଷ୍ଟ ଟ୍ରେନ୍ ଅତିକ୍ରମ କଲାବେଳେ ସେ ବୋତଲଟି ଉଠାଇ ଆଣିଥିଲେ । ତା’ପରେ ସେ  ମହିଳା ଜଣକ ଏପରି ଭାବରେ ଚାଲିଗଲେ ଯେପରି ତାଙ୍କ ସହ କିଛି ଘଟିନାହିଁ । ଏହି ଘଟଣାଟି ସିସିଟିଭି କ୍ୟାମେରାରେ ରେକର୍ଡ ହୋଇଥିଲା । ପରେ ଏହା ଭାଇରାଲ ହେବାରେ ଲାଗିଛି ।

ସମ୍ବନ୍ଧିତ ଖବର