ଦେବଗଡରେ ମେରୁଯାତ୍ରାରେ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଦେବଗଡ଼: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ଦେବଗଡ଼ ଜିଲ୍ଲା ଆଁଉଳୀଠାରେ ମା’ ଭଦ୍ରକାଳୀଙ୍କ ମେରୁଯାତ୍ରା ପର୍ବରେ ସାମିଲ ହେବା ସହ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି । ସେ କହିଛନ୍ତି ଦେବଗଡରେ ମା’ ଭଦ୍ରକାଳୀ ମେରୁଯାତ୍ରାରେ ସାମିଲ ହେବା ମୋ ପାଇଁ ପରମ ସୌଭାଗ୍ୟ । ଶିବ ଓ ଶକ୍ତି ଉପାସନାର ପର୍ବ ମେରୁ ଯାତ୍ରା । ମେରୁଯାତ୍ରା ଆମ ଲୋକ ପରମ୍ପରାରେ ସ୍ୱତନ୍ତ୍ର ସ୍ଥାନ ବଜାୟ ରଖିଛି ।

ଏହି ଅବସରରେ ପୁରାତନ ବନ୍ଧୁମାନଙ୍କୁ ଭେଟି ମନ ଆନନ୍ଦିତ ହେଲା ବୋଲି ସେ କହିଥିଲେ। ଦେବଗଡରେ ପ୍ରତିଷ୍ଠିତ ସଂସ୍କୃତ ବିଶ୍ୱବିଦ୍ୟାଳୟ ସ୍ଥାନୀୟ ଅଞ୍ଚଳର ବୌଦ୍ଧିକ କ୍ଷମତାର ପରିଚୟ ଦେଉଛି ବୋଲି ସେ କହିଥିଲେ ।

ଆଁଉଳୀ ଠାରେ ମା’ ଭଦ୍ରକାଳୀ, ଡଙ୍ଗାଘାଟ ରିଆମାଳସ୍ଥିତ କାଳୀ ମନ୍ଦିରରେ ଦର୍ଶନ କରିବା ସହ ବିଶ୍ୱରେ ଶାନ୍ତି, ସଦିଚ୍ଛା ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ବଢିବା ନେଇ ସେ କାମନା କରିଥିଲେ । ସେହିପରି ଦେବଗଡ଼ ରିଆମାଳ ଦଲକ ଝରଣଠାରେ ବାବା ସ୍ୱର୍ଗତ ପ୍ରଭାକର ଦାସଙ୍କ ଦ୍ୱାରା ପ୍ରତିଷ୍ଠିତ ଦ୍ୱିତୀୟ ଯୋରନ୍ଦାଧାମ “ଅଲେଖ ମହିମା ପୀଠ” ଦର୍ଶନ କରିଥିଲେ ।

ସେ କହିଥିଲେ ମହିମା ଧର୍ମର ପରମ୍ପରା ସମାଜରେ ଭାତୃତ୍ବଭାବକୁ ସୁଦୃଢ କରିବା ସହ ଶୂନ୍ୟ ଭଗବାନଙ୍କ ନିକଟରେ ଶରଣ ନେବାର ଦୁର୍ମୂଲ୍ୟ ବିଚାର ସମାଜକୁ ଦେଉଛି । ଏହି ପରମ୍ପରା ସମାଜକୁ ସର୍ବୋପରି ମାର୍ଗଦର୍ଶନ ଦେଉ ବୋଲି ସ‌େ କାମନା କରିଥିଲେ । ଦେବଗଡ଼ ନିର୍ବାଚନମଣ୍ଡଳୀରେ ବିଭିନ୍ନ ସ୍ଥାନରେ କାର୍ଯ୍ୟକର୍ତ୍ତାମାନେ କେନ୍ଦ୍ରମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ ।

ସମ୍ବନ୍ଧିତ ଖବର