ଭୁବନେଶ୍ୱର: ଏକ ମିଛ ମାମଲାରେ ପୂରା ପରିବାରକୁ ପୁଲିସ୍ ଜେଲ ପଠାଇଦେଲା। ଜେଲ୍ ଯିବା ପୂର୍ବରୁ ପରିବାରଲୋକ ଘରର ଚାବି ପୁଲିସକୁ ଦେଇ ଗଲେ। ତେବେ ୪୫ ଦିନ ପରେ ଜାମିନ୍ରେ ଫେରିବା ପରେ ଘର ଖୋଲି ସେମାନେ ଯାହା ଦେଖିଲେ, ତାହା ଆଶ୍ଚର୍ଯ୍ୟ କରିବା ଭଳି ଥିଲା। କିଛି ଦୁର୍ବୃତ୍ତ ତାଙ୍କ ଘରେ ପଶି ସର୍ବସ୍ବ ଲୁଟି ନେଇଥିଲେ। ୬ବଖରା ଘରର ଆଜ୍ବେଷ୍ଟସ ଭାଙ୍ଗି ଦୁର୍ବୃତ୍ତମାନେ ଆଲମିରାରେ ଥିବା ସବୁ ଟଙ୍କା, ସୁନା ଗହଣା, ଏପରିକି ଧାନ ଚାଉଳ, ପିନ୍ଧା ଲୁଗା ବି ଲୁଟି ନେଇଥିଲେ। ବାକି ଯାହା ବି ଜିନିଷ ଥିଲା ତାକୁ ଗୁଣ୍ଡ କରି ମାଟିରେ ମିଶାଇ ଦେଇଥିଲେ। ଘରେ ଥିବା ଗୋଟିଏ ବାଇକ୍କୁ ଭାଙ୍ଗି ଦେଇଥିଲେ। ଆଉ ଗୋଟିଏ ବାଇକର ଦୁଇ ଚକା ଖୋଲି ନେଇଥିଲେ। ଜେଲ୍ରୁ ଫେରିଥିବା ୭ ସଦସ୍ୟଙ୍କ ପାଖରେ ପିନ୍ଧିବାକୁ ଲୁଗା ନଥିଲା କି ଖାଇବାକୁ ଚାଉଳ ମଧ୍ୟ ନଥିଲା। ପୁଲିସ ପାଖରେ ଚାବି ଥିବା ବେଳେ କିଏ ଘର ଭାଙ୍ଗିଲା, ଜିନିଷ ନେଲା କିଏ?, ତାହାର ଉତ୍ତର ପୁଲିସ ପାଖରେ ମଧ୍ୟ ନାହିଁ। ବଡ଼ କଥା ହେଉଛି, ଏହି ଚୋରି ଓ ଭଙ୍ଗାରୁଜାର ଅଭିଯୋଗ ନେଇ ଥାନାକୁ ଗଲା ବେଳେ ପୁଲିସ ଏତଲା ମଧ୍ୟ ରଖିନଥିଲା। ଏଭଳି ଏକ ଅଭାବନୀୟ ତଥା ଅମାନବୀୟ ଘଟଣା କେଉଁ ଉପାନ୍ତ ଅଞ୍ଚଳରେ ନୁହେଁ, ବରଂ କମିସନରେଟ୍ ପୁଲିସ ଅଧୀନ ବାଲିପାଟଣା ଥାନା ଅଞ୍ଚଳରେ ଘଟିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଏ ନେଇ ପରିବାର ଲୋକ ପୁଲିସ କମିସନର ସତ୍ୟଜିତ ମହାନ୍ତିଙ୍କୁ ଭେଟିଥିଲେ। ସପ୍ତାହକ ମଧ୍ୟରେ ରିପୋର୍ଟ ଦେବାକୁ କମିସନର ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଏଯାଏଁ ପୁଲିସ ତଦନ୍ତ ଆରମ୍ଭ ହୋଇନାହିଁ। ଯେଉଁ ଅଧିକାରୀଙ୍କ ସମୟରେ ଏହି ଘଟଣା ଘଟିଥିଲା, ସେ ଏବେ ବଦଳି ଗଲେଣି। ଏଣେ ନ୍ୟାୟ ପାଇଁ ପରିବାରବର୍ଗ ବାରଦୁଆର ହେଉଛନ୍ତି। ପୁରୁଣା ଅଫିସର ବଦଳି ଯାଇଥିବା ଯୋଗୁଁ ଅନ୍ୟ ଅଫିସର ଏଭଳି ବିବାଦକୁ ପଶିବାକୁ ଚାହୁଁ ନାହାନ୍ତି।
ମିଛ ମାମଲାରେ ପୂରା ପରିବାର ଯାଇଥିଲେ ଜେଲ!
ପୁଲିସ ରଖିଲା ଘର ଚାବି, ଦୁର୍ବୃତ୍ତ ବୁଲାଇଲେ କଳାକନା
ସୂଚନା ମୁତାବକ, ବାଲିପାଟଣା ଥାନା ଝିଣ୍ଟିଶାସନ ଗ୍ରାମର ତିନି ଭାଇ କୃଷ୍ଣଚନ୍ଦ୍ର ମୁଦୁଲି, ପ୍ରଭାକର ମୁଦୁଲି ଓ କୈଳାସ ମୁଦୁଲିଙ୍କର ଜମିବାଡ଼ିକୁ କେନ୍ଦ୍ର କରି ପଡ଼ୋଶୀ ସୁରେନ୍ଦ୍ର ମୁଦୁଲିଙ୍କ ସହ ଶତ୍ରୁତା ଲାଗି ରହିଥିଲା। ବିଭିନ୍ନ ସମୟରେ ପରିବାରର ସଦସ୍ୟମାନେ ମୁହାଁମୁହିଁ ହେଉଥିଲେ। ଗତ ଜୁନ୍ ୬ ତାରିଖ ଦିନ ଉଭୟ ପରିବାର ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହେବା ସହ ଆକ୍ରମଣ ପ୍ରତି ଆକ୍ରମଣ ଅଭିଯୋଗ ହୋଇଥିଲା। ସୁରେନ୍ଦ୍ରଙ୍କ ଅଭିଯୋଗକୁ ଆଧାର କରି କୃଷ୍ଣ, ପ୍ରଭାକର ଓ କୈଳାସଙ୍କ ପରିବାରରୁ ମହିଳାଙ୍କ ସମେତ ୭ଜଣଙ୍କୁ ବାଲିପାଟଣା ଥାନା ପୁଲିସ କୋର୍ଟ ଚାଲାଣ କରିଥିଲା। ଏହାକୁ ମିଛ ମାମଲା ଓ ଆକ୍ରୋଶମୂଳକ ଭାବେ କରାଯାଇଥିବା ଏହି ତିନି ପରିବାର ପକ୍ଷରୁ ଅଭିଯୋଗ ହୋଇଥିଲା। ଯେଉଁ ଜମିକୁ ନେଇ ବିବାଦ ରହିଥିଲା ସେହି ଜମି ଉପରେ ଥିବା ୬ ବଖରା ଘରେ ପୁଲିସ ତାଲା ପକାଇ ଦେଇଥିଲା। ଏହି ୭ ଜଣ ଦେଢ଼ମାସ ପରେ ଅର୍ଥାତ୍ ଗତ ଜୁଲାଇ ୨୪ ତାରିଖରେ ଜାମିନ୍ରେ ଫେରିଥିଲେ। ଫେରିବା ପରେ ଘରର ଚାବି ପାଇଁ ଥାନାକୁ ଯାଇଥିଲେ। ଥାନା ଇନ୍ସ୍ପେକ୍ଟରଙ୍କ ନିର୍ଦ୍ଦେଶ କ୍ରମେ ଗ୍ରାମରକ୍ଷୀ ଚାବି ଖୋଲିଥିଲା। ଚାବି ଖୋଲିବା ପରେ ଘରୁ ଏଭଳି ଚୋରି ହୋଇଥିବା ଜଣାପଡ଼ିଥିଲା, ଯାହାର ସାକ୍ଷୀ ଭାବରେ ଗ୍ରାମରକ୍ଷୀ ରହିଥିବା ୩ ପରିବାରର ସଦସ୍ୟ କହିଛନ୍ତି। ଏନେଇ ଥାନାରେ ଏତଲା ଦିଆଯାଇଥିଲେ ମଧ୍ୟ ମାମଲା ରୁଜୁ ହୋଇ ନାହିଁ। ଏ ସମ୍ପର୍କରେ ଜୋନାଲ ଏସିପି ଅମରେନ୍ଦ୍ର ପଣ୍ଡା କହିଛନ୍ତି, ଘଟଣାର ତଦନ୍ତ ଚାଲିଛି। ଅଭିଯୋଗର ସତ୍ୟତା ଥିଲେ ପୁଲିସ ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ।