୨୦ କୋଟି ଠକେଇ ଘଟଣା : ସିବିଆଇ ତଦନ୍ତ ଆରମ୍ଭ

ଭୁବନେଶ୍ୱର : ଏୟାରଫିଲ୍ଡ ଥାନା ଅଧୀନରେ ୨୦କୋଟି ଟଙ୍କାର ଠକେଇ ହୋଇଛି। ହେଲେ ପୁଲିସ ଶୁଣୁନି। ଏଣୁ ମୁଖ୍ୟମନ୍ତ୍ରୀଙ୍କୁ ଗୁହାରି କରିଛନ୍ତି ଅଭିଯୋଗକାରୀ। ମୁଖ୍ୟମନ୍ତ୍ରୀ ଏହି ଘଟଣାରେ ହସ୍ତ‌େକ୍ଷପ ଠକକୁ ଗିରଫ କରିବା ପାଇଁ କମିସନରେଟ୍‌ ପୁଲିସ୍‌କୁ ନିର୍ଦ୍ଦେଶ ଦେବା ପାଇଁ ଲେଖିଛନ୍ତି। ଅନ୍ୟପଟେ ଅଭିଯୋଗକୁ ଆଧାର କରି ସିବିଆଇ ଏହାର ତଦନ୍ତ ଆରମ୍ଭ କରିଛି। ଅଭିଯୋଗକାରୀଙ୍କଠାରୁ ସମସ୍ତ କାଗଜପତ୍ର ତଲବ କରିଛି।  ସୂଚନା ମୁତାବକ, ଏୟାରଫିଲଡ୍‌ ଥାନା ଅଧୀନ ଭୀମଟାଙ୍ଗିରେ ରହୁଥିବା ଅଶୋକ ଦାସ ଏହି ଠକେଇର ଶିକାର ହୋଇଛନ୍ତି। ଏକ ବିଲଡର୍‌ ସଂସ୍ଥାର ମାଲିକ ତାଙ୍କୁ ଧେକା ଦେଇ ଏଭଳି ଠକିଥିବା ସେ ଅଭିଯୋଗରେ ଦର୍ଶାଇଛନ୍ତି। ୨୦୦୯ ମସିହାରୁ ୨୦୧୮ ମସିହା ପର୍ଯ୍ୟନ୍ତ ୯ ବର୍ଷ ମଧ୍ୟରେ ବିଭିନ୍ନ ସମୟରେ ସଂସ୍ଥା ଏଭଳି ଠକେଇ କରିଥିବା ଶ୍ରୀ ଦାସ କହିଛନ୍ତି। ଅଭିଯୋଗକାରୀ ଅଭିଯୁକ୍ତଙ୍କ ସହ ମିଶି କାମ କରୁଥିଲେ। ପରେ ଉଭୟଙ୍କ ମଧ୍ୟରେ ହୋଇଥିବା ଚୁକ୍ତି ମୁତାବକ ଅଭିଯୁକ୍ତ ସଂସ୍ଥା କାମ କରିନଥିଲା। ପାଖାପାଖି ୨୦ କୋଟି ଠକିବା ପରେ ଅଭିଯୋଗକାରୀଙ୍କୁ ଆଉ ସଂସ୍ଥା ପାଖରେ ପୂରାଇ ଦେଇନଥିଲା। ଏଣୁ ଶ୍ରୀ ଦାସ ଥାନାରେ ଲିଖିତ ଜଣାଇଥିଲେ। ଏୟାରଫିଲ୍ଡ ଥାନା ପୁଲିସ୍‌ ଏକ ମାମଲା ରୁଜୁ କରିଥିଲେ ମଧ୍ୟ ତଦନ୍ତ ଆଗକୁ ବଢ଼ି ନଥିଲା। ପୁଲିସ ଠକେଇ ସମ୍ବନ୍ଧୀୟ କାଗଜପତ୍ର ଯାଞ୍ଚ କରି ଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା। ଏଣୁ ଶ୍ରୀ ଦାସ ଡିସିପି ଓ କମିସନରଙ୍କୁ ମଧ୍ୟ ଅଭିଯୋଗ କରିଥିଲେ।  ତଥାପି କାର୍ଯ୍ୟାନୁଷ୍ଠାନ ନ ହେବାରୁ ସେ ମୁଖ୍ୟମନ୍ତ୍ରୀଙ୍କୁ ଗୁହାରି କରିଛନ୍ତି। ପୁଲିସ ଅଭିଯୁକ୍ତଙ୍କୁ ଘଣ୍ଟ ଘୋଡ଼ଉଛି ଓ ମାନସିକ ନିର୍ଯାତନା ଦେଉଛି ବୋଲି ଶ୍ରୀ ଦାସ ଲେଖିଛନ୍ତି। ଏନେଇ ଡିସିପି ଏସିପିଙ୍କ ସହ ଆଲୋଚନା କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କହିଥିବା ବେଳେ ଏସିପି ଫଗୁଆ ସିଂ ଘଟଣାର ତଦନ୍ତ ଚାଲିଥିବା କହିଛନ୍ତି। ଏପଟେ ସିବିଆଇ ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର