ଫାଣ୍ଡି କର୍ମଚାରୀଙ୍କୁ ଆକ୍ରମଣ ଘଟଣା : ୩୬ ଘଣ୍ଟା ପରେ ବି ଅଭିଯୁକ୍ତଙ୍କ ପତ୍ତା ପାଉନି ପୁଲିସ

ସିସିଟିଭି ଫୁଟେଜ ଦେଖି‌ଲେ ପୁଲିସ କମିସନର, ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି କଲା ଉଭୟ ସଂଗଠନ

ଭୁବନେଶ୍ବର : କ୍ୟାପିଟାଲ ହସ୍ପିଟାଲ ଫାଣ୍ଡିର ୪ଜଣ କର୍ମଚାରୀଙ୍କୁ ସଂଘବଦ୍ଧ ଆକ୍ରମଣ ଘଟଣାକୁ ୩୬ ଘଣ୍ଟାରୁ ଊର୍ଧ୍ବ ସମୟ ବିତିଗଲାଣି। କିନ୍ତୁ ଏଯାଏଁ ପୁଲିସ ଅଭିଯୁକ୍ତମାନଙ୍କୁ ଗିରଫ କରିବାକୁ ସକ୍ଷମ ହୋଇପାରିନାହିଁ। ଅଭିଯୁକ୍ତମାନେ ଏବେ ଖୁଲମ୍‌ଖୁଲା ରାଜଧାନୀରେ ବୁଲୁଛନ୍ତି। ସେହିପରି କାର୍ଯ୍ୟରତ ପୁଲିସ କର୍ମଚାରୀଙ୍କୁ ଏଭଳି ସଂଘବଦ୍ଧ ଆକ୍ରମଣ ହେବା ପରେ ଭୁବନେଶ୍ବର ସିପାହୀ ସଂଘ ଓ ହାବିଲଦାର-କନଷ୍ଟେବଲ ସଂଘ ମୁହଁ ଖୋ‌ଲିଛନ୍ତି। ସଂଘର କାର୍ଯ୍ୟକର୍ତ୍ତାମାନେ କହିଛନ୍ତି, ଯେହେତୁ ପୁଲିସ ଆଇନଗତ କାର୍ଯ୍ୟାନୁଷ୍ଠାନ ନେଉଛି, ଆମେ ସେଥିପାଇଁ କୌଣସି ବିରୋଧୀ ବୟାନ ଦେଇପାରିବୁ ନାହିଁ। କିନ୍ତୁ ଅଭିଯୁକ୍ତମାନଙ୍କ ବିରୋଧ‌‌‌ରେ ପୁଲିସ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଆମର ଆଶା ରହିଛି। ଅନ୍ୟପକ୍ଷରେ ଏନେଇ ଆଜି ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ନିଜେ ପୁଲିସ କମିସନର୍‌ ସତ୍ୟଜିତ ମହାନ୍ତି ଘଟଣାର ବ୍ୟକ୍ତିଗତ ଛାନଭିନ୍ ଆରମ୍ଭ କରିଛନ୍ତି। କ୍ୟାପିଟାଲ ଥାନା ପୁଲିସ ସଂଗ୍ରହ କରିଥିବା ହସ୍ପିଟାଲର ସିସିଟିଭି ଫୁଟେଜ୍‌କୁ ଶ୍ରୀ ମହାନ୍ତି ଦେଖିଛନ୍ତି।

ପ୍ରକାଶଥାଉକି, ବୁଧବାର ରାତିରେ ହସ୍ପିଟାଲ ଫାଣ୍ଡିରେ କାର୍ଯ୍ୟରତ ହାବିଲଦାର ସ୍ମୃତିରଂଜନ ଭୂୟାଁ, କନଷ୍ଟେବଲ ଅଜିତ କୁମାର ସ୍ବାଇଁ, ସିପାହୀ ପ୍ରଶାନ୍ତ ମଲ୍ଲିକ ଓ ମାନସ ଗିରିଙ୍କୁ ଆକ୍ରମଣ ହୋଇଥିଲା। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ମଧ୍ୟ ହୋଇଛି। ଏ ନେଇ କ୍ୟାପିଟାଲ ଥାନାରେ ଅଭିଯୋଗ ହେବା ପରେ ପୁଲିସ ଏକ ମାମଲା ରୁଜୁ କରିଛି। କିନ୍ତୁ ଅଭିଯୁକ୍ତମାନଙ୍କୁ ଗିରଫ କରିବାକୁ ପୁଲିସ ସାହସ ଜୁଟାଇ ପାରୁନାହିଁ। କାରଣ ପୁଲିସ ଉପରେ ଏବେ ବିଭିନ୍ନ ଆଡ଼ୁ ଚାପ ପଡ଼ୁଥିବା ଚର୍ଚା ହେଉଛି। ଅନ୍ୟପକ୍ଷରେ ପୁଲିସ ଉପରେ ଏଭଳି ଆକ୍ରମଣକୁ ଆଜି ନିନ୍ଦା କରିଛି ଆମ ଅଧିକାର ସଂଗଠନ ଓ ସର୍ବଭାରତୀୟ ଗାଣତାନ୍ତ୍ରିକ ମାନବ ଅଧିକାର ସଂଗଠନ। ୩ ଦିନ ମଧ୍ୟରେ ଅଭିଯୁକ୍ତମାନେ ଗିରଫ କରିବାକୁ ଉଭୟ ସଂଗଠନ ପକ୍ଷରୁ ଦାବି କରାଯାଇଛି। ସେହିପରି ଫାଣ୍ଡିକୁ ଉନ୍ନତ ଫାଣ୍ଡିରେ କରିବାକୁ ଉଭୟ ସଂଗଠନ ଦାବି ଜଣାଇଛି। ଫାଣ୍ଡିରେ ଜଣେ ଏସଆଇ ନିଯୁକ୍ତି ଦେବା ସହିତ ପୁଲିସ କର୍ମଚାରୀ ସଂଖ୍ୟା ବୃଦ୍ଧି, ଫାଣ୍ଡିରେ ଲ୍ୟାଣ୍ଡଲାଇନ୍‌ ସଂଯୋଗ, ବିଳମ୍ବିତ ରାତିରେ ହସ୍ପିଟାଲ ପରିସରରେ ପୁଲିସ ପାଟ୍ରୋଲିଂ ବୃଦ୍ଧି କରିବାକୁ ଦାବି ହୋଇଛି।

ସମ୍ବନ୍ଧିତ ଖବର