ଡେଭିସ୍‌ କପ୍‌ ଦଳର ପାକିସ୍ତାନ ଗସ୍ତ ଆଶଙ୍କାରେ

ଚେନ୍ନାଇ/ନୂଆଦିଲ୍ଲୀ: ସେପ୍ଟେମ୍ବର ୧୪ ଓ ୧୫ ତାରିଖ ଦୁଇଦିନ ଧରି ପାକିସ୍ତାନର ଇସ୍‌ଲାମାବାଦରେ ଆୟୋଜିତ ଡେଭିସ୍‌ କପ୍‌ ମୁକାବିଲାରେ ଭାରତର ଅଂଶଗ୍ରହଣ ନେଇ ଆଶଙ୍କା ଦେଖାଦେଇଛି। ଏହି ଗସ୍ତ ବେଳେ ଭାରତୀୟ ଦଳକୁ ପୂର୍ଣ୍ଣ ସୁରକ୍ଷା ଯୋଗାଇଦେବାକୁ ପାକିସ୍ତାନ ପ୍ରତିଶ୍ରୁତି ଦେଇଥିଲା। ଭାରତୀୟ ଦଳ ମଧ୍ୟ ପାକିସ୍ତାନ ଯିବାର ସମସ୍ତ ସମ୍ଭାବନା ସୃଷ୍ଟି ହୋଇଥିଲା। ହେଲେ ଇତିମଧ୍ୟରେ ଉଭୟ ଦେଶ ମଧ୍ୟରେ ପୁଣି ଉତ୍ତେଜନାମୂଳକ ସ୍ଥିତି ଉପୁଜିଛି। ଜମ୍ମୁ ଓ କଶ୍ମୀର ପ୍ରସଙ୍ଗକୁ କେନ୍ଦ୍ର କରି ରାଜନୈତିକ ଉତ୍ତେଜନା ପ୍ରକାଶ ପାଇଥିଲା ବେଳେ ଭାରତ ସହ ସମସ୍ତ କୁଟନୈତିକ ସଂପର୍କ ତୁଟାଇବାକୁ ପାକିସ୍ତାନ ନିଷ୍ପତ୍ତି ନେବା ପରେ ଏବେ ସବୁକିଛି ବିଗିଡ଼ି ଯାଇଛି। ଏପରି ସ୍ଥିତିରେ ଭାରତୀୟ ଡେଭିସ୍‌ କପ୍‌ ଦଳ ପାକିସ୍ତାନ ଗସ୍ତ କରିବା ଅନିଶ୍ଚିତତା ଭିତରକୁ ଠେଲି ହୋଇଯାଇଛି। ଯଦିଓ ପାକିସ୍ତାନର ସୁରକ୍ଷା ବ୍ୟବସ୍ଥା ପ୍ରତିଶ୍ରୁତି ଅପରିବର୍ତିତ ରହିଛି ବୋଲି ଆନ୍ତର୍ଜାତିକ ଟେନିସ୍‌ ମହାସଂଘ (ଆଇଟିଏଫ୍‌) ଗୁରୁବାର ସ୍ପଷ୍ଟ କରିଛି, କିନ୍ତୁ ସେଥିରେ ଭାରତୀୟ ଟେନିସ୍‌ ସଂଘ (ଏଆଇଟିଏ) ସନ୍ତୁଷ୍ଟ ହୋଇନାହିଁ। ଖେଳାଳିଙ୍କ ନିରାପତ୍ତା ଓ ସୁରକ୍ଷା ଆମର ପ୍ରାଥମିକତା ରହିବ। ଏନେଇ ଆୟୋଜକ ପାକିସ୍ତାନ ସମେତ ଜଣେ ସ୍ବାଧୀନ ନିରାପତ୍ତା ପରାମର୍ଶଦାତାଙ୍କ ସହ ଆଲୋଚନା ଜାରି ରହିଥିବା ଆଇଟିଏଫ୍‌ କହିଛି।

ଅନ୍ୟପକ୍ଷରେ ପାକିସ୍ତାନ ଗସ୍ତ ଏବର ପରିସ୍ଥିତିରେ ସମ୍ଭବ ନୁ‌ହେଁ ଏବଂ ଡେଭିସ୍‌ କପ୍‌ ମୁକାବିଲାକୁ ଅନ୍ୟ ସ୍ଥାନ (ନିରପେକ୍ଷ)କୁ ସ୍ଥାନାନ୍ତର କରିବା ପାଇଁ ଭାରତୀୟ ଟେନିସ୍‌ ସଂଘ ଦାବି କରିଛି। ସେଥିପାଇଁ ଏଆଇଟିଏ ଆନ୍ତର୍ଜାତିକ ସଂଘକୁ ଚିଠି ଲେଖିବ ବୋଲି ମହାସଚିବ ହିରନ୍ମୟ ଚାଟାର୍ଜୀ କହିଛନ୍ତି। ଏଥିପାଇଁ ଆଉ କିଛି ଦିନ ଅପେକ୍ଷା କରାଯିବ ବୋଲି ଏଆଇଟିଏ ନିଷ୍ପତ୍ତି ନେଇଛି। ଡେଭିସ୍‌ କପ୍‌ ମୁକାବିଲାର ଗୁରୁତ୍ବ ଦୃଷ୍ଟିରୁ ଗସ୍ତ ବାତିଲ କରିବାକୁ ଆମେ ଚାହୁଁନାହୁଁ। ଏପରିକି ଆଇଟିଏଫ୍‌ ଆମକୁ ଦଣ୍ଡିତ କରୁ ବୋଲି ଆମେ ମଧ୍ୟ ଚାହିଁବୁନି। ତେଣୁ ଆଇଟିଏଫ୍‌ ଉଭୟ ଦେଶ ମଧ୍ୟରେ ଉପୁଜିଥିବା ଉତ୍ତେଜନାମୂଳକ ସ୍ଥିତିକୁ ଭଲ ଭାବେ ବୁଝିପାରିବ ନିରପେକ୍ଷ ସ୍ଥାନକୁ ସ୍ଥାନାନ୍ତର କରିବାକୁ ରାଜି ହେବ ବୋଲି ଚାଟାର୍ଜୀ ଆଶାବାଦୀ ଅଛନ୍ତି। ଏହାସତ୍ତ୍ବେ ଏବର ପାକିସ୍ତାନ ସୁରକ୍ଷା ବ୍ୟବସ୍ଥାରେ ଆଇଟିଏଫ୍‌ ସନ୍ତୋଷ ପ୍ରକାଶ କରେ ତେବେ ଆମେ ଗସ୍ତ ସଂପର୍କରେ ବିଚାର କରିବୁ ବୋଲି ଚାଟାର୍ଜୀ କହିଛନ୍ତି। ଯଦି ସବୁକିଛି ଭୁଲ ହୋଇଯାଏ, ତେବେ ସେଥିପାଇଁ ଆଇଟିଏଫ୍‌ ଅଧିକାରୀମା‌ନେ ଦାୟୀ ରହିବେ। ତେଣୁ ଆଇଟିଏଫ୍‌ ଅଧିକାରୀମାନେ ଏହି ପ୍ରସଙ୍ଗକୁ ହାଲୁକା ଭାବେ ନେବେ ନାହିଁ ବୋଲି ଚାଟାର୍ଜୀ ଆଶା ବ୍ୟକ୍ତ କରିଛନ୍ତି।

ସମ୍ବନ୍ଧିତ ଖବର