ମୋଦୀ ହଟାଅ-ଭାରତ ମାତା କି ଜୟ

ଦୁଇ ଦିନିଆ ଧର୍ମଘଟ ଡାକରା ଦେଇଥିବା ବିଭିନ୍ନ ସଂଗଠନ ପକ୍ଷରୁ ଆଜି ମାଷ୍ଟରକ୍ୟାଣ୍ଟିନ୍ ଛକରେ ରାସ୍ତାରୋକ କରାଯାଇଥିଲା। ସିପିଆଇ ଅନୁବନ୍ଧିତ ଏଆଇଟିୟୁସିର କର୍ମୀମାନେ ମାଷ୍ଟରକ୍ୟାଣ୍ଟିନ୍ ଛକ ଉପରେ ପିକେଟିଂ କରୁଥିବା ବେଳେ ରାଜ୍ୟ ବିଜେପି ପକ୍ଷରୁ ଚାଷୀ ସମାବେଶରେ ଯୋଗ ଦେବା ପାଇଁ ଏକ ବାଇକ ଶୋଭାଯାତ୍ରା ସେହି ସମୟରେ ମାଷ୍ଟରକ୍ୟାଣ୍ଟିନ୍ ଛକରେ ପହଞ୍ଚିଥିଲା। ଫଳରେ ଏଆଇଟିୟୁସି ଓ ବିଜେପି କର୍ମୀମାନେ ମୁହାଁମୁହିଁ ହୋଇଥିଲେ। ଏଆଇଟିୟୁସିର କର୍ମୀମାନେ ବାଇକ ଶୋଭାଯାତ୍ରାକୁ ଛାଡ଼ି ନ ଥିଲେ। ଉଭୟ ପକ୍ଷରୁ ପରସ୍ପର ବିରୋଧୀ ସ୍ଳୋଗାନ ଦିଆଯାଇଥିଲା। ବାମପନ୍ଥୀମାନେ ‘ମୋଦୀ ହଟାଅ’ ସ୍ଳୋଗାନ୍ ଦେଉଥିବା ବେଳେ ବିଜେପି କର୍ମୀମାନେ ‘ଭାରତ ମାତା କି ଜୟ’ ସ୍ଳୋଗାନ୍‌ ଦେଇଥିଲେ। ପରସ୍ପର ବିରୋଧୀ ସ୍ଳୋଗାନ୍‌କୁ ନେଇ ଚାପା ଉତ୍ତେଜନା ଦେଖାଦେଇଥିଲା। ପରବର୍ତୀ ସମୟରେ ବିଜେପିର ବାଇକ ଶୋଭାଯାତ୍ରା ରାସ୍ତା ଅବରୋଧକୁ ପାର କରି ଚାଲି ଯାଇଥିଲା।

ଫସିଲେ ତୀର୍ଥଯାତ୍ରୀ

କିଛି ଦିନ ପୂର୍ବରୁ ଉତ୍ତରପ୍ରଦେଶରୁ ତୀର୍ଥଯାତ୍ରାରେ ବାହାରିଥିବା କେତେକ ଯାତ୍ରୀ ଧର୍ମଘଟ ପାଇଁ ଫସି ଯାଇଥିଲେ। ଆନ୍ଦୋଳନକାରୀ ତାଙ୍କ ଗାଡ଼ି ଅଟକାଇ ଦେବାରୁ ୫୦ରୁ ଊର୍ଦ୍ଧ୍ବ ତୀର୍ଥଯାତ୍ରୀ ଆଜି ଆଚାର୍ଯ୍ୟବିହାର ନିକଟରେ ପ୍ରାୟ ଅଢେଇ ଘଣ୍ଟା ଛିଡ଼ା ହୋଇ ରହିଥିଲେ।

ପୁଲିସ ଆଖିରେ ପଡ଼ିଲା ପେଟ୍ରୋଲ
ଚାଷୀଙ୍କ ସମସ୍ୟାକୁ ପ୍ରସଙ୍ଗ କରି ବିଜେପି କର୍ମୀ ଆଜି ସଚିବାଳୟ ଘେରାଉ କରିବାକୁ ଯାଇଥିଲେ। ଶହଶହ ବିଜେପି କର୍ମୀଙ୍କୁ କେଶରୀ ଟକିଜ୍‌ ସମ୍ମୁଖରେ ପୁଲିସ୍‌ ଅଟକାଇଥିଲା। ଏହି ସମୟରେ ପୁଲିସ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ କିଛି ସମୟ ପାଇଁ ‌ଠେଲାପେଲା ହୋଇଥିଲା। ବିଜେପି କର୍ମୀ ଗୋଟିଏ ବ୍ୟାରିକେଡ୍‌ ଭାଙ୍ଗି ଦ୍ବିତୀୟ ବାରିକେଡ୍‌ ନିକଟରେ ପହଞ୍ଚିବା ବେଳକୁ ସ୍ଥିତି ଅଣାୟତ୍ତ ହୋଇଥିଲା। ସେଠାରେ ମୁଖ୍ୟମନ୍ତ୍ରୀଙ୍କର କୁଶପୁତ୍ତଳିକା ଦାହ କରାଯାଇଥିଲା। ହେଲେ ନିଆଁ ଲାଗିବା ପୂବର୍ରୁ ପେଟ୍ରୋଲ ଜଣେ ପୁଲିସ କର୍ମଚାରୀଙ୍କ ଆଖିରେ ପଡ଼ିଥିଲା। ତାଙ୍କୁ ତୁରନ୍ତ କ୍ୟାପିଟାଲ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା।

ଆୟକର ବିଭାଗ କର୍ମଚାରୀଙ୍କ ବିକ୍ଷୋଭ
‘ମୋଦୀ ହଟାଅ, ଦେଶ ବଞ୍ଚାଅ’ ଆହ୍ବାନରେ ଆଜିଠାରୁ ଆରମ୍ଭ ହୋଇଥିବା ଦୁଇ ଦିନିଆ ଧର୍ମଘଟରେ ସାମିଲ ହୋଇଛନ୍ତି ଆୟକର ବିଭାଗ କର୍ମଚାରୀ। ୧୦ ଦଫା ଦାବି ନେଇ ଦେଶର ବିଭିନ୍ନ ସ୍ଥାନରେ ଥିବା ଆୟକର କାର୍ଯ୍ୟାଳୟ ସମ୍ମୁଖରେ ୫୦ ହଜାରରୁ ଊର୍ଦ୍ଧ୍ବ କର୍ମଚାରୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏକପ୍ରକାର ପେନସନ୍‌ ବ୍ୟବସ୍ଥା, କ୍ଷେତ୍ରୀୟ ଆଧାରରେ କର୍ମଚାରୀ ଚୟନ, ସର୍ବନିମ୍ନ ମଜୁରି ବୃଦ୍ଧି, ଦରମା ଅସଙ୍ଗତି ଦୂର, ଖାଲି ପଡ଼ିଥିବା ପଦବି ପୂରଣ, କ୍ଷେତ୍ରୀୟ କାର୍ଯ୍ୟାଳୟରେ କାର୍ଯ୍ୟରତ କର୍ମଚାରୀଙ୍କୁ କେନ୍ଦ୍ରୀୟ ସଚିବାଳୟ କର୍ମଚାରୀଙ୍କୁ ମିଳୁଥିବା ସମକକ୍ଷ ଦରମା ପ୍ରଦାନ। ଅନୁକମ୍ପାମୂଳକ ନିଯୁକ୍ତି‌ରେ ୫ ଶତକଡ଼ା ସୀମାକୁ କୋହଳ କରିବା ଦାବିରେ ଏହି ଦୁଇଦିନ ଧରି ଧର୍ମଘଟ ଡାକରାରେ କର୍ମଚାରୀମାନେ ସାମିଲ ହୋଇଥିବା ପ୍ରକାଶ କରିଛନ୍ତି।

ସାମିଲ୍ ହେଲେ ଶିଶୁ
ଆଜିର ଧର୍ମଘଟ ବେଳେ ୧୦ରୁ ୧୪ବର୍ଷର ଶିଶୁମାନେ ରାସ୍ତାଘାଟ ବନ୍ଦ କରୁଥିବା ଦେଖିବାକୁ ମିଳିଥିଲା। ଜୟଦେବ ବିହାର, ସତ୍‌ସଙ୍ଗ ବିହାର ସମ୍ମୁଖ ଓ ରାଜମହଲ ପ୍ରଭୃତି ଜାଗାରେ ଛୋଟଛୋଟ ପିଲା ରାସ୍ତା ଅବରୋଧ କରୁଥିଲେ। ହାତରେ ବିଭିନ୍ନ ସଂଗଠନର ପତାକା ଧରି ଗାଡ଼ି ଚାଳକଙ୍କୁ ଅଟକାଉଥିଲେ। ‘କାହିଁକି ଏ ଧର୍ମଘଟ’ ପ୍ରଶ୍ନର ଉତ୍ତରରେ ଜଣେ ଶିଶୁ କହିଥିଲେ ‘ମୋଦୀ ଆମ ଶ୍ରମିକଙ୍କ କଥା ବୁଝୁନାହିଁ’ ବୋଲି ରାସ୍ତାକୁ ଓହ୍ଲାଇଛୁ।

ଅଟୋ-ବାଇକ୍ ଚାଳକ ମାଲାମାଲ
ଧର୍ମଘଟର ପ୍ରଭାବ ଆଜି ରେଲ୍‌ୱେ ଷ୍ଟେସନ୍‌ରେ ଦେଖିବାକୁ ମିଳିଛି। ବସ୍ ଚଳାଚଳ ସଂପୂର୍ଣ୍ଣ ବନ୍ଦ ରହିଥିବା ବେଳେ କାଁ ଭାଁ ଅଟୋ ଚଳାଚଳର ସୁଯୋଗ ନେଇ ଷ୍ଟେସନ୍‌ରେ ପହଞ୍ଚୁଥିବା ‌ଯାତ୍ରୀମାନଙ୍କୁ ଆଜି ସ୍ଥାନୀୟ ଅଟୋ ଓ ବାଇକ୍ ଚାଳକ ମନଭରି ଲୁଟିଛନ୍ତି। ମାଷ୍ଟରକ୍ୟାଣ୍ଟିନ୍ ଛକରୁ କିଟ୍ ପର୍ଯ୍ୟନ୍ତ ମୁଣ୍ଡ ପିଛା ୪ଶହରୁ ୬ଶହ ଟଙ୍କା ପର୍ଯ୍ୟନ୍ତ ଯାତ୍ରୀମାନଙ୍କୁ ଦେବାକୁ ପଡ଼ିଛି। ସେଥିରେ ପୁଣି ଦୀର୍ଘ ସମୟ ଧରି ମୂଲଚାଲ କରିବାକୁ ହେଉଥିଲା। ସେହିପରି ଏକୁଟିଆ ଯାତ୍ରୀଙ୍କଠାରୁ କିଛି ବାଇକ୍ ଆରୋହୀ ମନଇଚ୍ଛା ଦରରେ ଗନ୍ତବ୍ୟ ସ୍ଥଳକୁ ନେଉଥିଲେ।

ସମ୍ବନ୍ଧିତ ଖବର