ୱାର୍ଡ ୨୧ : ବିକାଶରେ ବାଧକ ଜଙ୍ଗଲ ଜମି

୫ବର୍ଷର ହିସାବ ନିକାଶ

ଚନ୍ଦ୍ରଶେଖରପୁର : ଭୁବନେଶ୍ବରର ସବୁଠାରୁ ବଡ଼ ବସ୍ତି ସାଲିଆସାହି। ଲକ୍ଷାଧିକ ଲୋକଙ୍କୁ ନେଇ ଗଢ଼ି ଉଠିଥିବା ଏହି ବସ୍ତିରେ ୪ଟି ୱାର୍ଡ ରହିଛି। ୨୦୧୪ ବିଏମ୍‌ସି ନିର୍ବାଚନରେ ବିରୋଧୀ ପ୍ରାର୍ଥୀଙ୍କୁ ମାତ୍‌ ଦେଇ ୪ଟି ଯାକ ୱାର୍ଡକୁ ବିଜେଡି ପ୍ରାର୍ଥୀମାନେ ଅକ୍ତିଆର କରିଥି‌ଲେ। ୨୧ ନମ୍ବର ୱାର୍ଡରୁ ବିଜେଡି ପ୍ରାର୍ଥୀ ହୋଇଥିବା ପ୍ରେମାନନ୍ଦ ଜେନା ବିରୋଧୀ ପ୍ରାର୍ଥୀଙ୍କୁ ବହୁ ପଛରେ ପକାଇ କର୍ପୋରେଟର ହୋଇଥିଲେ। ଲୋକଙ୍କ ସମସ୍ୟାର ସମାଧାନ, ବିଧବା ଓ ବା‌ର୍ଦ୍ଧକ୍ୟ ଭତ୍ତା, ବସ୍ତିର ଗଳିକନ୍ଦିକୁ ରାସ୍ତା, ‌ପିଇବା ପାଣି, ଡ୍ରେନେଜ୍‌ ବ୍ୟବସ୍ଥା ପରି ପ୍ରସଙ୍ଗକୁ ନେଇ ସେ ନିର୍ବାଚନୀ ମଇଦାନକୁ ଓହ୍ଲାଇଥିଲେ। ବିରୋଧୀ ବିଜେପି ପ୍ରାର୍ଥୀଙ୍କୁ ୧୭୮୦ ଭୋଟରେ ପରାସ୍ତ କରି ବିଜୟ ମୁକୁଟ ପିନ୍ଧିଥିଲେ। ଇତିମଧ୍ୟରେ ୫ ବର୍ଷ ବିତିଛି। ୨୧ ନମ୍ବର ୱାର୍ଡରେ ଆସୁଥିବା ଅଧିକାଂଶ ଅଞ୍ଚଳରେ ବିକାଶ କାର୍ଯ୍ୟ ହୋଇଥିବା କର୍ପୋରେଟର ଶ୍ରୀ ଜେନା ଦାବି କରୁଥିବା ବେଳେ ବିରୋଧୀ କିନ୍ତୁ ମାନିବାକୁ ନାରାଜ।

ଏହି ୱାର୍ଡ ଅଧୀନରେ ଆସୁଥିବା ଅଧିକାଂଶ ଅଞ୍ଚଳକୁ ରାସ୍ତା ହୋଇଛି। ପିଇବା ପାଣି ପାଇଁ ରାସ୍ତାପାର୍ଶ୍ବରେ ପାଣି ଟାଙ୍କି କରାଯାଇଛି। ୱାର୍ଡର ୪୩୨୦ ଲୋକ ବାର୍ଧକ୍ୟ ଓ ବିଧବା ଭତ୍ତାରେ ସାମିଲ ହୋଇଛନ୍ତି। ବିରୋଧୀଙ୍କ କହିବା କଥା ହେଉଛି, ପ୍ରତିଶ୍ରୁତି ଅନୁଯାୟୀ କାମ ହୋଇନି। ଯେଉଁଠି କଂକ୍ରିଟ୍‌ ରାସ୍ତା ହୋଇଛି ପରେ ତାହାକୁ ଖୋଳି ଡ୍ରେନେଜ୍‌, ପାଣି ପାଇପ ବିଛାଯାଉଛି। ଏହାଦ୍ବାରା ଅଧିକ ଅର୍ଥ ଖର୍ଚ୍ଚ ହେଉଛି। କାମ ନିମ୍ନମାନର ହେଉଛି। ଢଳେଇର ଉଚ୍ଚତା ବି କମାଇ ଦିଆଯାଉଛି। ଯୋଗ୍ୟ ହିତାଧିକାରୀଙ୍କୁ ଏପର୍ଯ୍ୟନ୍ତ ବିଜୁଳି ଯୋଗାଣ ହୋଇପାରିନି। ଯେଉଁ ସ୍ଥାନରେ ପାଣି ଟାଙ୍କି ହୋଇଛି, ତାହାକୁ ନିୟମିତ ଭାବେ ସଫା କରାଯାଉନି। ସବୁଠାରୁ ବଡ଼ କଥା ହେଉଛି ଯେ ଏବେ ବି ଏଠାକାର ଲୋକେ ଜଙ୍ଗଲ କିସମ ଜମିରେ ବାସ କରୁଛନ୍ତି। ଏପର୍ଯ୍ୟନ୍ତ କିସମ ପରିବର୍ତନ ହୋଇ ନଥିବାରୁ ବିକାଶ କାର୍ଯ୍ୟ ଆଶାନୁରୂପ ହୋଇପାରୁ ନାହିଁ। ରାଜ୍ୟ ସରକାର ଏ ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ଲୋକେ ଦାବି କରିଛନ୍ତି।

ଦ୍ବିତୀୟ ସ୍ଥାନରେ ଥିବା ବିଜେପି ପ୍ରାର୍ଥୀ ଏବେ ବିଜେଡିରେ ସାମିଲ ହୋଇଛନ୍ତି। ତୃତୀୟ ସ୍ଥାନରେ ଥିବା ପ୍ରାର୍ଥୀଙ୍କ ମତାମତ ଲୋଡ଼ାଯାଇଥିଲେ ମଧ୍ୟ ସମ୍ଭବପର ହୋଇନି।

ୱାର୍ଡରେ ଆସୁଥିବା ଅଞ୍ଚଳ
ଶକ୍ତି ବିହାର, ଶ୍ରୀରାମ ନଗର(କିଛି ଅଂଶ), ଜନତା ନଗର(କିଛି ଅଂଶ), ନିରଙ୍କାରୀ ନଗର, ଆଦିବାସୀ ଗାଁ, ସ୍ବାଧୀନ ନଗର(କିଛି ଅଂଶ), ଆଦିବାସୀ ଫୁଟବଲ୍‌ ପଡ଼ିଆ, ଜଗଦେବ ନଗର

ମହିଳାଙ୍କୁ ଆତ୍ମନିର୍ଭରଶୀଳ କରାଯାଇଛି
୨୦୧୪ ମସିହା ପର୍ଯ୍ୟନ୍ତ ଏଠାରେ ବିକାଶ କାର୍ଯ୍ୟ ହୋଇ ନ ଥିଲା। ବିଜେଡି ପ୍ରାର୍ଥୀମାନେ ଜିତିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଏମ୍‌ସି ମେୟର ଅନନ୍ତ ନାରାୟଣ ଜେନାଙ୍କ ସହଯୋଗ ‌ଯୋଗୁଁ ରାସ୍ତା, ଡ୍ରେନେଜ୍‌ ହୋଇଛି। ଅମୃତ ଯୋଜନାରେ ସମସ୍ତଙ୍କ ଘରକୁ ପାଣି ଯୋଗାଇ ଦିଆଯାଇଛି। ମହିଳାଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ସ୍ବୟଂ ସହାୟକ ଗୋଷ୍ଠୀକୁ ସହାୟତାର ହାତ ବଢ଼ାଯାଇଛି। ଦୁଃଖର ବିଷୟ ହେଉଛି ଯେ ସାଲିଆସାହିରେ ଗୋଟିଏ ବି କମ୍ୟୁନିଟି ହଲ୍‌ ଏପର୍ଯ୍ୟନ୍ତ ହୋଇପାରିନି। ଜଙ୍ଗଲ କିସମ ଜାଗାରେ ଲୋକେ ରହୁଛନ୍ତି। ରାଜ୍ୟ ସରକାର ଓ ବିଏମ୍‌ସି ପକ୍ଷରୁ ସେମାନଙ୍କ ପାଇଁ କୋଠାଘର ନିର୍ମାଣ ପାଇଁ ନିଷ୍ପତ୍ତି ହୋଇଛି। ଲୋକଙ୍କ ସେବା କରୁଛି। ଯଦି ସେମାନେ ‌ଚାହିଁବେ ଓ ମୁଖ୍ୟମନ୍ତ୍ରୀ ସୁଯୋଗ ଦେବେ ତେବେ ପୁଣିଥରେ ଲୋକଙ୍କ ସେବା କରିବି।
ପ୍ରେମାନନ୍ଦ ଜେନା, କର୍ପୋରେଟର

ସମ୍ବନ୍ଧିତ ଖବର