କଟକକୁ ବଳିଗଲା ରାଜଧାନୀ

ଚିନ୍ତାରେ ଭୁବନେଶ୍ୱରବାସୀ, ପୁଲିସ ଅସହାୟ ସହର ବଢ଼ୁଛି, ବଢ଼ୁନି ପୁଲିସ ସଂଖ୍ୟା

ଭୁବନେଶ୍ବର୧(ତାପସ ଦାସ): ରାଜଧାନୀ ପାଲଟି ଗଲାଣି ଅପରାଧୀଙ୍କ ସହର। ଏପରିକି କଟକକୁ ମଧ୍ୟ ଅପରାଧରେ ମାତ୍ ଦେଇ ସାରିଲାଣି ଭୁବନେଶ୍ବର। ବିଗତ ୫ ବର୍ଷର ହିସାବ କହୁଛି କଟକଠାରୁ ଏଠାରେ ଅଧିକ ହତ୍ୟାକାଣ୍ଡ ଘଟୁଛି, ଦୁଷ୍କର୍ମ ବି ହେଉଛି। ଖାଲି ଏତିକି ନୁହେଁ, ଚୋରି, ଲୁଟପାଟ, ଡକାୟତି ଭଳି ଅପରାଧରେ ମଧ୍ୟ ରାଜଧାନୀ ଆଗରେ। ଦିନ ଥିଲା ବାଉନ ବଜାର ତେପନ ଗଳିର ସହର କଟକ ଥିଲା ଗ୍ୟାଙ୍ଗ୍‌ଷ୍ଟରଙ୍କ କବ୍‌ଜାରେ। ଭାଇମାନଙ୍କ ରାଜୁତି ଚାଲୁଥିଲା। କଥା କଥାକେ ମାଉଜର ଗର୍ଜନ କରୁଥିଲା। ଗୁଳି ଫୁଟୁଥିଲା। ବୋମାମାଡ଼ ବି ହେଉଥିଲା। ଟେଣ୍ତର ଫିକ୍ସିଂ ଠାରୁ ହତ୍ୟାକାଣ୍ତ, ଅପହରଣ ଓ ପ୍ରାଣାନ୍ତକ ଆକ୍ରମଣ ଭଳି ସାଂଘାତିକ ଅପରାଧରେ ଲିପ୍ତ ରହୁଥିଲେ କଟକର ଦୁଦାର୍ନ୍ତ ଅପରାଧୀ। ବିଗତ ୫ ବର୍ଷର ହିସାବକୁ ନେଲେ ଜଣାପଡ଼ୁଛି କଟକକୁ ଯେମିତି ବଳି ଯାଇଛି ରାଜଧାନୀ। ହତ୍ୟାକାଣ୍ତ ମାମଲାରେ ରାଜଧାନୀ ଦୁଇ ପାଦେ ଆଗକୁ ଯାଇଛି। ଲୁଟପାଟରେ ମଧ୍ୟ ରାଜଧାନୀ ରେକର୍ଡ କରିଛି। ଘରେ ପଶି ଚୋରି, ସିନ୍ଧି ଚୋରି ରାଜଧାନୀର ଦୈନିକ ଅପରାଧ। ବାଇକ୍‌ ଚୋରି, ମୋବାଇଲ ଫୋନ୍ ଚୋରି, ଚେନ୍ ଲୁଟ, ପକେଟମାର ଭଳି ଅପରାଧ ରାଜଧାନୀ ପୁଲିସ ପାଇଁ ପେଟି କ୍ରାଇମ୍ ହୋଇ ଗଲାଣି। କେବଳ ଏହି ଅପରାଧ କାହିଁକି କଟକ ଅପେକ୍ଷା ଭୁବନେଶ୍ବରରେ ନାରୀ ମଧ୍ୟ ଅଧିକଅସୁରକ୍ଷିତ। ଗତ ୫ବର୍ଷ ମଧୢରେ ରାଜଧାନୀରେ ଅନେକ ହାଇପ୍ରୋଫାଇଲ୍‌ ହତ୍ୟାକାଣ୍ତ ଘଟିଛି। ଯାହା ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଛି। ସେ ଉଷାଶ୍ରୀ ହତ୍ୟାକାଣ୍ତରେ କ‌େର୍ଣଲେ ୩ ଶହ ପିସ୍‌ ଘଟଣା ହେଉ କିମ୍ବା ଖଣ୍ତଗିରି ପାଦ ଦେଶରେ ଘଟି ଯାଇଥିବା ଟ୍ରିପଲ ମର୍ଡର। ଏହି ହତ୍ୟାକାଣ୍ଡରେ ଡାକ୍ତର ଅତୁଲ୍ୟ ମେହେର, ତାଙ୍କ କେୟାର ଟେକର ପ୍ରଶାନ୍ତ ବେହେରା, ପୁଅ ମିନୁ ବେହେରା ମୃତ୍ୟୁ ଘଟିଥିଲା। କର୍ଣେଲଙ୍କ ୩ ଶହ ପିସ୍ ହତ୍ୟାକାଣ୍ଡ ଓ ଖଣ୍ଡଗିରିର ଟ୍ରିପଲ ମର୍ଡର ସାରା ଦେଶରେ ଚର୍ଚାର ବିଷୟ ପାଲଟିଥିଲା। ଜାତୀୟ ଗଣମାଧ୍ୟମ ମଧ୍ୟ ଏହି ଖବର ପ୍ରସାରଣ କରିଥିଲେ। ଚନ୍ଦ୍ରଶେଖରପୁର ଥାନା ଅଧୀନ ଡାକ୍ତର ଦମ୍ପତି ହତ୍ୟାକାଣ୍ତ ମଧୢ କମ୍‌ ଚର୍ଚାର ବିଷୟ ନ ଥିଲା। ଡକାୟତି ପାଇଁ ଡାକ୍ତର ପ୍ରଫୁଲ୍ଲ କୁମାର ମିଶ୍ର ଏବ˚ ତାଙ୍କ ପତ୍ନୀ ସୁଷମାରାଣୀ ମିଶ୍ରଙ୍କୁ ହତ୍ୟା କରାଯାଇଥିଲା। ଚଳିତ ବର୍ଷ ମଧ୍ୟ ରାଜଧାନୀରେ କ‌େତେକ ହାଇ ପ୍ରୋଫାଇଲ ହତ୍ୟାକାଣ୍ଡ ଘଟିଛି। କିଛି ଘଟଣାରେ ଏବେ ପୁଲିସ ଅଭିଯୁକ୍ତମାନଙ୍କ ନିକଟରେ ପହଞ୍ଚିବାକୁ ସକ୍ଷମ ହୋଇ ପାରିନାହିଁ। ରାଜଧାନୀ ଉପକଣ୍ଠରେ ବାରମ୍ବାର ଡକାୟତି, ସିନ୍ଧିଚୋରି ଭଳି ଅପରାଧ ବଢ଼ି ଚାଲିଛି। ୫ ବର୍ଷ ମଧ୍ୟରେ ରାଜଧାନୀରେ ୨୫୦ଟି ହତ୍ୟାକାଣ୍ଡ ଘଟିଥିବାବେଳେ କଟକରେ ୧୫୯ଟି, ଦୁଷ୍କର୍ମ ମାମଲା ଭୁବନେଶ୍ବରରେ ୪୬୮ଟି ମାମଲା ରୁଜୁ ହୋଇଥିବା ବେଳେ କଟକରେ ୨୮୭ଟି, ଡକାୟତିରେ ମଧ୍ୟ ରାଜଧାନୀ ରେକର୍ଡ କରିଛି। ୫ବର୍ଷରେ ରାଜଧାନୀରେ ୬୬ଟି ଡକାୟତି ମାମଲା ରୁଜୁ ହୋଇଥିବା ବେ‌ଳେ କଟକରେ ମାତ୍ର ୩୫ଟି ଡକାୟତି ହୋଇଛି। ଚଳିତ ବର୍ଷ ୬ ମାସ‌ର ଅପରାଧରେ ମଧ୍ୟ ଭୁବନେଶ୍ବର କଟକଠାରୁ ଢେର୍‌ ଆଗରେ। ଗତ ଜାନୁଆରି ମାସରୁ ଜୁନ୍ ମାସ ମଧ୍ୟରେ ରାଜଧାନୀରେ ୧୮ଟି ହତ୍ୟାକାଣ୍ଡ ଘଟିଥିବା ବେ‌ଳେ କଟକରେ ୯ଟି, ଭୁବନେଶ୍ବରରେ ୨୫ଟି ଦୁଷ୍କର୍ମ ମାମଲା ରୁଜୁ ହୋଇଛି। କଟକରେ ମାତ୍ର ୭ଟି, ଭୁବନେଶ୍ବରରେ ୧୦ଟି ଡକାୟତି ହୋଇଥିବା ବେଳେ କଟକରେ ମାତ୍ର ୩ଟି ମାମଲା ରୁଜୁ ହୋଇଛି। ସିନ୍ଧି ଚୋରିରେ ଭୁବନେଶ୍ବର ୩ ଅଙ୍କ (୧୨୫) ପହଞ୍ଚିଥିବା ବେଳେ କଟକରେ ଏହା ମାତ୍ର ୪୫। ଭୁବନେଶ୍ବର ୬ ମାସ ମଧ୍ୟରେ ୬୯୭ଟି ଚୋରି ମାମଲା ରୁଜୁ ହୋଇଥିବା ବେଳେ କଟକରେ ଏବେ ମାତ୍ର ୧୨୪ଟି ମାମଲା ରୁଜୁ ହୋଇଛି। ରାଜଧାନୀରେ ଏଭଳି ଅପରାଧ ବଢ଼ିବା ଘଟଣାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ବୁଦ୍ଧିଜୀବୀ ଓ ସାଧାରଣ ଲୋକ। ପୁଲିସ ବ୍ୟବସ୍ଥା ଉପରେ ସେମାନେ ଅଙ୍ଗୁଳି ଉଠାଉଛନ୍ତି। ଲୋକେ ଏବେ ରାଜଧାନୀ ଭୁବନେଶ୍ବରକୁ କ୍ରାଇମ କ୍ୟାପିଟାଲ କହିବା ଆରମ୍ଭ କଲେଣି।

ଏ ସମ୍ପର୍କରେ ଜଣେ ଅବସରପ୍ରାପ୍ତ ପୁଲିସ ଅଧିକାରୀ କହିଛନ୍ତି, ରାଜଧାନୀରେ ଯେଉଁ ପରିମାଣର ଅପରାଧ ବଢ଼ି ଚାଲିଛି, ସେହି ସଂଖ୍ୟାରେ ପୁଲିସ କର୍ମଚାରୀଙ୍କ ଅଭାବ ମଧ୍ୟ ରହିଛି। ପୁଲିସ ଥାନା, ଫାଣ୍ଡି ମଧ୍ୟ ବଢ଼ାଇବାର ଆବଶ୍ୟକତା ରହିଛି। ସବୁଠାରୁ ଗୁରୁତ୍ବପୂର୍ଣ କଥା ହେଉଛି ଏଠାରେ ପ୍ରତ୍ୟେକ ଦିନ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଉଛି। ଅଧାରୁ ଅଧିକ ପୁଲିସ ଶୋଭାଯାତ୍ରା, ଧାରଣା, ବିକ୍ଷୋଭ, ରୢାଲିରେ ଡ୍ୟୁଟି କରୁଛନ୍ତି। ସେହିପରି ବରିଷ୍ଠ ପୁଲିସ ଅଧିକାରୀମାନଙ୍କ ସମୟ ଭିଭିଆଇପିଙ୍କ ସୁରକ୍ଷାରେ ଯାଉଛି। ରାଜଧାନୀରେ ଯେଉଁ ପରିମାଣରରେ ଅପରାଧ ବଢ଼ି ଚାଲିଛି, ସେହି ସଂଖ୍ୟାରେ ପୁଲିସ କର୍ମଚାରୀ ନିଯୁକ୍ତି ଦେବାର ସମୟ ଆସିଛି। ସେହିପରି ଦେଶର ଅନ୍ୟ ରାଜ୍ୟ ଭଳି ଆଇନଶୃଙ୍ଖଳା ଓ ଅପରାଧ ନିୟନ୍ତ୍ରଣକୁ ଅଲଗା ଅଲଗା କରିବା ଆବଶ୍ୟକ ଅଛି ବୋଲି ଉକ୍ତ ଅଧିକାରୀଜଣକ କହିଛନ୍ତି।
ଅପରାଧୀ ଭୁବନେଶ୍ୱରରୁ ଆରାମରେ ଖସି ଯାଉଛନ୍ତି: କମିସନର୍‌

ପୁଲିସ କମିସନର ସତ୍ୟଜିତ ମହାନ୍ତି କହିଛନ୍ତି, ଭୁବନେଶ୍ବରରେ ଅପରାଧ ବଢ଼ିବାର ଅନେକ କାରଣ ରହିଛି। ସେଗୁଡ଼ିକ ମଧ୍ୟରୁ ପ୍ରଥମ କାରଣ ହେଲା ଜନସଂଖ୍ୟା। କଟକଠାରୁ ଭୁବନେଶ୍ବରରେ ଦେଢ଼ଗୁଣ ଲୋକ ରହୁଛନ୍ତି। କିଏ କେଉଁଠୁ ଆସିଲା, କେଉଁଠି ରହିଲା ତାହା କେହି ଜାଣି ପାରନ୍ତି ନାହିଁ। ପ୍ରତ୍ୟେକ ଦିନ ପାଖାପାଖି ଏକ ଲକ୍ଷ ଲୋକ ଭୁବନେଶ୍ବର ଆସୁଛନ୍ତି। ଅପରାଧ କରି ବେଶ ଆରାମରେ ଖସି ଯାଉଛନ୍ତି। ଏଠାରେ କିଏ କାହାକୁ ଚିହ୍ନନ୍ତି ନାହିଁ। କିନ୍ତୁ କଟକରେ ତାହା ନାହିଁ। କଟକ ହେଉଛି ହଜାର ବର୍ଷର ସହର। ଏଠାରେ ସାହିସାହି ଓ ଲୋକମାନଙ୍କ ମଧ୍ୟ ଭାଇଚାରା ରହିଛି, ଯେଉଁଟାକି ଭୁବନେଶ୍ବରରେ ନାହିଁ। ପାଖ ପଡ଼ୋଶୀଟିଏ ମଧ୍ୟ ପଡ଼ୋଶୀକୁ ଚିହ୍ନି ନ ଥାଏ। ବାଇକ୍‌ ଚୋରି, ଘର ଚୋରି, ସିନ୍ଧି ଚୋରି, ଡକାୟତି ଭଳି ଅପରାଧ ଏହି କାରଣରୁ କଟକରେ ବହୁ ମାତ୍ରାରେ କମ ଘଟିଥାଏ। ଭୁବନେଶ୍ବରରେ ଅପରାଧ ବଢ଼ିବାରେ ଦ୍ବିତୀୟ କାରଣ ବସ୍ତି। ଭୁବନେଶ୍ବରରେ ଛତୁ ଫୁଟିଲା ଭଳି ସବୁ ଥାନା ଅଧୀନରେ ବସ୍ତି ରହିଛି। ଯେଉଁଠୁ ଅପରାଧ ସୃଷ୍ଟି ହୋଇଥାଏ। ବସ୍ତି‌ରେ ଅପରାଧୀମାନେ ଆଶ୍ରୟ ନେଇ ଅପରାଧ ଘଟାଇବା ସହ ଚୋରା ଅସ୍ତ୍ରଶସ୍ତ୍ର କାରବାର, ନିଶା କାରବାର ଆଦିରେ ସଂପୃକ୍ତ ରହୁଛନ୍ତି। ତୃତୀୟ କାରଣ ଭୁବନେଶ୍ବରର ଜୀବନଶୈଳୀ। ଅତ୍ୟାଧୁନିକ ଜୀବନ‌ଶୈଳୀ କାରଣରୁ ଅନେକ ଯୁବକ ଅପରାଧରେ ସଂପୃକ୍ତ ରହୁଛନ୍ତି। ତେବେ ଦେଶର ଅନ୍ୟ ସହର ତୁଳନାରେ ଭୁବନେଶ୍ବରରେ ଅପରାଧ ମାତ୍ରା ବହୁତ କମ୍ ବୋଲି ପୁଲିସ କମିସନର ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି।

ଦୁଷ୍କର୍ମ                                         
ଭୁବନେଶ୍ବର କଟକ                  
୨୦୧୮ ୨୫ ୭
୨୦୧୭ ୧୨୫ ୫୬
୨୦୧୬ ୭୭ ୬୭
୨୦୧୫ ୮୭ ୪୦
୨୦୧୪ ୭୨ ୬୬
୨୦୧୩ ୫୧ ୩୦
୨୦୧୨ ୫୬ ୨୮

ଭୁବନେଶ୍ବର କଟକ
୨୦୧୮ ୧୦ ୩
୨୦୧୭ ୯ ୮
୨୦୧୬ ୧୧ ୩
୨୦୧୫ ୧୩ ୮
୨୦୧୪ ୧୨ ୩
୨୦୧୩ ୧୧ ୯
୨୦୧୨ ୧୦ ୪
ଘରେ ପଶି ଲୁଟ୍‌
ଭୁବନେଶ୍ବର କଟକ
୨୦୧୭ ୨୧୬ ୧୯୫
୨୦୧୬ ୨୪୪ ୧୧୦
୨୦୧୫ ୨୬୬ ୧୧୨
୨୦୧୪ ୨୮୬ ୧୬୩
୨୦୧୩ ୩୪୦ ୧୬୭
୨୦୧୨ ୨୯୨ ୧୪୦
ସିନ୍ଧି ଚୋରି
ଭୁବନେଶ୍ବର କଟକ
୨୦୧୮ ୧୨୫ ୪୫
୨୦୧୭ ୬୦୬ ୧୯୧
୨୦୧୬ ୫୯୫ ୧୫୧
୨୦୧୫ ୬୨୨ ୨୦୮
୨୦୧୪ ୩୯୪ ୧୫୭
୨୦୧୩ ୨୫୬ ୧୨୫
୨୦୧୨ ୧୭୨ ୮୦
୨୦୧୨ ୧୩୭୬ ୫୭୭

ସମ୍ବନ୍ଧିତ ଖବର