ଫେବ୍ରୁଆରିରେ ବିଶାଳ ସମାବେଶ

ଭୁବନେଶ୍ୱର:‘ନିଖିଳ ଓଡ଼ିଶା ପାଇକ ମହାସଂଘ’ର ରାଜ୍ୟ କର୍ମକର୍ତ୍ତା ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସଭାପତି ଅଶୋକ କୁମାର ପାଲଟାସିଂହଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପାଇକମାରଣ ନୀତିକୁ ତୀବ୍ର ସମାଲୋଚନା କରାଯାଇଥିଲା। ଏଥିସହ ଆଗାମୀ ଦିନରେ ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଆଗମନ ଅବସରରେ ତୁରନ୍ତ ‘ପାଇକ ରେଜିମେଣ୍ଟ’ ଗଠନ କରିବାକୁ ଦାବି କରିବା ସହିତ ପ୍ରଧାନମନ୍ତ୍ରୀଙ୍କୁ ଏହି ମର୍ମରେ ଏକ ପତ୍ର ଲେଖାଯାଇଛି। ଆସନ୍ତା ଫେବ୍ରୁଆରି ମାସରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପାଇକମାରଣ ନୀତି ବିରୋଧରେ ରାଜଧାନୀ ଭୁବନେଶ୍ୱରରେ ଏକ ବିଶାଳ ପାଇକ ସମାମେଶ ହେବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପାଇକମାନଙ୍କର ଅର୍ଥନେତିକ ଉନ୍ନତି ପାଇଁ କୌଣସି ପଦକ୍ଷେପ ନନେବା, ଓଡ଼ିଶାର ସମରକଳା ପାଇକ ଆଖଡ଼ା ପାଇଁ ଟଙ୍କାଟିଏ ନ ଦେବା, କଳାକାର ଭତ୍ତା ନାମରେ ପାଇକମାନଙ୍କୁ ଉପହାସ କରିବା ଆଦି ଘଟଣାକୁ ମହାସଂଘ ପକ୍ଷରୁ ନିନ୍ଦା କରାଯାଇଛି। ବୈଠକରେ ରାଜ୍ୟ ସାଧାରଣ ସମ୍ପାଦକ ରମେଶ ସାମଲ, ରାଜ୍ୟ ସଂଯୋଜକ କେଦାର ଦାସ, ‘ପାଇକ ଜିନ୍‌’ ଗବେଷକ ପ୍ରଫେସର ଗାୟନ ସାମଲ, ପାଇକ ଗୁରୁ ଭାସ୍କର ସୁନ୍ଦରାୟ, କୋଷାଧ୍ୟକ୍ଷ ରଞ୍ଜନ ବଳିୟାରସିଂହ, ଭୁବନେଶ୍ୱର ସଭାପତି ଅଜୟ ନାଏକ, କଟକ ସଭାପତି ରାଜକିଶୋର ବେହେରା, ଉପଦେଷ୍ଟା ଭୀମସେନ ବିଶ୍ୱାଳ, ଉପସଭାପତି ଭୀମ ପାଇକରାୟ, ପାଇକଗୁରୁ ମନୋରଞ୍ଜନ ପଶ୍ଚିମକବାଟ, ଭାସ୍କର ପାଲଟାସିଂହ ଓ ପାଇକ ସର୍ଦ୍ଦାର ଜିତେନ୍ଦ୍ରୀୟ ମାନସିଂହ ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର