ଭୁବନେଶ୍ବର‌ରେ ବାର୍ଡ ଫ୍ଲୁ ଭୟ, ଚିକେନ୍‌ ଓ ଅଣ୍ଡାକୁ ନା‌

ଚନ୍ଦ୍ରଶେଖରପୁର: ପୁରୀ ଜିଲ୍ଲାରେ ବାର୍ଡ ଫ୍ଲୁ ହୋଇଥିବାରୁ ହାଇଆଲର୍ଟ ଜାରି ହୋଇଛି। ଚିକେନ୍‌ ଓ ଅଣ୍ଡା ଖାଇବା ଉପରେ କଟକଣା ଜାରି କରାଯାଇଛି। ସ୍କୁଲ ଓ ଅଙ୍ଗନବାଡ଼ି ‌କେନ୍ଦ୍ରକୁ ଅଣ୍ଡା ଯୋଗାଣ ବନ୍ଦ କରାଯାଇଛି। ଗତକାଲି ପୁରୀ ଜିଲ୍ଲା ପ୍ରଶାସନର ଏଭଳି ନିଷ୍ପତ୍ତି ପରେ ଭୁବନେଶ୍ବରରେ ସିଧାସଳଖ ଏହାର ପ୍ରଭାବ ପଡ଼ିଛି। ଚିକେନ୍‌ ଓ ଅଣ୍ଡା ବେପାର ପ୍ରଭାବିତ ହୋଇଛି। ରାଜଧାନୀରେ ବିକ୍ରି ହେଉଥିବା ‌ଚିକେନ୍‌ ଓ ଅଣ୍ଡା ବାର୍ଡ ଫ୍ଲୁ ଦ୍ବାରା ପ୍ରଭାବିତ ହୋଇଥିବା ସହରବାସୀ ଆଶଙ୍କା କରିଛନ୍ତି। ତେଣୁ ଆଜି ଶୁକ୍ରବାର ଥିଲେ ମଧ୍ୟ ଚିକେନ୍‌ ବେପାର ମାନ୍ଦା ହୋଇଥିଲା। କାଁ ଭାଁ ବହୁ ଲୋକ ‌ଚିକେନ୍‌କୁ ନା କହିବା ସହ ମାଛ ଓ ମଟନ୍‌ ନେଉଥିବା ଦେଖିବାକୁ ମିଳିଥିଲା।

ରାଜଧାନୀର ପ୍ରମୁଖ ଆମିଷ ମାର୍କେଟ ୟୁନିଟ୍‌-୪ରେ ବି ପ୍ରଭାବ ଦେଖିବାକୁ ମିଳିଥିଲା। ଶୁକ୍ରବାର ଚିକେନ୍‌ ସେଣ୍ଟର୍‌ରେ ଯେଉଁଭଳି ଭିଡ଼ ହେବା କଥା‌ ତାହା ଆଜି ଦେଖିବାକୁ ମିଳିନଥିଲା। ଶୈଳଶ୍ରୀ ବିହାର ଅଞ୍ଚଳର ବ୍ୟବସାୟୀ ଏସ୍‌.କେ କମର୍‌ କହିଛନ୍ତି ଯେ ବେପାର ହୋଇଛି। କିନ୍ତୁ ରବିବାର, ବୁଧବାର, ଶୁକ୍ରବାର ଯେଉଁଭଳି ବେପାର ହୁଏ, ତାହା ହୋଇନି। କିଛିଟା ପ୍ରଭାବିତ ହୋଇଛି। ଦୋକାନକୁ ଆସିବା ପୂର୍ବରୁ ଲୋକେ ଦୁଇ ଥର ଚିନ୍ତା କରୁଛନ୍ତି। ପୁରୀ ଜିଲ୍ଲାକୁ ଲାଗି ଭୁବନେଶ୍ବର ରହିଥିବାରୁ ଏଠାରେ ମଧ୍ୟ ବାର୍ଡ ଫ୍ଲୁ ବ୍ୟାପିଥିବା ଆଶଙ୍କାରେ ଚିକେନ୍‌ ନେଉ ନାହାନ୍ତି। କେତେଜଣ ବ୍ୟବସାୟୀ ପିପିଲି ଅଞ୍ଚଳରୁ କୁକୁଡ଼ା ଆଣି ବେପାର କରୁଥିବାରୁ ଲୋକଙ୍କ ମଧ୍ୟରେ ଏଭଳି ଆଶଙ୍କା ପ୍ରକାଶ ପାଇଛି। ପିପିଲି ଅଞ୍ଚଳକୁ ଲାଗି ରହିଥିବା ଭୁବନେଶ୍ବରର କେତେକ ଅଞ୍ଚଳରେ ଆଜି ବ୍ୟବସାୟୀ ଦୋକାନ ବନ୍ଦ କରିଥିବା ସୂଚନା ମିଳିଛି। ବାର୍ଡ ଫ୍ଲୁ ଆଶଙ୍କାରେ ସେମାନେ ଦୋକାନ ବନ୍ଦ ରଖିଥିବା କହିଛନ୍ତି। ଅଣ୍ଡା ବେପାର ବି ପ୍ରଭାବିତ ହୋଇଛି। କେତେକ ବ୍ୟବସାୟୀ ଅଣ୍ଡା ପିଛା ୬ ଟଙ୍କା ବଦଳରେ ୫ ଟଙ୍କା ନେଇ ଲୋକଙ୍କୁ ବିକ୍ରି କରୁଥିବା ଦେଖିବାକୁ ମିଳିଥିଲା। ଗ୍ରାହକ ସନାକର ପାତ୍ରଙ୍କ କହିବା କଥା ହେଲା ଯେ ଚିଲିକାକୁ ବିଦେଶୀ ପକ୍ଷୀ ଆସିଛନ୍ତି। ସେମାନଙ୍କଠାରୁ ବାର୍ଡ ଫ୍ଲୁ ବ୍ୟାପୁଥିବା ଅନୁମାନ କରାଯାଉଛି। ଏଠାରେ ବାର୍ଡ ଫ୍ଲୁ ବ୍ୟାପିବାର ଆଶଙ୍କାକୁ ମଧ୍ୟ ଏଡ଼ାଇ ଦିଆଯାଇ ନପାରେ। ତେଣୁ ମାସେ ଚିକେନ୍‌ ନ ଖାଇଲେ କିଛି ଅସୁବିଧା ହେବ ନାହିଁ। ଚିକେନ୍‌ ବଦଳରେ ମାଛରେ କାମ ଚଳି ଯାଉଛି।

ରେଳବିହାର ଅଞ୍ଚଳରେ ବାର୍ଡ ଫ୍ଲୁ ଆତଙ୍କ
ଚନ୍ଦ୍ରଶେଖରପୁର ରେଳବିହାର ଓ ବିଡିଏ କଲୋନି ମଧ୍ୟ ଭାଗରେ ଥିବା ଏକ ବସ୍ତି ଅଞ୍ଚଳରେ ଆଜି କାଉ ମରି ପଡ଼ିଥିବା ସ୍ଥାନୀୟ ଅଞ୍ଚଳର ଲୋକେ ଦେଖିବାକୁ ପାଇଥିଲେ। ସକାଳୁ ଏଭଳି ‌ଦୃଶ୍ୟ ଦେଖିବା ପରେ ସ୍ଥାନୀୟ ଅଞ୍ଚଳରେ ବାର୍ଡ ଫ୍ଲୁ’ ଆତଙ୍କ ଖେଳିଯାଇଛି। ଲୋକମାନେ କାଉଙ୍କ ମୃତ ଦେହକୁ ଜଗି ଚନ୍ଦକା ବନଖଣ୍ଡ ବିଭାଗକୁ ସୂଚନା ଦେଇଥିଲେ। କିଛି ସମୟ ପରେ ଦୁଇ ଜଣ ବନ ବିଭାଗ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ମୃତ କାଉଙ୍କୁ ଜବତ କରିଥିଲେ। ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି କାଉ ୨ଟି ମରିଥିବା ଅନୁମାନ କରାଯାଉଛି ବୋଲି ସେମାନେ ମତ ଦେଇଥିଲେ। କିନ୍ତୁ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ମଧ୍ୟରେ ବାର୍ଡ ଫ୍ଲୁ ବ୍ୟାପିବା ନେଇ ଆତଙ୍କ ଖେଳିଯାଇଛି।

ସମ୍ବନ୍ଧିତ ଖବର