ଜରିମାନା ଆଦାୟ ଜୋରଦାର୍‌ କଲା ବିଏମ୍‌ସି

ଭୁବନେଶ୍ବର: ଦୋକାନ, ମାର୍କେଟ୍‌ରେ ସାମାଜିକ ଦୂରତା ରକ୍ଷା କରୁ ନ ଥିବାରୁ ବିଏମ୍‌ସି ଜୁନ୍‌ ୧୨ ଓ ୧୩ତାରିଖରେ ୧୬ଟି ଦୋକାନ ସହ ମାର୍କେଟ୍‌ ବିଲଡିଂ ସିଲ୍‌ କରିଥିଲା। ଏହାପରେ ଆଜି ଠାରୁ ମାସ୍କ ପିନ୍ଧୁ ନ ଥିବା ଲୋକ, ରାସ୍ତା ଅପରିଷ୍କାର କରୁଥିବା ଲୋକ ଓ ବ୍ୟବସାୟୀଙ୍କ ଠାରୁ ଜରିମାନା ଆଦାୟ କରିଛି। ରାଜଧାନୀର ବିଭିନ୍ନ ଛକରେ ବିଏମ୍‌ସି ସ୍କ୍ବାଡ୍‌ ଲୋକଙ୍କ ଠାରୁ ଜରିମାନା ଆଦାୟ କରିଛନ୍ତି। ବିଏମ୍‌ସି ଦକ୍ଷିଣ-ପୂର୍ବ ଜୋନ୍‌ ପକ୍ଷରୁ ମାସ୍କ ପିନ୍ଧି ନ ଥିବା ଲୋକଙ୍କ ଠାରୁ ୧୨ହଜାର ଟଙ୍କା ଓ ରାସ୍ତା ଅପରିଷ୍କାର କରୁଥିବା ଲୋକଙ୍କ ଠାରୁ ୯୦୦ ଟଙ୍କା ଆଦାୟ କରିଛି। ଅର୍ଥ‌ାତ୍‌ ମୋଟ୍‌ ୧୨,୯୦୦ଟଙ୍କା ଜରିମାନା ଆଦାୟ ହୋଇଛି। ସେହିପରି ଉତ୍ତର ଜୋନ୍‌ରେ ମାସ୍କ ପିନ୍ଧି ନ ଥିବା ଲୋକଙ୍କ ଠାରୁ ୫ହଜାର ଏବଂ ରାସ୍ତା ଅପରିଷ୍କାର କରୁଥିବା ବ୍ୟବସାୟୀଙ୍କ ଠାରୁ ୯,୫୦୦ଟଙ୍କା ଜରିମାନା ଆଦାୟ ହୋଇଛି। ଏହିପରି ମୋଟ୍ ୧୪,୫୦୦ଟଙ୍କା ଜରିମାନା ଆଦାୟ ହୋଇଛି। ଆଗକୁ ଏହିପରି ଜରିମାନା ଆଦାୟ ଜୋରଦାର୍‌ କରାଯିବ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର