ଏସ୍‌ଆରସିଙ୍କୁ ପୁଣି ଟଙ୍କା ମାଗିଲା ବିଏମ୍‌ସି

କମିସନର ଚିଠି ଲେଖିଲେ, ଅନ୍ୟ ବରିଷ୍ଠ ଅଧିକାରୀ ଭେଟିଲେ, ତୁରନ୍ତ ୨୦କୋଟି ଦିଅ

ଭୁବନେଶ୍ବର : ବାତ୍ୟା କ୍ଷୟକ୍ଷତି ବାବଦକୁ ବିଏମ୍‌ସି ସ୍ବତନ୍ତ୍ର ରିଲିଫ କମିସନର (ଏସ୍‌ଆରସି)ଙ୍କୁ ୨୩୦କୋଟିର ତାଲିକା ଦେଇଥିଲା। ହେଲେ ବାତ୍ୟାର ‌ଅଢ଼େଇ ମାସ ପରେ ବି ବିଏମ୍‌ସି ଟଙ୍କାଟିଏ ପାଇଲାନି। ଏପଟେ ଟଙ୍କା ପାଇବାକୁ ଥିବା ଠିକାସଂସ୍ଥା ବିଏମ୍‌ସିରେ ଡେରା ପକାଇଛନ୍ତି। ବିଏମ୍‌ସି କମିସନରଙ୍କୁ ବାରମ୍ବାର ଭେଟି ଟଙ୍କା ଦେବାକୁ କହୁଥିବାରୁ ବିଏମ୍‌ସି କମିସନର ପ୍ରେମଚନ୍ଦ୍ର ଚୌଧୁରୀ ପୁଣି ଏସ୍‌ଆରସିଙ୍କୁ ଚିଠି ଲେଖିଛନ୍ତି।

ବିଏମ୍‌ସି କମିସନର ମଙ୍ଗଳବାର ଏସ୍‌ଆରସିଙ୍କୁ ଚିଠି ଲେଖି ତୁରନ୍ତ ୨୦କୋଟି ଦେବାକୁ କହିଛନ୍ତି। ଏହାପରେ ଆଜି ବିଏମ୍‌ସିର ଅତିରିକ୍ତ କମିସନର, ବିତ୍ତ ଅଧିକାରୀ, ସିଟି ଇଞ୍ଜିନିୟର ଏସ୍‌ଆର୍‌ସିଙ୍କୁ ଭେଟି ତୁରନ୍ତ ୨୦ କୋଟି ଦେବାକୁ କହିଛନ୍ତି। କିନ୍ତୁ ଏସ୍‌ଆରସି କହିଛନ୍ତି ଯେ, ଏବେ ବିଏମ୍‌ସିକୁ ଟଙ୍କା ଦେଇହେବନି। ରାଜ୍ୟ ବଜେଟ୍‌ ପାସ୍‌ ହେବା ପରେ ଏହି ଟଙ୍କା ମିଳିବ।

ବାତ୍ୟା କ୍ଷୟକ୍ଷତି ଜନିତ ୨୩୦କୋଟି ଟଙ୍କା, ବାତ୍ୟା ସମୟରେ ତୁରନ୍ତ ସହାୟତା ବାବଦକୁ ଖର୍ଚ୍ଚ ହୋଇଥିବା ୨୯କୋଟି ‌ଟଙ୍କା ଏବଂ ଗତ ଜୁଲାଇ ମାସରେ ହୋଇଥିବା ପ୍ରବଳ ବର୍ଷାରେ କ୍ଷତି ହୋଇଥିବା ରାସ୍ତା ଓ ଡ୍ରେନ୍ ମରାମତି ବାବଦକୁ ୧୬କୋଟି ଟଙ୍କା ନେଇ ଏସ୍‌ଆରସି, ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଏବଂ ବିଏମ୍‌ସି ମଧ୍ୟରେ ଚାଲିଥିବା ଟଣାଓଟରା ନେଇ ‘ସମ୍ବାଦ’ରେ ରବିବାର ଖବର ପ୍ରକାଶ ପାଇବା ପରେ ବିଏମ୍‌ସି କମିସନର ଏସ୍‌ଆରସିଙ୍କୁ ମଙ୍ଗଳବାର ଚିଠି ଲେଖିଥିଲେ। ଏହାପରେ ଆଜି ଏକ ବୈଠକ ବସି କିପରି ଏସ୍‌ଆରସିଙ୍କଠାରୁ ଟଙ୍କା ଆସିବ ସେନେଇ ଆଲୋଚନା ହୋଇଥିଲା। ତୁରନ୍ତ କେତେ ଟଙ୍କା, କେଉଁ ବାବଦକୁ ଦରକାର ତା’ର ତାଲିକା ନେଇ ଏସ୍‌ଆରସିଙ୍କୁ ଭେଟିବାକୁ ନି‌ଷ୍ପତ୍ତି ହୋଇଥିଲା। ବୈଠକ ଶେଷ ହେବା ପରେ ବିଏମ୍‌ସିର ତିନି ବରିଷ୍ଠ ଅଧିକାରୀ ତାଲିକା ଧରି ଏସ୍‌‌ଆରସିଙ୍କୁ ଭେଟିଥିଲେ।

ଅଧିକାରୀମାନେ ହିସାବ ଦେଇଥିଲେ ଯେ ବାତ୍ୟା ପରେ ଅଳିଆ ଉଠାଇବା, ଆଲୋକୀକରଣ କରିବା ବାବଦକୁ ୨୦କୋଟି ଟଙ୍କା ଖର୍ଚ୍ଚ ହୋଇଛି। ବାତ୍ୟା ପରେ ତୁରନ୍ତ ଏହି କାମ କରିବା ଜରୁରୀ ଥିବାରୁ ଆମେ ଠିକା ସଂସ୍ଥାଙ୍କୁ ତୁରନ୍ତ ଅର୍ଥ ଦେବୁ ବୋଲୁ ପ୍ରତିଶ୍ରୁତି ଦେଇଥିଲୁ। ହେଲେ ଆମକୁ ଟଙ୍କା ମିଳିନଥିବାରୁ ଟଙ୍କା ଦେଇପାରୁନୁ। ଠିକା ସଂସ୍ଥା, ଗାଡ଼ି ମାଲିକ, ଠିକାଦାରମାନେ ବାରମ୍ବାର ବିଏମ୍‌ସି ଅଫିସକୁ ଆସି ପାଟିତୁଣ୍ଡ କରୁଛନ୍ତି। ଏହାବାଦ୍ ଆରଟିଓଙ୍କ ମାଧ୍ୟମରେ ବାହାର ଜିଲ୍ଲାରୁ ଗାଡ଼ି ମଗା ଯାଇଥିବା ବେଳେ ସେମାନଙ୍କୁ ବି ଟଙ୍କା ଦିଆଯାଇନି। ତେଣୁ ଏବେ ବିଏମ୍‌ସି ‌ବିଭିନ୍ନ ବିଲ୍‌ ବାବଦକୁ ଦେବାକୁ ଥିବା ୨୦କୋଟି ଟଙ୍କା ଜରୁରୀକାଳୀନ ଭାବେ ଦିଆଯାଉ।

କିନ୍ତୁ ଏସ୍‌ଆରସି ବି ମୁହେଁମୁହେଁ କହିଦେଇଥିଲେ କେନ୍ଦ୍ର ସରକାର ଯେଉଁ ୫୦‌୦କୋଟି ଟଙ୍କା ଦେଇଥିଲେ, ସେଥିରୁ ସିଂହଭାଗ ଶକ୍ତି ବିଭାଗକୁ ଦିଆଯାଇଛି। ବାତ୍ୟା ପ୍ରଭାବିତ ଜିଲ୍ଲାରେ ବିଦ୍ୟୁତ ସରବରାହ ସ୍ବାଭାବିକ କରିବାକୁ ଏହି ଟଙ୍କା ତୁରନ୍ତ ଦେବା ଆବଶ୍ୟକତା ଥିବାରୁ ଦିଆଯାଇଛି। ଏହାବାଦ୍ ପୁରୀ, କଟକ, କେନ୍ଦ୍ରାପଡ଼ା ସମେତ ସମସ୍ତ ବାତ୍ୟା ପ୍ରଭାବିତ ଜିଲ୍ଲାରେ ତୁରନ୍ତ ସହାୟତା ପାଇଁ ଯାହା ଦେବାର ଥିଲା ଦିଆଯାଇଥିଲା। ଏବେ ଯାହା ଅର୍ଥ ଅଛି ତାକୁ ସମ୍ଭାବ୍ୟ ବନ୍ୟା ମୁକାବିଲା ପାଇଁ ରଖାଯାଇଛି। ତେଣୁ ଏଥିରୁ କିଛି ଦେଇହେବନି। ଆଉ କିଛି ଦିନ ଅପେକ୍ଷା କର। ରାଜ୍ୟ ବଜେଟ୍‌ ପାସ୍‌ ହେଲେ ତୁରନ୍ତ ୨୦ କୋଟି ଦିଆଯିବ। ବାତ୍ୟା କ୍ଷୟକ୍ଷତି ବାବଦକୁ ବାକି ୨୧୦କୋଟି ବିଭିନ୍ନ ପର୍ଯ୍ୟାୟରେ ଦିଆଯିବ। ବାତ୍ୟା ବେଳେ ତୁରନ୍ତ ସହାୟତା ବାବଦକୁ ବିଏମ୍‌ସି ଖର୍ଚ୍ଚ କରିଥିବା ୨୯କୋଟି ଟଙ୍କା ବିଏମ୍‌ସିକୁ ଖୁବ୍‌ଶୀଘ୍ର ଯୋଗାଇ ଦିଆଯିବ। ଏସ୍‌ଆର୍‌ସି ଏମିତି ବିଏମ୍‌ସିର ଅଧିକାରୀଙ୍କୁ ବୁଝାଇଦେଲେ। ଆଉ ବିଏମ୍‌ସି ଅଧିକାରୀମାନେ ଏହାକୁ ବୁଝି ସେଠାରୁ ପଳାଇ ଆସିଲେ।

ସମ୍ବନ୍ଧିତ ଖବର