କର୍ଣ୍ଣାଟକରେ ଅସ୍ଥିରତା ଜାରି ରହିବ

ଆର୍‌ଏସ୍‌ଏସ୍‌ର ଆଶୀର୍ବାଦ ପରେ ସରକାର ଗଠନ ଦାବି: ୟେଦୁରପ୍ପା

କଂଗ୍ରେସ ସହ ମେଣ୍ଟ ନେଇ କିଛି କହିହେବ ନାହିଁ
ବେଙ୍ଗାଲୁରୁ: କର୍ଣ୍ଣାଟକ ସରକାର ଭାଙ୍ଗିବା ପରେ ପ୍ରଥମ ଥର ପାଇଁ କାମଚଳା ମୁଖ୍ୟମନ୍ତ୍ରୀ ଏଚ୍‌ଡି କୁମାରସ୍ବାମୀ ଆଜି ସାମ୍ବାଦିକ ସମ୍ମିଳନୀ କରିଛନ୍ତି। କର୍ଣ୍ଣାଟକରେ ଭବିଷ୍ୟତରେ ମଧ୍ୟ ରାଜନୈତିକ ଅସ୍ଥିରତା ଜାରି ରହିବ ବୋଲି କୁମାରସ୍ବାମୀ କହିଛନ୍ତି। ରାଜନୈତିକ ଅସ୍ଥିରତା ସମୟରେ ଅଧିକାରୀମାନେ ଅଧିକ ଦାୟିତ୍ବବାନ ହୋଇ ବିକାଶ ଯୋଜନାଗୁଡ଼ିକର ସଫଳ ରୂପାୟନ ଦିଗରେ କାର୍ଯ୍ୟ କରିବା ଉଚିତ ବୋଲି ସେ କହିଛନ୍ତି। ୧୪ ମାସର କାର୍ଯ୍ୟକାଳରେ ରାଜ୍ୟର କଲ୍ୟାଣ ପାଇଁ ସେ ନିଷ୍ଠାର ସହ କାମ କରିଛନ୍ତି ଏବଂ ରାଜନୈତିକ ହଟଚମଟ ପ୍ରତି ଧ୍ୟାନ ଦେଇନାହାନ୍ତି ବୋଲି କୁମାରସ୍ବାମୀ କହିଛନ୍ତି।
କଂଗ୍ରେସ-ଜେଡିଏସ୍‌ ମେଣ୍ଟର ଭବିଷ୍ୟତ ସଂପର୍କରେ ପ୍ରଶ୍ନ କରାଯିବାରୁ କୁମାରସ୍ବାମୀ କିଛି ସ୍ପଷ୍ଟ ଉତ୍ତର ଦେଇନଥିଲେ। ସେ କହିଥିଲେ ଯେ ଭବିଷ୍ୟତର ରଣନୀତି ନିର୍ଦ୍ଧାରଣ ପାଇଁ ଖୁବ୍‌ଶୀଘ୍ର ବିଧାୟକଙ୍କ ବୈଠକ ଅନୁଷ୍ଠିତ ହେବ ଏବଂ ଏଥିରେ କଂଗ୍ରେସ ସହ ମେଣ୍ଟ ନେଇ ମଧ୍ୟ ଚର୍ଚ୍ଚା ହେବ। କଂଗ୍ରେସ ନେତାଙ୍କ ମନୋଭାବ କ’ଣ ମୁଁ ଜାଣିନାହିଁ ଏବଂ ଏ ସଂପର୍କରେ ଏବେ ଆମେ ଚର୍ଚ୍ଚା କରିନାହୁ ବୋଲି କୁମାରସ୍ବାମୀ କହିଛନ୍ତି।

ବେଙ୍ଗାଲୁରୁ: କର୍ଣ୍ଣାଟକ ବିଜେପି ମୁଖ୍ୟ ବିଏସ୍‌ ୟେଦୁରପ୍ପା ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବାପାଇଁ ରାସ୍ତା ସଫା ହୋଇଯାଇଥିବାରୁ ସରକାର ଗଠନ ପାଇଁ ଖୁବ୍‌ଶୀଘ୍ର ଦାବି ଉପସ୍ଥାପନ କରିବେ ବୋଲି ଜଣାପଡ଼ିଛି। ରାଜ୍ୟରେ କଂଗ୍ରେସ-ଜେଡିଏସ୍‌ ମେଣ୍ଟ ସରକାରର ପତନ ଘଟିଥିବାରୁ ପୂର୍ବରୁ ୩ ଥର ମୁଖ୍ୟମନ୍ତ୍ରୀ ଥିବା ୟେଦୁରପ୍ପା ପୁଣି ଥରେ ସରକାରର ମଙ୍ଗ ଧରିବାକୁ ସଜବାଜ ହେଉଛନ୍ତି। ଆଜି ୟେଦୁରପ୍ପା କହିଛନ୍ତି, ସେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆର୍‌ଏସ୍‌ଏସ୍‌)ର ଆଶୀର୍ବାଦକୁ ଅପେକ୍ଷା କରିଛନ୍ତି ଏବଂ ଏହାପରେ ଦିଲ୍ଲୀ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଦଳ ସଭାପତି ଅମିତ ଶାହଙ୍କୁ ଭେଟି ସେମାନଙ୍କ ପରାମର୍ଶକ୍ରମେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରିବେ। ମୋଦୀ ଏବଂ ଶାହଙ୍କ ସହ ଆଲୋଚନା ପରେ ଆମେ ସରକାର ଗଠନ ପାଇଁ ଦାବି ଜଣାଇବାକୁ ରାଜ୍ୟପାଳଙ୍କୁ ଭେଟିବୁ ବୋଲି ୟେଦୁରପ୍ପା କହିଛନ୍ତି। ତେବେ ୟେଦୁରପ୍ପା ଆସନ୍ତାକାଲି ସୁଦ୍ଧା ସରକାର ଗଠନ ପାଇଁ ଦାବି ଜଣାଇପାରନ୍ତି ବୋଲି ଦଳୀୟ ସୂତ୍ରରୁ ଜଣାପଡ଼ିଛି। ୨୨୪ ସଦସ୍ୟ ବିଶିଷ୍ଟ କର୍ଣ୍ଣାଟକ ବିଧାନସଭାରେ ଏବେ ୨୧୦ ସଦସ୍ୟ ଅଛନ୍ତି। ବିଜେପିର ସଦସ୍ୟ ସଂଖ୍ୟା ଏବେ ୧୦୫ ରହିଥିବା ବେଳେ ଦୁଇ ଜଣ ସ୍ବାଧୀନ ବିଧାୟକଙ୍କ ସମର୍ଥନ ବିଜେପିକୁ ମିଳିଛି।

ସମ୍ବନ୍ଧିତ ଖବର