ବିଏମ୍‌ସି ଇଞ୍ଜିନିୟରଙ୍କ ପ୍ରଶଂସନୀୟ କାର୍ଯ୍ୟ, ହସ୍ପିଟାଲ ଶଯ୍ୟାରୁ ଉଠି ଆସି କାମ କଲେ

ଭୁବନେଶ୍ବର: ବାତ୍ୟାରେ ପୂରା ରାଜଧାନୀ ଧ୍ବଂସ ସ୍ତୂପ ପାଲଟି ଯାଇଥିବାବେଳେ ଏହାର ପୁନରୁଦ୍ଧାର କରିବା ପାଇଁ ବିଏମ୍‌ସି, ପୂର୍ତ୍ତ, ଅଗ୍ନିଶମ, ଓଡ୍ରାଫ, ଏନ୍‌ଡିଆରଏଫ୍ ଟିମ୍ ରାତି ଦିନ ଏକ କରି କାମ କଲେ। ଏମାନଙ୍କ ଭିତରେ ଜଣେ ଏମିତି ଅଧିକାରୀ ଥିଲେ ‌ଯିଏ ହସ୍ପିଟାଲ ଶଯ୍ୟାରୁ ଉଠିକି ଆସି ପୁନରୁଦ୍ଧାର କାର୍ଯ୍ୟରେ ସାମିଲ୍‌ ହୋଇଥିଲେ। ଡାକ୍ତର ବିଶ୍ରାମ ନେବାକୁ ପରାମର୍ଶ ଦେଇଥିଲେ ହେଁ ସେ ରାସ୍ତା ଉପରେ ଛିଡ଼ା ହୋଇ କାମ ତଦାରଖ କରୁଥିଲେ।

ଏହି ଅଧିକାରୀ ଜଣଙ୍କ ହେଲେ ବିଏମ୍‌ସିର ଡିଭିଜନ-୨ର ସହକାରୀ ନିର୍ବାହୀ ଯନ୍ତ୍ରୀ ସୁବାସ ଚନ୍ଦ୍ର ଜେନା। କିଡ୍‌ନି ଜନିତ ରୋଗରେ ଆକ୍ରାନ୍ତ ଥିବା ଶ୍ରୀ ଜେନା ଗତ ଡିସେମ୍ବରରୁ ସପ୍ତାହକୁ ଦୁଇ ଦିନ ଡାଏଲେସିସ୍ କରୁଥିବାବେଳେ ବାତ୍ୟା ଦିନ ସେ ଏକ ଘରୋଇ ହସ୍ପିଟାଲରେ ଡାଏଲେସିସ୍ କରିଥିଲେ। କିନ୍ତୁ ବାତ୍ୟାର ପ୍ରଳୟ ତାଙ୍କୁ କାମ କରିବାକୁ ଅଟକାଇ ପାରିନଥିଲା। ବିଏମ୍‌ସିର ୱାର୍ଡ ୩୦ ଓ ୩୪ରେ ତାଙ୍କର ଡ୍ୟୁଟି ପଡ଼ିଥିବାବେଳେ ସେ ଶନିବାର ସକାଳୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ବିଭିନ୍ନ ଅଞ୍ଚଳରେ ଛିଡ଼ା ହୋଇ କାର୍ଯ୍ୟ ତଦାରଖ କରିଥିଲେ। ଶ୍ରୀ ଜେନାଙ୍କର ଏଭଳି କାର୍ଯ୍ୟକୁ ଉଚ୍ଚ ଅଧିକାରୀମାନେ ଏବେ ପ୍ରଶଂସା କରୁଛନ୍ତି।

ସମ୍ବନ୍ଧିତ ଖବର