ଡ୍ରଙ୍କେନ୍‌ ଡ୍ରାଇଭିଂ ଯାଞ୍ଚ: ୨ ମାସରେ ଧରାପଡ଼ିଲେଣି ୯୦୦

ବାତିଲ ହେବ ୪ ଅଭ୍ୟାସଗତଙ୍କ ଡିଏଲ୍‌

ଭୁବନେଶ୍ବର: ସେଫ୍‌ ସିଟି ଅଭିଯାନରେ କମିସନରେଟ୍‌ ପୁଲିସ ପକ୍ଷରୁ ଚାଲିଛି ଡ୍ରଙ୍କେନ୍‌ ଡ୍ରାଇଭିଂ ଯାଞ୍ଚ। ମଦ୍ୟପ ଚାଳକଙ୍କୁ ସଚେତନ ଓ ସାବାଡ଼ କରିବାକୁ ରାତିରେ କଡ଼ାକଡ଼ି ଯାଞ୍ଚ କରାଯାଉଛି। ମଦ୍ୟପ ଚାଳକଙ୍କ ବିରୋଧରେ ବିହିତ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ଜରିମାନା ସହିତ ଡ୍ରାଇଭିଂ ଲାଇସେନ୍‌ସ(ଡିଏଲ୍‌) ବାତିଲ ପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ସେହିଭଳି ଜବତ ଗାଡ଼ିସବୁକୁ କୋର୍ଟ ଚାଲାଣ କରାଯାଉଛି ଏବଂ ଗାଡ଼ିକୁ କୋର୍ଟରୁ ମୁକୁଳାଇବାକୁ ପଡ଼ୁଛି। ତେବେ ଏସବୁ ପରେ ବି କିଛି ମଦ୍ୟପ ଚାଳକ ଅଭ୍ୟାସଗତ ଭାବେ ନିୟମ ଉଲ୍ଲଂଘନ କରିଚାଲିଛନ୍ତି। ପିଆର୍‌ ବଣ୍ଡରେ ଯାଇ କିଛି ଚାଳକ ପୁଣି ଭୁଲ କରୁଥିବା ଦେଖିବାକୁ ମିଳୁଛି।

ମିଳିଥିବା ତଥ୍ୟ ଅନୁସାରେ ଫେବ୍ରୁଆରି ମାସରୁ ଏ ପର୍ଯ୍ୟନ୍ତ ଏହି ଅଭିଯାନରେ ୯୦୦ ମଦୁଆ ଚାଳକ ଧରାପଡ଼ିଲେଣି। ସେମାନଙ୍କ ମଧ୍ୟରୁ ୪ ଜଣଙ୍କୁ ଅଭ୍ୟାସଗତ ଅମାନିଆ ବୋଲି ଚିହ୍ନଟ କରାଯାଇଛି। ସେମାନେ ହେଲେ ଅମିତ ବେଉରିଆ, ସିଦ୍ଧାର୍ଥ ପଟ୍ଟନାୟକ, ପ୍ରଭାତ କୁମାର ସାହୁ ଓ ଅନିରୁଦ୍ଧ ରାଉତ। ଏମାନେ ବାରମ୍ବାର ଭୁଲ୍‌ କରୁଥିବା ସ୍ପଷ୍ଟ ହୋଇଛି। ପୁଲିସ କହିବା କଥା ଧରପଗଡ଼ ରେକର୍ଡରୁ ଅଭ୍ୟାସଗତ ଅମାନିଆଙ୍କ ତାଲିକା କରାଯାଉଛି। ସେହି ତାଲିକାରୁ ଏହି ୪ ଅଭ୍ୟାସଗତ ଉଲ୍ଲଂଘନକାରୀଙ୍କୁ ଚିହ୍ନଟ କରାଯାଇଛି। ଏହି ତାଲିକା ଆରଟିଓ-୨ଙ୍କୁ ପ୍ରଦାନ କରାଯାଇଛି। ମୋଟର ଭେହିକିଲ୍‌ ନିୟମାନୁସାରେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚିଠି କରାଯାଇଛି। ସେମାନଙ୍କ ଡିଏଲ୍‌ ରଦ୍ଦ କରାଯାଉ ବୋଲି ଚିଠିରେ ଦର୍ଶାଯାଇଛି। ସେହିଭଳି ଆର୍‌ଟିଓ ପବ୍ଲିକ୍‌ ଡୋମେନ୍‌ରେ ସେମାନଙ୍କୁ ଅଭ୍ୟାସଗତ ଅମାନିଆ ବୋଲି ଉଲ୍ଲେଖ କରାଯିବାକୁ କୁହାଯାଇଛି।

ସମ୍ବନ୍ଧିତ ଖବର