ଗୀତ ଓ ବାଦ୍ୟରେ ଝୁମିଲେ

ସାଇକ୍ଲୋଥନ୍‌ ଆରମ୍ଭ ହେବା ପୂର୍ବରୁ ମନୋରଞ୍ଜନ ଲାଗି ଆୟୋଜନ ହୋଇଥିଲା ସ୍ୱତନ୍ତ୍ର ସଙ୍ଗୀତ ଓ ବାଦ୍ୟ ଆକର୍ଷଣୀୟ କାର୍ଯ୍ୟକ୍ରମ। କଣ୍ଠଶିଳ୍ପୀ ତ୍ରିଷା, ଗୌରବ ଓ ସାଥୀଙ୍କ ସୁମଧୁର କଣ୍ଠସ୍ୱରରେ ଝୁମିଥିଲେ ସମସ୍ତେ। ସେମାନେ ମଧ୍ୟ ପ୍ର୍ରାୟ ଦେଢ଼ ଘଣ୍ଟା ଧରି ଗୋଟିଏ ପରେ ଗୋଟିଏ ହିନ୍ଦୀ ଓ ଓଡ଼ିଆ ଗୀତ ପରିବେଷଣ କରି ସମସ୍ତଙ୍କ ମନ ମୋହିଥିଲେ। ଏଥିସହ ସନ୍ଧ୍ୟାର ଆକର୍ଷଣ ସାଜିଥିଲା ଦେଶବିଦେଶରେ ଓଡ଼ିଶାର ନାଁ ଉଜ୍ଜ୍ୱଳ କରିଥିବା କୁନି ଡ୍ରମର୍‌ ଅଭିଷେକ ସାହୁଙ୍କ ଡ୍ରମ୍‌ ବାଦ୍ୟ ପରିବେଷଣ। ତାଙ୍କ ହାତର ଜାଦୁରେ ସ୍ତବ୍ଧ ହୋଇଯାଇଥିଲେ ଉପସ୍ଥିତ ସାଇକେଲ ଆରୋହୀ।

ବର୍ଷାଙ୍କ ଯାଦୁ

ସାଇକ୍ଲୋଥନ୍‌ରେ ଅତିଥିମାନଙ୍କ ମଧ୍ୟରେ ଉପସ୍ଥିତ ଲୋକପ୍ରିୟ ଓଡ଼ିଆ ଅଭିନେତ୍ରୀ ବର୍ଷାଙ୍କ ଉପସ୍ଥିତି ମଧ୍ୟ ସମସ୍ତଙ୍କ ମଧ୍ୟରେ ବେଶ୍‌ ଉଦ୍ଦୀପନା ସୃଷ୍ଟି କରିଥିଲା। ବର୍ଷା ମଞ୍ଚ ନିକଟକୁ ଆସୁ ଆସୁ ସମସ୍ତଙ୍କ ମଧ୍ୟରେ ଉତ୍ସାହ ଖେଳିଯାଇଥିଲା। ଅନେକେ ତାଙ୍କ ସହ ସେଲ୍‌ଫି ଉଠାଇବାକୁ ଭିଡ଼ ଜମାଇଥିଲେ। ବର୍ଷା ମଧ୍ୟ ସମସ୍ତଙ୍କୁ ଏହି ସାଇକ୍ଲୋଥନ୍‌ ନିମନ୍ତେ ଅଭିନନ୍ଦନ ଜଣାଇଥିଲେ ଏବଂ ସୁସ୍ଥ ରହିବା ପାଇଁ ସାଇକେଲ ଚଲାଇବାକୁ ଆହ୍ଵାନ ଦେଇଥିଲେ।

ଆକୃଷ୍ଟ କଲା ଡାଇମଣ୍ଡ୍‌ ଗ୍ରୁପ୍‌ର ଷ୍ଟଣ୍ଟ୍‌

ସାଲିଆ ସାହିରେ ରହୁଥିବା ବଣ୍ଟି, ବାପୁନି, ବାବୁଲି, ସୁଲତାନ୍‌ ଓ ଗୁଲୁଙ୍କୁ ନେଇ ଗଠିତ ଡାଇମଣ୍ଡ୍‌ ଗ୍ରୁପ୍‌ର ସାଇକେଲ୍‌ ଷ୍ଟଣ୍ଟ୍‌ ଆଜି ସମସ୍ତଙ୍କୁ ଆକୃଷ୍ଟ କରିଥିଲା। କାହାର ମଧ୍ୟ ବୟସ ୧୪ ଟପିନଥିବା ବେଳେ ସାଇକେଲ୍‌ ଚଲାଇବାର ସଉକ ସମସ୍ତଙ୍କର ରହିଛି। ଆଉ ସାଇକେଲ ଚାଳନାରେ ବିଭିନ୍ନ ଷ୍ଟଣ୍ଟ୍‌ ପ୍ରଦର୍ଶନ ନିମନ୍ତେ ମଧ୍ୟ ବେଶ୍‌ ପରିଶ୍ରମ କରନ୍ତି ଏହି କୁନି ପ୍ରତିଭାମାନେ।

ଉଇ ଅଲ୍‌ ରାଇଡ୍‌ ବାଇସାଇକେଲ୍‌

ରାଜଧାନୀରେ ସାଇକେଲ ଚଲାଇ ଧନୀ ଦରିଦ୍ରଙ୍କ ମଧ୍ୟରେ ରହିଥିବା ତାରତମ୍ୟକୁ ଦୂର କରିବା ନିମନ୍ତେ ସଚେତନତା ସୃ୍‌ଷ୍ଟି କରୁଥିବା ଉଇ ଅଲ୍‌ ରାଇଡ୍‌ ବାଇସାଇକେଲ୍‌ ଗ୍ରୁପ୍‌ର ସଦସ୍ୟମାନେ ଆଜିର ନାଇଟ୍‌ ସାଇକ୍ଲୋଥନ୍‌ରେ ଅତ୍ୟନ୍ତ ଉତ୍ସାହର ସହିତ ଅଂଶଗ୍ରହଣ କରିଥିଲେ। ସମ୍ବାଦର ଏହି ଅଭିନବ ଉଦ୍ୟମକୁ ପ୍ରଶଂସା କରି ରାଜଧାନୀରେ ଏହିପରି କାର୍ଯ୍ୟକ୍ରମର ଅଧିକରୁ ଅଧିକ ଆୟୋଜନ କରାଯାଉ ବୋଲି ମତ ଦେଇଥିଲେ ଗ୍ରୁପ୍‌ର ସଦସ୍ୟମାନେ।

ସଙ୍କଳ୍ପ ଇଣ୍ଡିଆ ୟୁଥ୍‌ ଆସୋସିଏସନ୍‌

ପୁରୁଣା ଭୁବନେଶ୍ୱର ଅଞ୍ଚଳର ସଙ୍କଳ୍ପ ଇଣ୍ଡିଆ ୟୁଥ୍‌ ଆସୋସିଏସନ୍‌ (ସିୟା)ର ସଦସ୍ୟମାନେ ମଧ୍ୟ ଏହି ସାଇକ୍ଲୋଥନ୍‌ରେ ଅଂଶଗ୍ରହଣ କରିଥିଲେ। ପରିବେଶ ସୁରକ୍ଷା ଓ ବିଶ୍ୱ ଭାତୃତ୍ୱର ବାର୍ତ୍ତା ବାଣ୍ଟୁଥିବା ଏହି ସଂଗଠନର ସଦସ୍ୟମାନେ ନିୟମିତ ଭାବରେ ସାଇକେଲ୍‌ ଚଲାଇଥାଆନ୍ତି।

ଏଲ୍‌ପି ଟିମ୍‌ ଓ ଏନ୍‌ଓ୍ଵାଇସିଏ

ଚନ୍ଦ୍ରଶେଖରପୁର ଅଞ୍ଚଳର ଅଗ୍ରଣୀ ସାମାଜିକ ସଂଗଠନ ଏଲ୍‌ପି ଟିମ୍‌ ଓ ଏନ୍‌ଓ୍ଵାଇସିଏର ସଦସ୍ୟମାନେ ମଧ୍ୟ ପ୍ରଥମ ନାଇଟ୍‌ ସାଇକ୍ଲୋଥନ୍‌ରେ ଅଂଶଗ୍ରହଣ କରିଥିଲେ। ଏଭଳି ଏକ ଅଭିନବ ପ୍ରୟାସ ପାଇଁ ଏହି ଗ୍ରୁପ୍‌ର ସଦସ୍ୟମାନେ ମଧ୍ୟ ‘ସମ୍ବାଦ’କୁ ଧନ୍ୟବାଦ ଦେଇଥିଲେ।

ଦିବ୍ୟାଙ୍ଗ ସାଇକ୍ଲିଷ୍ଟ୍‍ ଅମରେଶ

ନାଇଟ୍‌ ସାଇକ୍ଲୋଥନ୍‌ରେ ଅଂଶ୍ରଗହଣକାରୀଙ୍କ ମଧ୍ୟରେ ଛୋଟପିଲା, ମହିଳା, ବୃଦ୍ଧବୃଦ୍ଧାଙ୍କ ଉପସ୍ଥିତି ବେଶ ଉତ୍ସାହଭରା ଥିଲା। କିନ୍ତୁ ଆଗଧାଡ଼ିରେ ଅପେକ୍ଷାରତ ଦିବ୍ୟାଙ୍ଗ ସାଇକ୍ଲିଷ୍ଟ୍‍ ଅମରେଶ ପ୍ରସାଦ ଗୌଡ଼ା ଥିଲେ ଆକର୍ଷଣର କେନ୍ଦ୍ରବିନ୍ଦୁ। ଅମରେଶଙ୍କ ପାଇଁ କେବଳ ରାତିର ଅଡ଼ୁଆ ନୁହେଁ, ଦୂରତା ବି ହୋଇନଥିଲା ପ୍ରତିବଂଧକ। କଟକରୁ ବସ୍‌ରେ ଆସିଥିଲେ ଏହି ଦିବ୍ୟାଙ୍ଗ ଛାତ୍ର। ସାଥିରେ ଆଣିଥିଲେ ନିଜ ସ୍ୱତନ୍ତ୍ର ସାଇକେଲ୍‌। ନିଜ ଘର ବହ୍ମପୁର ହୋଇଥିଲେ ବି କଟକ ବୋଷ୍‌ ଇଂଜିନିୟରିଂ କଲେଜରେ ପଢ଼ୁଥିବାରୁ ସେ କଟକରେ ରହୁଛନ୍ତି। କିନ୍ତୁ ଖେଳକୁଦରେ ଥିବା ରୁଚି ତାଙ୍କୁ ଟାଣି ଆଣିଥିଲା ରାଜଧାନୀକୁ। ତାଙ୍କୁ ଟ୍ରାଇସାଇକେଲରେ ଆସିଥିବା ଦେଖି ଅନ୍ୟମାନଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି ହୋଇଥିଲା।

ଜାୟତ୍ରୀଙ୍କ ଜିତ୍‌

ମହର୍ଷି କଲେଜର ଯୁକ୍ତ୨ ଦ୍ୱିତୀୟ ବର୍ଷ ଛାତ୍ରୀ ଜାୟତ୍ରୀ ଦାଶ। ରାତିରେ ରାଜଧାନୀ ରାସ୍ତାରେ ଏକା ଏକା ସାଇକେଲ୍‌ ଚଲାଇ ଚାଲିଥିଲେ। ଆଗରେ କେହି ନ ଥିଲେ କି ପଛରେ ବି କେହି। ମନରେ ଉତ୍କଣ୍ଠା ଓ ଉତ୍ସାହ ନେଇ ଜାୟତ୍ରୀ ‘ସମ୍ବାଦ’ ସାଇକ୍ଲୋଥନ୍‌’ରେ ସାଇକେଲ୍‌ ଚଲାଇ ବଢ଼ିଥିଲେ ଆଗକୁ। ପୁଅମାନଙ୍କ ସହ ନିଜକୁ କୌଣସି ଗୁଣରେ କମ୍‌ ଭାବି ନ ଥିଲେ। ଜନତା ମଇଦାନରୁ ବାହାରି ଜୟଦେବ ବିହାର ଦେଇ ପାଓ୍ଵାର ହାଉସ୍‌ ଛକ ନିକଟରେ ପହଞ୍ଚିଥିଲେ। ସେଠାରୁ ପୁଣିଥରେ ପ୍ରତ୍ୟାବର୍ତନ କରି ଜନତା ମଇଦାନଠାରେ ପହଞ୍ଚିଥିଲେ। ପ୍ରାୟ ୮ କି.ମି. ରାସ୍ତାକୁ ୨୫ ମିନିଟ୍‌ରେ ଲକ୍ଷ୍ୟ ସ୍ଥଳରେ ପହଞ୍ଚିଥିଲେ। ପୁଅମାନେ ଅଧା ରାସ୍ତାରେ ଅଟକି ଯାଇଥିଲେ ମଧ୍ୟ ଜାୟତ୍ରୀ ରହି ଯାଇ ନ ଥିଲେ। ଲକ୍ଷ୍ୟସ୍ଥଳରେ ପହଞ୍ଚି ନିଜକୁ ବିଜେତା ବୋଲି ପ୍ରମାଣିତ କରିଥିଲେ। ତାଙ୍କ କହିବାନୁଯାୟୀ ପ୍ରଥମ ଥର ଲାଗି ରାତିରେ ସାଇକେଲ୍‌ ଚଲାଇଲି। ଏଭଳି ଅନୁଭୂତି ଆଗକୁ କେବେ ବି ମିଳି ନ ଥିଲା। ପୂର୍ବରୁ ଅନେକ ଥର ସାଇକେଲ୍‌ ଚଲାଇଛି। ଟିଉସନ୍‌କୁ ଯିବା ସମୟରେ ସାଇକେଲ୍‌ ଚଲାଇଥାଏ। ଆଜିର ଏହି ନିଆରା ଅନୁଭୂତିକୁ ଭୁଲି ହେବନି।

ରାସ୍ତାରେ ସାଇକେଲ୍‌ରେ ଷ୍ଟଣ୍ଟ୍‌

ରାତି ହୋଇଥିଲେ ମଧ୍ୟ ସାଇକେଲ୍‌ ଚାଳକମାନେ କୌଣସି ବି ମୂହୁର୍ତ୍ତକୁ ଉପଭୋଗ କରିବାକୁ ଛାଡ଼ିବାକୁ ଚାହିଁ ନ ଥିଲେ। କିଏ ସାଇକେଲ୍‌ ସିଟ୍‌ରେ ବସି ଚଲାଉଥିଲେ ତ ଆଉ କିଏ ଆକର୍ଷଣୀୟ ଷ୍ଟଣ୍ଡ ଦେଖାଇଥିଲେ। ସାଇକେଲ୍‌ରେ ପଛରେ ବସି ଚଲାଇବା, ସାଇକେଲ୍‌ ରଡ ଉପରେ ଛିଡ଼ା ହୋଇ ଚଲାଇଥିଲେ। କେହି କେହି ଗୋଟିଏ ପ୍ୟାଡେଲ୍‌ରେ ସାଇକେଲ୍‌ ଚଲାଇ ନିଜର ଦକ୍ଷତା ଦେଖିବାକୁ ପ୍ରୟାସ କରିଥିଲେ। ସୁମନ୍ତ ରାଉତ କୁହନ୍ତି, ଏହି ଅଭିନବ ପ୍ରୟାସ ସ୍ୱାଗତଯୋଗ୍ୟ। ରାଜଧାନୀ ରାସ୍ତାରେ ରାତିରେ ସାଇକେଲ୍‌ ଚଲାଇବା ଲାଗି କମ୍‌ ସୁଯୋଗ ମିଳିଥାଏ। ଏକାଥରେ ଦୁଇ ହଜାରରୁ ଅଧିକ ଯୁବକ, ଯୁବତୀ ଏକାଠି ହୋଇ ସାଇକେଲ୍‌ ଚଲାଇବା ଅନୁଭୂତି ସତରେ ସ୍ୱତନ୍ତ୍ର।

ରାତିରେ ପ୍ରଥମ ଥର ପାଇଁ ଭାଗ ନେଲୁ

କ୍ରୀଡ଼ା ବିଭାଗର ଛାତ୍ରଛାତ୍ରୀ ହୋଇଥିବାରୁ ଅନେକ ସାଇକେଲ୍‌ ମାରାଥନ୍‌ରେ ଯୋଗ ଦେବା ପାଇଁ ସୁଯୋଗ ମିଳିଛି। ହେଲେ ଏମିତି ରାତିରେ ସାଇକେଲ୍‌ ଚଲାଇବାର ଆମମାନଙ୍କ ପାଇଁ ପ୍ରଥମ ଅନୁଭୂତି। ଏଭଳି ପ୍ରୟାସ ସମ୍ବାଦ ପକ୍ଷରୁ ଜାରି ରହିବା ଦରକାର।
‘କିସ୍‌’ ସାଇକେଲ୍‌ ଗ୍ରୁପ୍‌

ରାତିରେ ସାଇକେଲ ଚଲାଇବା ମଜା ନିଆରା

ଏମିତି ଏକ ନିଆରା ଅନୁଭୂତି ଆଗରୁ କେବେ ପାଇ ନଥିଲୁ। ରାତିରେ ସାଇକେଲ୍‌ ଚଲାଇ ମଞ୍ଚେଶ୍ୱରରୁ ଜନତା ମଇଦାନ ଆସିବା ଓ ପରେ ସାଇକ୍ଲୋଥନ୍‌ରେ ଭାଗନେବା ଆମ ପାଇଁ ସ୍ମରଣୀୟ ହୋଇ ରହିବ।
କଳିଙ୍ଗ ଆକ୍ଟିଭିଟି ସେଣ୍ଟର୍‌, ମଞ୍ଚେଶ୍ୱର

ନାଇଟ୍‌ ସାଇକ୍ଲୋଥନ୍‌ ଏକ ନୂଆ ଅଧ୍ୟାୟ

ଆମେ କିଛି ଚାକିରିଆ ସାଙ୍ଗମାନେ ଏହି ଗ୍ରୁପ୍‌ କରି ସାଇକେଲ୍‌ ନିଜେ ଚଲାଇବା ସହ ଅନ୍ୟମାନଙ୍କୁ ସାଇକେଲ୍‌ ଚଲାଇ ଫିଟ୍‌ ରହିବା ପାଇଁ ସଚେତନ କରୁଛୁ। ହେଲେ ଆଜି ଏକ ମହତ ଉଦ୍ଦେଶ୍ୟରେ ରାତିରେ ରାଜଧାନୀର ରାଜରାସ୍ତାରେ ସାଇକେଲ୍‌ ଚଲାଇବାର ଅନୂଭୂତି ନିଆରା। ଏଭଳି ନାଇଟ୍‌ ସାଇକ୍ଲୋଥନ୍‌ ଆୟୋଜନ ଦ୍ୱାରା ଏକ ନୂଆ ଅଧ୍ୟାୟ ସୃଷ୍ଟି ହେଲା।
କ୍ରାଉନ୍‌ ସାଇକେଲ୍‌ ଗ୍ରୁପ୍‌, ନୟାପଲ୍ଲୀ

ସାମିଲ୍‌ ହୋଇ ଭଲ ଲାଗିଲା

ଅଲିଭ୍‌ ରିଡ୍‌ଲେ କଇଁଛକୁ ସୁରକ୍ଷା ଦେବା ଆମ ରାଜ୍ୟବାସୀଙ୍କ କର୍ତବ୍ୟ। ଆମ ରାଜ୍ୟର ବ୍ରାଣ୍ଡ୍‌ ଭାବରେ ଏହି ଅଲିଭ ରିଡ୍‌ଲେ କାର୍ଯ୍ୟ କରୁଥିବାବେଳେ ଆମେ ଏହାକୁ ବଞ୍ଚାଇବା ପାଇଁ ସରକାରଙ୍କ ସହ ହାତ ମିଶାଇ ସଚେତନତାର ବାର୍ତା ବାଣ୍ଟୁଛୁ। ଏପରି ସଚେତନତାମୂଳକ କାର୍ଯ୍ୟର ପ୍ରଚାର ପ୍ରସାର କରୁଥିବା ବେଳେ ସାଇକ୍ଲୋଥନ୍‌ରେ ଯୋଗ ଦେବା ପାଇଁ ସୁଯୋଗ ମିଳିଲା, ଏହା ଆମ ପାଇଁ ଗର୍ବର କଥା।
ଅଲିଭ୍‌ ରିଡ୍‌ଲେ ସୁରକ୍ଷା ଗ୍ରୁପ୍‌

ସମ୍ବନ୍ଧିତ ଖବର