ଘାଟିକିଆ ବାପି ହତ୍ୟା ମାମଲା: ୧୦ ଜଣଙ୍କୁ ଆଜୀବନ କାରାଦଣ୍ଡ

ଭୁବନେଶ୍ବର: ଖଣ୍ଡଗିରି ଥାନା ଅଧୀନ ଘାଟିକିଆରେ ଘଟିଥିବା ବହୁ ଚର୍ଚିତ ସନ୍ଦୀପ କୁମାର ନନ୍ଦ ଓରଫ ବାପି ହତ୍ୟା ମାମଲାର ଆଜି ରାୟ ପ୍ରକାଶ ପାଇଛି। ଏଡିଜେ କୋର୍ଟ-୪ ଏହି ମାମଲାର ଶୁଣାଣି କରି ସମସ୍ତ ୧୦ ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହାଛଡ଼ା ପ୍ରତ୍ୟେକଙ୍କୁ ୧୦ ହଜାର ଟଙ୍କା ଜରିମାନା ଦେବାକୁ ମଧ୍ୟ ନିର୍ଦେଶ ହୋଇଛି। ଜରିମାନା ଅନାଦେୟ ହେଲେ ଆହୁରି ଅଧିକ ୬ ମାସ ଜେଲ ଦଣ୍ଡରେ ଦଣ୍ଡିତ ହେବେ। ଯେଉଁ ଅଭିଯୁକ୍ତମାନଙ୍କୁ କୋର୍ଟ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି, ସେମାନେ ହେଲେ ଅଶୋକ କୁମାର ବାଉତ, ବିଷ୍ଣୁ ପ୍ରସାଦ ବେହେରା, ଆଶିଷ କୁମାର ବେହେରା, ଶୈଳେନ୍ଦ୍ର କୁମାର ସାମନ୍ତରାୟ, ସୁନୀଲ କୁମାର ସାମନ୍ତରାୟ, ଘନଶ୍ୟାମ ବାଉତ, ପ୍ରଭାତ ରଂଜନ ବେହେରା, ତ୍ରିଲୋଚନ ବେହେରା, ଛବୀନ୍ଦ୍ର ବେହେରା, ପ୍ରକାଶ ଚନ୍ଦ୍ର ବେହେରା ପ୍ରମୁଖ।

କୋର୍ଟ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ମୃତ ବାପି ଓ ମୁଖ୍ୟ ଅଭିଯୁକ୍ତ ଅଶୋକ କୁମାର ବାଉତଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ଶତ୍ରୁତା ଲାଗି ରହିଥିଲା। ଦୋଳ ମେଲଣ ସମୟରେ ଏହା ଉଗ୍ର ରୂପ ଧାରଣ କରିଥିଲା। ୨୦୧୨ ମସିହା ଏପ୍ରିଲ ମାସ ୧ ତାରିଖ ରାତିରେ ବାପି ଓ ତାଙ୍କ ଦୁଇ ସାଙ୍ଗ ଦେବାଶିଷ କର ଓ ଲୋକନାଥ କଳିଙ୍ଗନଗରଠା‌ରେ ଥିବା ଏକ ଫାଷ୍ଟଫୁଡ ଦୋକାନରେ ଖାଉଥିଲେ। ଏହି ସମୟରେ ଅଶୋକ ବାଉତ ସେଠାରେ ପହଞ୍ଚି ଥିଲା। ଦୁହିଁଙ୍କର ସେଠାରେ କୌଣସି ଏକ କାରଣକୁ ନେଇ ବଚସା ହୋଇଥିଲା। ଏହା ପରେ ଅଶୋକ ଗାଁକୁ ଚାଲି ଆସିଥିଲା। ପରେ ଅଶୋକ ନିଜ ସହଯୋଗୀମାନଙ୍କ ସହିତ ମାରଣାସ୍ତ୍ର ଧରି ଗାଁ ମୁଣ୍ଡ ରାସ୍ତାରେ ଅପେକ୍ଷା କରିଥିଲା। ବାପି ପହଞ୍ଚିବା କ୍ଷଣି ତାଙ୍କୁ ଅତର୍କିତ ଭାବେ ଠେଙ୍ଗା, ଲୁହାରଡ଼, ବାଉଁଶ ମୂଳିରେ ଆକ୍ରମଣ କରିଥିଲେ। ବାପି ବେହୋସ ହୋଇ ଯିବା ପରେ ଅଶୋକ ତାଙ୍କ ଛାତି ପଞ୍ଝରା ଉପରେ ବୁଲେଟ ଚଢ଼ାଇ ଦେଇଥିଲା। ଖବର ପାଇଁ ବାପିଙ୍କ ଦାଦା ଓ ଅନ୍ୟମାନେ ଘଟଣାସ୍ଥଳରେ ପହଞ୍ଚି ବାପିଙ୍କୁ ଉଦ୍ଧାର କରି ହସ୍ପିଟାଲ ନେଇଥିଲେ। କିନ୍ତୁ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ।

ଏନେଇ ଦିଲ୍ଲୀପ କୁମାର ନନ୍ଦ ଖଣ୍ଡଗିରି ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ହତ୍ୟା ମାମଲା ରୁଜୁ କରିଥିଲା। ସେତେବେଳର ଖଣ୍ଡଗିରି ଥାନା ଏସଆଇ( ବର୍ତମାନ ଲକ୍ଷ୍ମୀସାଗର ଥାନା ଇନ୍ସପେକ୍ଟର) ଦୟାନିଧି ନାୟକ ତଦନ୍ତକାରୀ ଅଫିସର ଥିଲେ। ସେ ବିଭିନ୍ନ ସ୍ଥାନରେ ଚଢ଼ଉ କରି ହତ୍ୟାକାଣ୍ଡର ସମସ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରିଥିଲେ। ଏହା ପରେ ମାମଲାର ଶୁଣାଣି ଏଡିଜେ କୋର୍ଟ-୪ରେ ଆରମ୍ଭ ହୋଇଥିଲା। ବିଚାରପତି ସତ୍ୟ ନାରାୟଣ ପ୍ରଧାନ ସମସ୍ତ ୨୨ ଜଣଙ୍କ ସାକ୍ଷ୍ୟ ଓ ପ୍ରମାଣକୁ ଆଧାର କରି ଏହି ରାୟ ଶୁଣାଇ ଥିଲେ। ସରକାରଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ତଥା ପିପି ସୁରେଶ କୁମାର ବାରିକ ମାମଲା ପରିଚାଳନା କରୁଥିଲେ। ତାଙ୍କୁ ସହଯୋଗ କରୁଥିଲେ ଦୁଇ ଆଇନଜୀବୀ ତଥା ଏପିପି ସୁଧାଂଶୁ ଶେଖର ପଣ୍ଡା, ରଂଜିତ ମହାପାତ୍ର ପ୍ରମୁଖ। ଅପରପକ୍ଷେ ଏହି ଦଣ୍ଡବିଧାନ ପରେ ଘାଟିକିଆ ବଜାର ଓ ଗାଁରେ ଚାପା ଉତ୍ତେଜନା ଲାଗି ରହିଛି। କୌଣସି ଅପ୍ରୀତିକର ପରିସ୍ଥିତି ଉପୁଜିବା ଆଶଙ୍କାରେ ଖଣ୍ଡଗିରି ଥାନା ପକ୍ଷରୁ ପୁଲିସ ପହରା କଡ଼ାକଡ଼ି କରାଯାଇଛି। ଏହା ସହିତ ଫୋର୍ସ ମୁତୟନ ହୋଇଛନ୍ତି।

ସମ୍ବନ୍ଧିତ ଖବର