୧୦ ହୋଟେଲରେ ସଙ୍ଗରୋଧ ସୁବିଧା: ୨୦୫ ଜଣ ରହିଲେଣି, ଏବେ ୫୦ଜଣ ଅଛନ୍ତି

ଭୁବନେଶ୍ବର: ବିଏମ୍‌ସି ପକ୍ଷରୁ ପର୍ଯ୍ୟାୟକ୍ରମେ ୬୪ଟି ହୋଟେଲରେ ସଙ୍ଗରୋଧ ବ୍ୟବସ୍ଥା କରାଯାଇଥିଲା। କିନ୍ତୁ ଅଧିକାଂଶ ହୋଟେଲରେ ଲୋକଙ୍କୁ ଶୋଷଣ ହେଉଥିବା ଅଭିଯୋଗ ହେବାରୁ ଏବଂ ହୋଟେଲରେ ରୁମ୍‌ ଭଡ଼ା ଅଧିକ ରହୁଥିବାରୁ ଲୋକମାନେ ଅର୍ଥ ଦେଇ ‌ସଙ୍ଗରୋଧରେ ରହିଲେନି। ଏନେଇ ବିଏମ୍‌ସିରେ ବାରମ୍ବାର ଅଭିଯୋଗ ହେବା ପରେ ବି କିଛି ପଦକ୍ଷେପ ନିଆଗଲାନି। ଏବେ ବିଦେଶ ଫେରନ୍ତା ଏବଂ ବାହାର ରାଜ୍ୟରୁ ବହୁ ଲୋକ ଭୁବନେଶ୍ବର ଫେରୁଥିବାରୁ ବିଏମ୍‌ସି ପକ୍ଷରୁ ୧୦ଟି ହୋଟେଲରେ ସଙ୍ଗରୋଧ ସୁବିଧା ଉପଲବ୍ଧ କରାଯାଇଛି। ବିଏମ୍‌ସି ପକ୍ଷରୁ ଆଜି ଟୁଇଟ୍‌ କରି ଏନେଇ ସୂଚନା ଦିଆଯାଇଛି। କେଉଁ ହୋଟେଲରେ କେତେ ଦାମ୍‌, କାହାକୁ ଯୋଗାଯୋଗ କରିବେ, ତାହାର ତାଲିକା ମଧ୍ୟ ଦିଆଯାଇଛି। ବିଏମ୍‌ସି ପକ୍ଷରୁ କୁହାଯାଇଛି ଯେ ଯେଉଁ ଦର ଧାର୍ଯ୍ୟ ହୋଇଛି, ସେଥିରେ ଗୋଟିଏ ରୁମ୍‌, ଦୁଇ ଓଳି ଖାଇବା, ପାଣି ବୋତଲ, ଚା, ବିସ୍କୁଟ ଆ‌ଦି ଉପଲବ୍ଧ ହେବ। ଜଣେ ହୋଟେଲରେ ସଙ୍ଗରୋଧରେ ରହିଲେ, ଯେପରି ବାହାରକୁ ଯିବେନି, ସେନେଇ ଆବଶ୍ୟକ ସେବା ଯୋଗାଇ ହେବ। ଧାର୍ଯ୍ୟ ମେନୁ ଅନୁସାରେ ଖାଇବାକୁ ମିଳିବ। ଯଦି ଏହାଠାରୁ ଅଧିକ କେହି ଖାଆନ୍ତି ବା ପିଅନ୍ତି ତେବେ ଏଥିପାଇଁ ଅଧିକ ଅର୍ଥ ଦେବେ।

ବିଏମ୍‌ସିର ସୂଚନା ଅନୁଯାୟୀ, ସହିଦନଗରସ୍ଥିତ ଏମ୍ପାୟର୍ସ ହୋଟେଲରେ ୨୫୦୦ ଟଙ୍କା ଓ ଟ୍ୟାକ୍ସ, ଜୟଦେବ ବିହାରସ୍ଥିତ ଜିଞ୍ଜର ହୋଟେଲରେ ୨୫୦୦ ଟଙ୍କା ଓ ଟ୍ୟାକ୍ସ, କଳ୍ପନା ଛକରେ ଥିବା ହୋଟେଲ କଳିଙ୍ଗ ଅଶୋକରେ ୨୫୦୦ ଟଙ୍କା ଓ ଟ୍ୟାକ୍ସ, ଅଶୋକନଗରସ୍ଥିତ ହୋଟେଲ ରେଲ୍‌ ଭିୟୁରେ ୧୪୦୦ ଟଙ୍କା ଓ ଟ୍ୟାକ୍ସ, ଜୟଦେବ ବିହାରସ୍ଥିତ ହୋଟେଲ ଟାଉନ୍‌ ହାଉସ୍‌ରେ ୧୪୦୦ ଟଙ୍କା ଓ ଟ୍ୟାକ୍ସ, ହୋଟେଲ ଅର୍ଚିଡ୍‌ ଭିଲ୍ଲାରେ ୯୦୦ ଟଙ୍କା, ପଟିଆସ୍ଥିତ ଷ୍ଟେଲାର ରିସୋର୍ଟସରେ ୯୦୦ ଟଙ୍କା, ରୂପାଲି ଛକସ୍ଥିତ ସାଇ ସାଗର ରେସିଡେନ୍ସିରେ ୯୦୦ ଟଙ୍କା, ବମିଖାଲସ୍ଥିତ ଆଭିସି ରେସିଡେନ୍ସିରେ ୯୦୦ ଟଙ୍କା, ଶୈଳଶ୍ରୀ ବିହାରସ୍ଥିତ ମାପଲ୍‌ ଟ୍ରି ହୋଟେଲରେ ୯୦୦ ଟଙ୍କାରେ ସବୁ ସେବା ଉପଲବ୍ଧ ହେବ। ଯଦି କୌଣସି ହୋଟେଲ କର୍ତ୍ତୃପକ୍ଷ ଏହାଠାରୁ ଅଧିକ ଅର୍ଥ ନିଅନ୍ତି ତେବେ ସଙ୍ଗରୋଧରେ ଥିବା ବ୍ୟକ୍ତି ବିଏମ୍‌ସି ନିକଟରେ ଅଭିଯୋଗ କରିପାରିବେ। ଏହାପରେ ହୋଟେଲ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ। ବିଏମ୍‌ସିରୁ ମିଳିଥିବା ସୂଚନା ଅନୁଯାୟୀ, ଏବେ ସୁଦ୍ଧା ୧୨ଟି ହୋଟେଲରେ ୨୦୫ଜଣ ସଙ୍ଗରୋଧରେ ରହିଥିବା ବେଳେ ଏବେ ୫୦ଜଣ ସଙ୍ଗରୋଧରେ ଅଛନ୍ତି। ସମସ୍ତେ ୧୪ ଦିନ ସଙ୍ଗରୋଧ ରହିବା ପରେ ଘରକୁ ଫେରିଛନ୍ତି।

ସମ୍ବନ୍ଧିତ ଖବର