ପୁଣି ବନ୍ଦ ହେବ କ୍ୟାପିଟାଲ ହସ୍ପିଟାଲ ଓଟି!

ଭୁବନେଶ୍ବର: ପୁଣି ବନ୍ଦ ହେବ କ୍ୟାପିଟାଲ ହସ୍ପିଟାଲ ଓଟି। ରାଜଧାନୀରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଥିବାରୁ ଏହାକୁ ନଜରରେ ରଖି ହସ୍ପିଟାଲ କର୍ତୃପକ୍ଷ ଏଭଳି ପଦକ୍ଷେପ ନେବା ଲାଗି ବିଚାର କରୁଥିବା ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି। ଯଦିଓ ଏ ନେଇ ବିଧିବଦ୍ଧ ଭାବେ ଘୋଷଣା ହୋଇନାହିଁ ମାତ୍ର ଏ ନେଇ ବିଚାର ବିମର୍ଶ ଜାରି ରହିଥିବା ସୂଚନା ମିଳିଛି। କ୍ୟାପିଟାଲ ହସ୍ପିଟାଲରେ ନିକଟରେ ଓଟିକୁ ଖୋଲା ଯାଇଥିଲା। ଏହା ଭିତରେ କିଛି ଲୋକଙ୍କ ଅସ୍ତ୍ରୋପଚାର ମଧ୍ୟ କରାଯାଇଛି। ମାତ୍ର ଦିନକୁ ଦିନ ରାଜଧାନୀରେ କରୋନା ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏପରିକି ହସ୍ପିଟାଲରୁ ୨ଜଣ ଗର୍ଭବତୀ ପଜିଟିଭ୍ ଚିହ୍ନଟ ‌ମଧ୍ୟ ହୋଇଛନ୍ତି। ଏଭଳି ପରିସ୍ଥିତିରେ କେଉଁ ବ୍ୟକ୍ତି ପଜିଟିଭ୍ ଅଛନ୍ତି କି ନାହିଁ ତାହା ଜାଣିବା ମୁସ୍କିଲ ହେଉଛି। ତେଣୁ ଏହାକୁ ନଜରରେ ରଖି ହସ୍ପିଟାଲ କର୍ତୃପକ୍ଷ ଓଟିକୁ କିଛିଦିନ ପାଇଁ ବନ୍ଦ ରଖିବା ପାଇଁ ବିଚାର ଚଳାଇଛନ୍ତି।

ଅପରପକ୍ଷରେ ହସ୍ପିଟାଲର ଉଭୟ ନିର୍ଦେଶକ ଏବଂ ଅଧୀକ୍ଷକଙ୍କ ପଦ ଫାଙ୍କା ପଡ଼ିଛି। ଉଭୟଙ୍କ ନିଯୁକ୍ତି ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏଯାବତ୍ କୌଣସି ବିଜ୍ଞପ୍ତି ପ୍ରକାଶ ପାଇନାହିଁ। ଡା.ନୀଳକଣ୍ଠ ସାହୁ ଓ ଡା. ଏଲ.ଡି ସାହୁଙ୍କ ନାଁ ଏଥିପାଇଁ ଚର୍ଚା ହେଉଛି। ସରକାରୀ ସ୍ତରରେ ଖାଲି ପଡ଼ିଥିବା ପଦବି ପୂରଣ ନେଇ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ଖୁବଶୀଘ୍ର ପୂରଣ କରାଯିବ ବୋଲି ଶୁଣିବାକୁ ମିଳୁଛି। ଗତ ଏପ୍ରିଲ ୨୬ତାରିଖରେ ହସ୍ପିଟାଲର ନିର୍ଦେଶକ ଡା. ଅଶୋକ ପଟ୍ଟନାୟକଙ୍କ ପଦୋନ୍ନତି ହୋଇଥିବା ବେଳେ ଅଧୀକ୍ଷକ ଡା.ନାରାୟଣ ସେଠୀ ଅବସର ଗ୍ରହଣ କରିଛନ୍ତି। ସେହିଦିନ ଠାରୁ ଉଭୟ ପଦବି ଖାଲି ପଡ଼ିଛି।

ସମ୍ବନ୍ଧିତ ଖବର