ଖଣ୍ଡଗିରି ମାଙ୍କଡ଼ଙ୍କ ସାଙ୍ଗ ପୁପୁନା, ସୁନୁ, ଚୁଇଁନା… ଆ ଆ…

ଭୁବନେଶ୍ବର: ପୁପୁନା ଥରେ ‘ଆ… ଆ… ବୋଲି ଡାକିଲେ, ପାହାଡ଼ ଉପରେ ଯେତେ ମାଙ୍କଡ଼ ଥାଆନ୍ତି ସବୁ ଆସି ଏକାଠି ହୋଇଯାଆନ୍ତି। ସେ ସିନା ଖାଇବାକୁ ଦିଏନି, କିନ୍ତୁ ତାଙ୍କର ଉଙ୍କୁଣି ବାଛିଦିଏ। ତାଙ୍କୁ ଗେଲ କରେ। ଏହା ପ୍ରତି ବଦଳରେ ମାଙ୍କଡ଼ମାନେ ବି ତା’ ଦେହରେ ଥୋଡ଼ି ଲଗେଇ ଗେଲ କରନ୍ତି। ଖଣ୍ଡଗିରି ପାହାଡ଼ରେ ରହୁଥିବା ମାଙ୍କଡ଼ ଓ ୧୩ ବର୍ଷୀୟ ପୁପୁନାଙ୍କ ବନ୍ଧୁତ୍ବ ଦେଖିଲେ ଦେଖେଣାହାରୀ ବି ଘଡ଼ିଏ ଅନେଇ ରୁହନ୍ତି। ପୁପୁନା ହୁଏତ ଜଙ୍ଗଲର ‘ଟାର୍ଜନ’ ହୋଇନପାରେ କିନ୍ତୁ ସେ ମାଙ୍କଡ଼ଙ୍କ ଭାଷା ବୁଝିପାରେ। ଆଉ ମାଙ୍କଡ଼ମାନେ ବି ପୁପୁନାର ଠାର ବୁଝିପାରନ୍ତି।

ଏବେ ନୁହେଁ, ମାଙ୍କଡ଼ମାନଙ୍କ ସହ ୫ ବର୍ଷ ତଳୁ ତା’ର ବନ୍ଧୁତା। ପୁପୁନାର ପୂରା ନାଁ ସୌମ୍ୟରଂଜନ ରାୟ। ଖଣ୍ଡଗିରି ସରକାରୀ ଉଚ୍ଚ ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ପୁପୁନା କୁହେ, ତାଙ୍କ ଘରେ ୨ଟା ମାଙ୍କଡ଼ ଥିଲେ। ଜଣେ ମୁନୁ, ଆଉ ଜଣେ କୁନୁ। ତେଣୁ ଅତି ଛୋଟ ବେଳୁ ସେ ମାଙ୍କଡ଼ଙ୍କ ପ୍ରେମରେ ପଡ଼ିଯାଇଥିଲା। ତା’ ବାପା ମହେନ୍ଦ୍ର ରାୟ ସେଇ ଖଣ୍ଡଗିରି ପାହାଡ଼ ପାଖରେ କଦଳୀ ବିକ୍ରି କରନ୍ତି। ତେଣୁ ସେ ବେଳେବେଳେ ଖଣ୍ଡଗିରି ମାଙ୍କଡ଼ଙ୍କ ମେଳାକୁ ପୁପୁନାକୁ ନେଇ ଆସୁଥିଲେ। ପ୍ରଥମେ ସେ ଏତେ ମାଙ୍କଡ଼ଙ୍କୁ ଦେଖି ଡରୁଥିଲା। ଏବେ କିନ୍ତୁ ସେ ବନ୍ଧୁ ପାଲଟି ଯାଇଛି। ଖାସ୍‌ ଏଇଥିପାଇଁ ଜୀବଜନ୍ତୁଙ୍କ ପାଇଁ କାମ କରୁଥିବା ‘ପିପୁଲ୍‌ସ ଫର ଆନିମଲ୍‌’ ସଂଗଠନ ତାକୁ ସଦସ୍ୟତା ଦେଇଛି। ସଂଗଠନର ପରିଚୟପତ୍ର ପୁପୁନାକୁ ପ୍ରଦାନ କରାଯାଇଛି। ମାଙ୍କଡ଼ଙ୍କ ମେଳରେ ତା’ର ବନ୍ଧୁତ୍ବ ଓ ଆପଣାପଣ ଦେଖି ତାକୁ ପିପୁଳସ୍‌ ଫର୍‌ ଆନିମଲ ସଦସ୍ୟ କରିଛି। ପୁପୁନା କୁହେ, ତା’ର କାଳେ ପିଲା ସାଙ୍ଗ ଅପେକ୍ଷା ମାଙ୍କଡ଼ ସାଙ୍ଗ ଅଧିକ। ଦିନକୁ ଥରେ ଦୁଇଥର ମାଙ୍କଡ଼ମାନଙ୍କ ମେଳରେ ନ ବୁଲିଲେ ତାକୁ ଭଲ ଲାଗେନି ବୋଲି ସେ କହିଛି। ସେ ଖାଲି ମାଙ୍କଡ଼ଙ୍କ ସାଙ୍ଗେ ବନ୍ଧୁ ବାନ୍ଧିନି, ସେମାନଙ୍କ ନାଁ ମଧ୍ୟ ଦେଇଛି। ‘ସୁନୁ’ ହେଉଛି ତା’ର ସବୁଠୁ ପ୍ରିୟ। ପ୍ରଥମେ ପ୍ରଥମେ ପୁପୁନାକୁ ମାଙ୍କଡ଼ମାନଙ୍କ ଗୋଇଠା ଖାଇବାକୁ ପଡ଼ୁଥିଲା। ବେଳେବେଳେ କିଛି ମାଙ୍କଡ଼ ତାକୁ ଆମ୍ପୁଡ଼ି ଦେଉଥିଲେ। ହେଲେ ଏବେ ସେ ମାଙ୍କଡ଼ମାନଙ୍କର ଆପଣାର। ପୁପୁନା ଅନ୍ୟମାନଙ୍କ ଅପେକ୍ଷା ସୁନୁକୁ ବେଶି ଭଲ ପାଏ। ସୁନୁର ଉଙ୍କୁଣି ବାଛି ଦେ‌ଲେ ସୁନୁ ପାପୁନି ଉପରେ ଖୁସି ହେଇଯାଏ ବୋଲି ପୁପୁନାର ବାପା ମହେନ୍ଦ୍ର ରାୟ କହିଛନ୍ତି।

ପୁପୁନା ମନ ଦୁଃଖ କରି କୁହେ, ଏଠି ଆଗରୁ ୧୦୦ରୁ ଅଧିକ ମାଙ୍କଡ଼ ଥିଲେ। ଏବେ କିନ୍ତୁ ସଂଖ୍ୟା କମି ଗଲାଣି। ଖଣ୍ଡଗିରି ଉଦୟଗିରି ମଝିରେ ଯାଇଥିବା ବିଦ୍ୟୁତ୍‌ ତାର ସହ ଗଛର ଡାଳ ଲାଗି ଗଲାଣି। ତେଣୁ ଛୋଟ ମାଙ୍କଡ଼ମାନେ ଜାଣି ନପାରି ଗଛ ଡାଳରୁ ତାର ଉପରକୁ ଡେଇଁ ପଡ଼ୁଛନ୍ତି। ଫଳରେ ବହୁ ମାଙ୍କଡ଼ ମରିଗଲେଣି। ବିଦ୍ୟୁତ୍‌ ବିଭାଗ ଯଦି ଅନ୍ତତଃ ଏହି ଆଖପାଖରେ ଯାଇଥିବା ବିଦ୍ୟୁତ ତାରକୁ କଭର ଦ୍ବାରା ଢାଙ୍କି ଦିଅନ୍ତା, ତେବେ ଅନେକ ମାଙ୍କଡ଼ଙ୍କ ଜୀବନ ରକ୍ଷା ହୋଇପାରନ୍ତା।

ସମ୍ବନ୍ଧିତ ଖବର