ସଇନ୍ତଳାରେ ମଦମୃତ୍ୟୁ : ଅପମିଶ୍ରିତ ମଦ ପିଇ ଜଣେ ମୃତ, ମହୁଲ ପୋଚ, ମଦରନ୍ଧା ସାମଗ୍ରୀ ଜବତ

ସଇନ୍ତଳା : ବଲାଙ୍ଗୀର ଜିଲ୍ଲା ସଇନ୍ତଳା ଥାନା ବଡ଼ମାଳ ଫାଣ୍ତି ଅର୍ନ୍ତଗତ ଧରବଗଡ଼ ଗ୍ରାମରେ ମଦମୃତ୍ୟୁ ଅଭିଯୋଗ ଆସିଛି। ଅପମିଶ୍ରିତ ବିଷାକ୍ତ ମଦ ଯୋଗୁ ଗ୍ରାମର କଳାକାର ଷାଣ୍ଢ (୫୬)ଙ୍କ ଜୀବନ ଯାଇଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ପୁଲିସ ମୃତଦେହ ଜବତ କରିବା ସହ ଘଟଣାସ୍ଥଳରୁ ବହୁ ପରିମାଣର ମହୁଲ ପୋଚ ଓ ମଦରନ୍ଧା ସାମଗ୍ରୀ ଜବତ କରିଛି। ତେବେ ଦୀର୍ଘ ଦିନ ହେଲାଣି ଏଠାରେ ବେଆଇନ ଦେଶୀ ମଦ ରନ୍ଧା ଓ କାରବାରକୁ ସ୍ଥାନୀୟ ଲୋକେ ବିରୋଧ କରି ଆସୁଥିଲେ। ଗ୍ରାମବାସୀଙ୍କ କଥାକୁ ପୁଲିସ ଗୁରୁତ୍ବ ଦେଇନଥିଲା। ତେଣୁ ଏଭଳି ମଦମୃତ୍ୟୁ ଘଟିଲା ବୋଲି ଅଞ୍ଚଳବାସୀ କହୁଛନ୍ତି।

ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, ଧରବଗଡ଼ ଗ୍ରାମ ନିକଟ ଜଙ୍ଗଲରେ ଥିବା ଖଣ୍ତାଧୁଆ ନାଳ କଡ଼ରେ ବହୁଦିନରୁ କିଛି ଲୋକ ବେଆଇନ ଭାବେ ଦେଶୀ ମଦ ରାନ୍ଧି ଆସୁଥିଲେ। ରବିବାର ସନ୍ଧ୍ୟାରେ ଗ୍ରାମର କଳାକାର ଉକ୍ତ ନାଳ ଆଡ଼କୁ ଯାଇଥିବା ଲୋକ ଦେଖିଥିଲେ। କଳାକାରଙ୍କୁ ଖୋଜିବାକୁ ତାଙ୍କ ପତ୍ନୀ ଗ୍ରାମର ଯୁବକ ହୃଷୀକେଶ ଠାକୁର, ବିଶ୍ବନାଥ ବିଶି ଓ ରାମକୃଷ୍ଣ ସାହୁଙ୍କୁ ପଠାଇଥିଲେ। ତିନି ଯୁବକ ସନ୍ଧ୍ୟା ପ୍ରାୟ ସାଢ଼େ ୭ଟାରେ ଖଣ୍ତାଧୁଆ ନାଳ ନିକଟରେ ଖୋଜାଖୋଜି କରିବା ସମୟରେ ମଦ ରାନ୍ଧୁଥିବା ଲୋକେ ସେମାନଙ୍କୁ ଗାଳିଗୁଲଜ କରିବାରୁ ସେମାନେ ପଳାଇ ଆସିଥିଲେ। କିନ୍ତୁ ସୋମବାର ସକାଳୁ ସେହି ସ୍ଥାନରେ କଳାକାରଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା। ଲୋକେ ବଡ଼ମାଳ ଫାଣ୍ତିକୁ ଖବର ଦେଇଥିଲେ। ବିଷାକ୍ତ ଓ ଅପମିଶ୍ରିତ ମଦ ପିଇ କଳାକାର ମୃତ୍ୟୁବରଣ କରିଥିବା ତାଙ୍କ ଜ୍ବାଇଁ ବଟୁ ମହାକୁଡ଼ ଅଭିଯୋଗ କରିଥିଲେ। ପୁଲିସ ଘଟଣାସ୍ଥଳକୁ ଆସିଥିଲା। ମୃତଦେହଠାରୁ ୧୫ରୁ ୨୦ ମିଟର ଦୂରରେ ବେଆଇନ ମଦରନ୍ଧା ସରଞ୍ଜାମ ମହଜୁଦ ଥିଲା। ତଥାପି ତଦନ୍ତକାରୀ ଅଧିକାରୀ ସେଥିପ୍ରତି ଧ୍ୟାନ ନଦେବାରୁ ଉପସ୍ଥିତ ପୂର୍ବତନ ସରପଞ୍ଚ ସତ୍ୟନାରାୟଣ ପଣ୍ତାଙ୍କ ସମେତ ବହୁ ଗ୍ରାମବାସୀ ଆପତ୍ତି କରିଥିଲେ। ଫଳରେ ପୁଲିସ ବାଧ୍ୟ ହୋଇ ମଦ ପ୍ରସ୍ତୁତ ପାଇଁ ଥିବା ସାମଗ୍ରୀକୁ ପ୍ରଥମେ ଜବତ କରିଥିଲା। ବଡ଼ମାଳ ଫାଣ୍ତି ଅଧିକାରୀ କୁନୁ ସାହୁ ଏ ନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ଶବକୁ ଜବତ କରି ଟିଟିଲାଗଡ଼ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି।

ସମ୍ବନ୍ଧିତ ଖବର